ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ମତଦାନ ବୃଦ୍ଧି ନିମନ୍ତେ ଭାରତୀୟ ନିର୍ବାଚନ ଆୟୋଗ ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କଟକ ଜିଲା ପ୍ରଶାସନ ପ୍ରୟାସରେ ଅଭିନବ ଶୈଳୀରେ ଆପଣା ଯାଉଛି। ତନ୍ମଧ୍ୟରେ ଏଲପିଜି ସିଲିଣ୍ଡରଗୁଡ଼ିକୁ ମତାଧିକାର ସାବ୍ୟସ୍ତ କରିବାର ସଚେତନତା ବାର୍ତ୍ତା ପ୍ରଚାରର ମାଧ୍ୟମ କରାଯାଉଛି। ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତାର ବାର୍ତ୍ତା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଜିଲାର ସମସ୍ତ ଯୋଗ୍ୟ ଭୋଟର ଆଗେଇ ଆସି ନିଜର ମତ ସାବ୍ୟସ୍ତ କରି ଗଣତାନ୍ତ୍ରିକ ବିଧିବ୍ୟବସ୍ଥାକୁ ମଜବୁତ୍‌ କରିବା ସହିତ ମତଦାନ କରିବାର ଅତୁଳନୀୟ ଅନୁଭୂତି ସାଉଁଟିବାକୁ ଏହି ବାର୍ତ୍ତାରେ କୁହାଯାଇଛି। କଟକ ଜିଲାର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକ ସଦର, ବଡ଼ମ୍ବା, ବାଙ୍କୀ ଏବଂ ଆଠଗଡ଼ ବିଧାନସଭା ଆସନ ନିମନ୍ତେ ଆସନ୍ତା ମଇ ୨୫ ତାରିଖରେ ମତଦାନ ପାଇଁ ନିର୍ବାଚନ ତାରିଖ ଚୂଡ଼ାନ୍ତ ହୋଇଛି। ଏହି ଏଲପିଜି ସିଲିଣ୍ଡରଗୁଡ଼ିକରେ ଭୋଟଦାନ ତାରିଖ ମଇ ୨୫ ତାରିଖକୁ ମନେ ରଖବା ନିମନ୍ତେ ବାର୍ତ୍ତା ମଧ୍ୟ ଉଲ୍ଲେଖ ରହିଛି। କଟକ ସହରରେ ଅଧିକରୁ ଅଧିକ ସଂଖ୍ୟାରେ ଭୋଟର ମତଦାନ ପ୍ର୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Share