ନେତାଙ୍କ କଥାରେ ଭଳୁ ନାହାନ୍ତି ଭୋଟର

ବରଗଡ଼ରୁ ଅନିଲ ଦାସ,୧୭ା୫: ଖରାତାତି ସାଙ୍ଗକୁ ବଢ଼ିଚାଲିଛି ନିର୍ବାଚନୀ ଉଷ୍ମତା। ଆଉ ଦୁଇଦିନ ପରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ବରଗଡ଼ ସମେତ ୫ଟି ଲୋକ ସଭା କ୍ଷେତ୍ର ଓ ୩୫ଟି ବିଧାନସଭା କ୍ଷେତ୍ରରେ ଭୋଟ୍‌ ଗ୍ରହଣ ହେବ। ନିର୍ବାଚନ ପ୍ରଚାର ଚରମସୀମାରେ ପହଞ୍ଚିଛି। ବିଶେଷକରି ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାର୍ଥୀ ନିଜ ସମର୍ଥକଙ୍କୁ ଧରି ଘରକୁ ଘର ବୁଲି ଭୋଟ୍‌ ଭିକ୍ଷା କରୁଛନ୍ତି। ତେବେ ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ନିର୍ବାଚନ ମଣ୍ଡଳୀରେ ଅନେକ ସମସ୍ୟା ଭୋଟରଙ୍କୁ ଅସ୍ତବ୍ୟସ୍ତ କରୁଛି। ଆଦିବାସୀ ବହୁଳ ଏହି ନିର୍ବାଚନ ମଣ୍ଡଳୀର ମୁଖ୍ୟ ସମସ୍ୟା ହେଉଛି ଧାନର ଅଭାବୀ ବିକ୍ରି। ଚାଷୀଙ୍କୁ ଉଚିତ୍‌ ପ୍ରାପ୍ୟ ମିଳୁନାହିଁ। ମଣ୍ଡିରେ ଧାନ ମାସ ମାସ ଧରି ପଡ଼ିରହୁଛି। କେବଳ ଧାନ ନୁହେଁ, ଦାଦନ ସମସ୍ୟା, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ମୋବାଇଲ ଇଣ୍ଟରନେଟ୍‌, ବେକାରୀ ସମସ୍ୟା ପ୍ରାର୍ଥୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ପ୍ରମୁଖ ଦଳର ପ୍ରାର୍ଥୀମାନେ ଏସବୁ ସମସ୍ୟା ସମାଧାନ କରିବା ନେଇ ପୁଳାପୁଳା ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ଭୋଟର ସେସବୁ ଗ୍ରହଣ କରିପାରୁନାହାନ୍ତି। ବୟସ୍କଙ୍କଠାରୁ ଆରମ୍ଭ କରି ଯୁବ ଭୋଟରଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଅସନ୍ତୋଷ ରହିଛି। ମତଦାତାଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀମାନେ ଭଳି କି ଭଳି ହୋର୍ଡିଂ ସାଙ୍ଗକୁ ରାଲି, ସଭାସମିତି ମାଧ୍ୟମରେ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିଲେ ମଧ୍ୟ ନିର୍ବାଚନକୁ ନେଇ ଭୋଟରଙ୍କ ମଧ୍ୟରେ ସେଭଳି ଉତ୍ସାହ ଦେଖିବାକୁ ମିଳୁନାହିଁ।

Share