ଟିକିରି,୨୧।୨(ଡି.ଏନ୍.ଏ.)- ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ରବିବାର ଭୋଟ ଗ୍ରହଣ ହୋଇଥିଲା। ଏଥିରେ ଡଙ୍ଗାସିଲ ପଞ୍ଚାୟତର ବେଲଗଛ ତୁଣ୍ଡା ପୋଲିଂ ବୁ୍ଥ୍ ପରିବର୍ତ୍ତନ ନେଇ ଦୁଇ ଗ୍ରାମର ୨ ଶହରୁ ଊର୍ଦ୍ଧ୍ୱ ଭୋଟର ଭୋଟ ବର୍ଜନ କରିଛନ୍ତି। ବଲଗଛତୁଣ୍ଡା ଏବଂ ପଣ୍ଡକାମାରି ଗ୍ରାମବାସୀ ଭୋଟ ଦେଇ ନ ଥିବା ଜଣାପଡ଼ିଛି। ବିନା ସୂଚନାରେ ପ୍ରଶାସନ ପକ୍ଷରୁ ବୁଥ୍ ପରିବର୍ତ୍ତନ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ପୂର୍ବରୁ ଡଙ୍ଗାସିଲ ପଞ୍ଚାୟତର ବେଲଗଛତୁଣ୍ଡା ଗ୍ରାମର ୮ ନମ୍ବର ୱାର୍ଡରେ ପୋଲିଂ ବୁଥ୍ ରହିଥିଲା। ବେଲଗଛତୁଣ୍ଡା, ପଣ୍ଡକାମାରି ଏବଂ ଥରଲି ଗ୍ରାମର ଭୋଟରଙ୍କୁ ନେଇ ଗଠିତ ବେଲଗଛ ତୁଣ୍ଡା ବୁଥ୍ ଅଧୀନରେ ୩୭୬ ଭୋଟର ରହିଛନ୍ତି। ଏଠାରେ ସ୍କୁଲ କିମ୍ବା ଅନ୍ୟ ସରକାରୀ ଗୃହ ନ ଥିବାରୁ ଗଛ ତଳେ ଅସ୍ଥାୟୀ ପୋଲିଂ ବୁଥ୍ କରାଯାଉଥିଲା। ଚଳିତ ନିର୍ବାଚନରେ ଏଠାରୁ କିଛି ଦୂରରେ ଥିବା ଥରଲି ଗ୍ରାମକୁ ବୁଥ୍ ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ଦୁଇ ଗ୍ରାମର ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନର ଖାମଖିଆଲ ନୀତି ବିରୋଧରେ ଗ୍ରାମବାସୀ ଏକାଠି ହୋଇ ଭୋଟ ବର୍ଜନ କରିଥିବା କହିଛନ୍ତି।