Categories: ଫୁରସତ

ଗୋଡ଼ରେ ଭୋଟ ଦେଲେ

ଅହମଦାବାଦ: ମଙ୍ଗଳବାର ଭାରତର ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରର ଏହି ମହାପର୍ବରେ ଗୁଜରାଟର ଏକ ପୋଲିଂ ବୁଥ୍‌ରେ ଅଙ୍କିତ ସୋନି ନାମକ ଜଣେ ଭିନ୍ନକ୍ଷମ ଯୁବକ ଗୋଡ଼ରେ ଭୋଟ ଦେଇ ଉଦାହରଣ ସୃଷ୍ଟି କରିଛନ୍ତି। ଭୋଟ ଦେଇଥିବାରୁ ବୁଥ୍‌ରେ ନିୟୋଜିତ ଅଧିକାରୀ ତାଙ୍କ ଗୋଡ଼ର ଏକ ଆଙ୍ଗୁଠିରେ ସ୍ୟାହି ଲଗାଇଛନ୍ତି। ତେବେ ଅଙ୍କିତ ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟ୍‌ ଦେଇନାହାନ୍ତି। ପୂର୍ବରୁ ନିଜ ଗୋଡ଼ର ଆଙ୍ଗୁଠିକୁ ବ୍ୟବହାର କରି ଅନେକ ନିର୍ବାଚନରେ ଭୋଟ୍‌ ଦେଉଥିବା ସେ କହିଛନ୍ତି।୨୦ ବର୍ଷ ତଳେ ଏକ ବିଦ୍ୟୁତ୍‌ ଆଘାତରେ ସେ ନିଜ ୨ ହାତ ହରାଇଥିଲେ। ସେ ନିଜ ଗୋଡ଼ର ବ୍ୟବହାର କରି ସମସ୍ତ ଦୈନ୍ୟଦ୍ୱିନ କାର୍ଯ୍ୟ କରିପାରୁଥିବା କହିଛନ୍ତିା ଭିନ୍ନକ୍ଷମ ଥିବା ସତ୍ତ୍ୱେ ମଧ୍ୟ ପାଠ ପଢ଼ିବା ପାଇଁ ତାଙ୍କୁ ଉତ୍ସାହିତ କରିଥିବାରୁ ଏହି ଅବସରରେ ସେ ନିଜ ଶିକ୍ଷକଙ୍କୁ ଧନ୍ୟବାଦ ଦେଇଛନ୍ତି। ଏମ୍‌ବିଏ ଡିଗ୍ରୀ ହାସଲ କରିଥିବା ଅଙ୍କିତ ଏବେ ଏକ କମ୍ପାନୀରେ କାର୍ଯ୍ୟ କରୁଛନ୍ତି। ଏହି ଅବସରରେ ସେ ସମସ୍ତ ଭୋଟରଙ୍କୁ ଭୋଟ ଦେବା ପାଇଁ ଅପିଲ କରିଛନ୍ତି। ପ୍ରତ୍ୟେକ ଭୋଟ ମୁଲ୍ୟବାନ ହୋଇଥିବା ଦର୍ଶାଇ ନିଜ ନିଜ ପୋଲିଂ ବୁଥକୁ ଯାଇ ମତଦାନ କରିବାକୁ ସେ ଅନୁରୋଧ କରିଛନ୍ତି। ଅଙ୍କିତ ଗୋଡ଼ରେ ଭୋଟ ଦେଉଥିବାର ଭିଡିଓକୁ ସୋସିଆଲ ମିଡିଆରେ ଲୋକେ ବେଶ୍‌ ପସନ୍ଦ କରିଛନ୍ତି।

Share