ପାଟନା,୭।୧୧: ବିହାରର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଭୋଟର ଏବଂ ସୁରକ୍ଷାକର୍ମୀ ହାତାହାତି ହୋଇଛନ୍ତି। ପୂର୍ଣିଆର ଧମଦାହା ଆସନର ଅଲିଗଞ୍ଜ୍ ସ୍ଥିତ ବୁଥ୍ ନମ୍ବର ୨୮୨ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଲାଇନରେ ଭୋଟରମାନେ ମତଦାନ କରୁଥିଲେ। ଜଣେ ସିଆଇଏସ୍ଏଫ୍ ଯବାନ ଲାଇନ ସିଧା କରିବା ଲାଗି କେତେକ ଲୋକଙ୍କ ଦେହରେ ବାଡ଼ି ଲଗାଇଥିଲେ। ଏଥିରେ ଉତ୍ୟକ୍ତ ହୋଇ ଲୋକେ ଯବାନଙ୍କ ସହିତ ଧସ୍ତାଧସ୍ତି ହୋଇଥିଲେ। ଲୋକଙ୍କୁ ଘଉଡ଼େଇବା ଲାଗି ଲାଠିଚାର୍ଜ ଏବଂ ଫାୟାରିଂ କରାଯାଇଥିବା କୁହାଯାଉଛି। ଏହାଯୋଗୁ ଲୋକେ ଆତଙ୍କିତ ହୋଇ ଦୌଡ଼ାଦୌଡ଼ି ଆରମ୍ଭ କରିଥିଲେ। ତେବେ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।