ସମ୍ବଲପୁର,୨୦।୨(ବ୍ୟୁରୋ): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଜିଲାପରିଷଦ ଜୋନ-୨ର ପ୍ରାର୍ଥୀମାନଙ୍କ ତାଲିକା ଥିବା ଏକ ବାଲଟ୍‌ ପେପର ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଉକ୍ତ ପେପରରେ ପ୍ରାଥମିକ ଶିକ୍ଷକ ନାହିଁ ତ ଭୋଟ ନାହିଁ ବୋଲି ଉଲ୍ଲେଖ ରହିଛି। ସେହିପରି ମାନେଶ୍ୱର ବ୍ଲକ ଜୋନ-୧ର ସରପଞ୍ଚ, ସମିତି, ଜିଲା ପରିଷଦ, ୱାର୍ଡସଭ୍ୟ ମୋଟ ୪ ଗୋଟି ବାଲଟ୍‌ ପେପର ଭାଇରାଲ ହେଉଛି। ଉକ୍ତ ପେପରରେ ନୋଟା ପାଇଁ ସୁବିଧା ନ ଥିବାବେଳେ ଭୋଟର ଜଣଙ୍କ ନୋଟା ଲେଖି ଭୋଟବାକ୍ସରେ ଭର୍ତ୍ତିି କରିଥିଲେ। ପୂର୍ବରୁ ଉଠାଯାଇଥିବା ଫଟୋକୁ ସାମାଜିକ ଗଣମାଧ୍ୟମରେ ଚାଷୀ ଦେବେନ୍ଦ୍ର ପ୍ରଧାନ ଓ ସୁଶାନ୍ତ ପ୍ରଧାନ ସେୟାର କରିଛନ୍ତି। ଦେବେନ୍ଦ୍ର ଚେତବାନୀ ଦେଇ ଉଲ୍ଲେଖ କରିଛନ୍ତି, ସବୁ ସରକାର ଚାଷୀ ବିରୋଧୀ କାର୍ଯ୍ୟ କରୁଛନ୍ତି। ଅଗାମୀ ଦିନରେ ଧାନ କିଣା ଓ ଅନ୍ୟ ସମସ୍ୟା ସମାଧାନ ନ ହେଲେ ନୋଟା ସଂଖ୍ୟା ବୃଦ୍ଧି ପାଇବ।

ଏହାକୁ ଜିଲା ପ୍ରଶାସନ ଗୁରୁତର ସହ ନେଇଥିବା ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି। ଏହି ବାଲଟ୍‌ ପେପର ସତ୍ୟତାକୁ ନେଇ ପରଖାଯାଉଛି। ଏ ନେଇ ପୋଲିସ ତଦନ୍ତ କରୁଛି। ସତ୍ୟତା ସାମ୍ନାକୁ ଆସିଲେ ଏଭଳିି ପ୍ରଚାର କରିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପଟେ ସ୍କୁଲ ଶିକ୍ଷକ ଅଭାବରୁ ଜଣେ ଭୋଟର ମତଦାନ କରିବାକୁ ଇଚ୍ଛା ପ୍ରକାଶ କଲେ ନାହିଁ। ବାଲଟ୍‌ ପେପରରେ ଏଭଲି ଉଲ୍ଲେଖ କରି ସାମାଜିକ ଗଣମାଧ୍ୟମରେ ପ୍ରଚାର କରିଥିଲେ। ସୂଚନାଯୋଗ୍ୟ, ୧୮ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ନାକଟିଦେଉଳ ବ୍ଲକରେ ନିର୍ବାଚନ ରହିଥିଲା। ଜୋନ-୨ରେ ବିଜେଡି ଟିକେଶ୍ୱର ମେହେର, କଂଗ୍ରେସର ସୁନନ୍ଦା ପ୍ରଧାନ, ଭାଜପାର ଲୁଚନା ଗଡତ୍ୟା ପ୍ରାର୍ଥୀ ହୋଇଛନ୍ତି। ଭାଇରାଲ ହେଉଥିବା ବାଲଟ୍‌ ପେପରରେ ମଧ୍ୟ ସମାନ ନାମ ରହିଛି। ଏହି ବାଲଟ ପେପରରେ ନୋଟାର ସୁବିଧା ନାହିଁ। ତେଣୁ ବ୍ଲକର କେହି ଜଣେ ଭୋଟର ସରପଞ୍ଚ, ସମିତି ଓ ୱାର୍ଡ ସଭ୍ୟରେ ଭୋଟ ଦେବା ପରେ ଜିଲାପରିଷଦ ପ୍ରାର୍ଥୀ ଦଳୀୟ ହୋଇଥିବାରୁ ଭୋଟ ଦେଲେନାହିଁ।

Share