ବୁଥ୍‌ ଖୋଜି ଖୋଜି ଭୋଟର ନୟାନ୍ତ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ୭ ବର୍ଷ ପରେ ପୌର ନିର୍ବାଚନ ହୋଇଛି। ଏହା ଭିତରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଭୋଟର ଓ ପରିସୀମା ମଧ୍ୟ ବଢ଼ିଛି। ଏଥିପାଇଁ ପୂର୍ବରୁ ଓ୍ବାର୍ଡ ପୁନର୍ଗଠନ ସହ ନୂଆ ଭୋଟର ସଂଯୋଗ ଓ ସଂଶୋଧନ କରାଯାଇଥିଲା। ଏପରିକି ଅଭିଯୋଗ ଆଧାରରେ ଦ୍ୱିତୀୟ ଥର ମଧ୍ୟ ତାଲିକା ବଦଳିଥିଲା। ଏହାସତ୍ତ୍ୱେ ଗୁରୁବାର ମତଦାନବେଳେ କେତେକ ତ୍ରୁଟି ମଧ୍ୟ ପରିଲକ୍ଷିତ ହୋଇଥିଲା। କାହାର ନାଁ ଭୋଟର ତାଲିକାରେ ନ ଥିଲା ତ ପୁଣି ଆଉ କାହାର ଅନ୍ୟ ଓ୍ବାର୍ଡକୁ ଚାଲିଯାଇଥିଲା। ଏହା ଜାଣି ନ ପାରି ବହୁ ଭୋଟର ବୁଥ୍‌ରୁ ବୁଥ୍‌ ଓ ଓ୍ବାର୍ଡରୁ ଓ୍ବାର୍ଡ ବୁଲି ନୟାନ୍ତ ହୋଇପଡିଥିଲେ। କେତେଜଣ ଭୋଟର ଭୋଟ ଦେଇଥିବାବେଳେ ଆଉ କେତେଜଣ ନାଁ ନ ପାଇ ମତଦାନରୁ ବଞ୍ଚତ୍ତ ହୋଇଥିଲେ। ଆଉ କେତେକ ବୁଥ୍‌ ଖୋଜି ଖୋଜି ନୟାନ୍ତ ହୋଇଥିବା ଦେଖିବାକୁ ମିଳିଥିଲା। ୱାର୍ଡ ପୁନର୍ଗଠନ ପରେ ୧୮ ଓ ୧୯ ନଂ. ୱାର୍ଡର ଅଞ୍ଚଳ ବଦଳିବା ସହ ପରସ୍ପର ସହ ମିଶିଛି। ଫଳରେ ଉଭୟ ଓ୍ବାର୍ଡର ଭୋଟର ମତଦାନବେଳେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୧୮ ନଂ. ୱାର୍ଡ ପାଇଁ ଗୋଟିଏ ସ୍ଥାନରେ ଦୁଇଟି ମତଦାନ କେନ୍ଦ୍ର ଯଥା ଜିଜିପି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଗୋପୀନାଥଦେବ ହାଇସ୍କୁଲରେ ହୋଇଥିଲେ ମଧ୍ୟ ଭୋଟରଙ୍କ ସୁବିଧା ପାଇଁ କୌଣସି ସହାୟତା କେନ୍ଦ୍ର ନ ଥିଲା। ଏପରିକି ବୁଥ୍‌ ଚିହ୍ନିବା ପାଇଁ କିଛି ଫଳକର ବ୍ୟବସ୍ଥା ନ ଥିଲା। ଏହି କେନ୍ଦ୍ର ସାମ୍ନାରେ ୧୯ ନଂ. ୱାର୍ଡ ମତଦାନ କେନ୍ଦ୍ରଗୁଡିକ ସମ୍ପର୍କରେ ସୂଚନ ଦିଆଯାଇଥିଲା। ଏହା ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା।

Share