ଯାଜପୁର ଅଫିସ,୨୨ା୧: ଫେବୃୟାରୀ ୧୮ରୁ ୫ ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବ। ଏହି ନିର୍ବାଚନରେ ଯାଜପୁର ଜିଲାର ୩୧୧ ଗ୍ରାମପଞ୍ଚାୟତ, ୧୦ ପଞ୍ଚାୟତ ସମିତି ଓ ୩୯ ଜିଲା ପରିଷଦ ସଭ୍ୟ ପାଇଁ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଏଥର କରୋନା କଟକଣା ପାଇଁ ଶୋଭାଯାତ୍ରା, ସାଧାରଣ ସଭା, ଭୋଟରଙ୍କ ଘରକୁ ଯାଇ ପ୍ରଚାର ଉପରେ ରୋକ୍ ଲାଗିଛି। ଫଳରେ ପ୍ରାର୍ଥୀମାନେ ଅଡ଼ୁଆରେ ପଡ଼ିଛନ୍ତି। ନିର୍ବାଚନ ପ୍ରଚାର ପାଇଁ ଡିଜିଟାଲକୁ ପ୍ରାର୍ଥୀମାନେ ପ୍ରମୁଖ ମାଧ୍ୟମ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗତ ନିର୍ବାଚନ ଫଳାଫଳକୁ ଅବଲୋକନ କଲେ ଏଥର ବି ବିଜେଡି ସହିତ ଭାଜପା କଡ଼ା ଟକ୍କର ଦେବ ବୋଲି ଚର୍ଚ୍ଚା ହେଉଛି। ଖଣି ଓ ଶିଳ୍ପ ସମୃଦ୍ଧ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ସ୍ଥାନୀୟ ନିଯୁକ୍ତି, ଦୁର୍ନୀତି ଆଦି ପ୍ରସଙ୍ଗ ଭୋଟରଙ୍କୁ ଅଡ଼ୁଆରେ ପକାଇଛି। ଏହାର ପ୍ରଭାବ ଏହି ନିର୍ବାଚନ ଉପରେ ପଡ଼ିବ ବୋଲି ଅନୁମାନ କରାଯାଇଛି।
ସୂଚନା ଅନୁଯାୟୀ, ସୁକିନ୍ଦା ନିର୍ବାଚନମଣ୍ଡଳୀ ଅଧୀନ ଦାନଗଦି ଓ ସୁକିନ୍ଦା ବ୍ଲକରେ ଯଥାକ୍ରମେ ୮,୯,୧୦ ଓ ୩୭, ୩୮,୩୯ ନମ୍ବର ୬ ଜିଲା ପରିଷଦ ଆସନ ରହିଛି। ଏଥିପାଇଁ ଏଥର ବିଜେଡି ଓ ଭାଜପା ଟାଣୁଆ ନେତ୍ରୀ ଓ ନେତାଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ତେବେ ପ୍ରତି ନିର୍ବାଚନରେ ନେତା ବଦଳୁଥିଲେ ହେଁ ପଞ୍ଚାୟତ ବ୍ୟବସ୍ଥାରେ ସେଭଳି କିଛି ଆଖିଦୃଶିଆ ଉନ୍ନତି ଏଠାରେ ଦେଖିବାକୁ ମିଳିନାହିଁ। ଆଦିବାସୀ ଅଧ୍ୟୁଷିତ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଆଜି ବି ୫୦ରୁ ଊର୍ଦ୍ଧ୍ୱ ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ ହୋଇନାହିଁ। ୨୦୧୬ରେ ନଗଡ଼ାର ନଗ୍ନ ଚିତ୍ର ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଥିଲା। ହେଲେ ଜିଲାର ସଚେତନ ଭୋଟର ଏହାର କାରଣ ଖୋଜିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଭୋଟର ତାଙ୍କ ମତଦାନରେ ଏହାର ଜବାବ୍ ରଖିଥିଲେ। ବିଜେଡି ୭୭୫୧୦(୪୮.୨୦%), ଭାଜପା ୬୦୭୮୦(୩୭.୭୯%) ଓ କଂଗ୍ରେସ ୧୮୬୧୯(୧୧.୮୫%) ଭୋଟ ପାଇଥିଲା। ଏଥିରୁ ରାଜନୈତିକ ଭିତ୍ତିଭୂମି ବଦଳୁଥିବା ସମସ୍ତେ ଅନୁଭବ କରିଥିଲେ। ଏହି ନିର୍ବାଚନରେ କଂଗ୍ରେସ ଧରାଶାୟୀ ହୋଇଥିବାବେଳେ ଭାଜପା ଦ୍ୱିତୀୟ ବିରୋଧୀ ଦଳ ଭାବେ ଉଭା ହୋଇଥିଲା। କଂଗ୍ରେସଠାରୁ ଅଧିକ ପ୍ରଭାବଶାଳୀ ଢଙ୍ଗରେ ଭାଜପା ରଣନୀତି ଆପଣାଇ ବିଜେଡିକୁ ଆହ୍ବାନ କରିଥିଲା।
ସୁକିନ୍ଦା ଖଣି ଅଞ୍ଚଳରେ ଶ୍ରମିକମାନଙ୍କୁ ନିୟମିତ ଛଟେଇ କରିବା କାରଣକୁ ନେଇ ଅଧିକାଂଶ ସମୟରେ ଆନ୍ଦୋଳନ, ଧାରଣା, ବନ୍ଦ ଡାକରା ଜାରି ରହିଛି। ବିଭିନ୍ନ ସମୟରେ ଶ୍ରମିକ ଶ୍ରେଣୀର ଲୋକଙ୍କ ଉପରେ ଖଣି ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ପରୋକ୍ଷ ନିର୍ଦ୍ଦେଶରେ ପୋଲିସର ଜୁଲମ ବି ବଢ଼ିଛି। ଫଳରେ ଏହି ଅଞ୍ଚଳ ପ୍ରାୟ ଅଶାନ୍ତ ରହୁଥିବାରୁ ଶ୍ରମିକ ଓ ସାଧାରଣ ଲୋକଙ୍କ ମୁହଁରେ ଶାସକ ଦଳ ପ୍ରତି ପ୍ରାୟ ବିରୋଧାଭାସ ଦେଖିବାକୁ ମିଳିଛି। ବାସ୍ତବରେ ସ୍ଥାନୀୟ ବେକାର ଯୁବତୀଯୁବକଙ୍କ ପାଇଁ କିଛି ସୁଫଳ ମିଳୁନାହିଁ। ବିଡ଼ମ୍ବନା, ଏଠାରେ ବିଭିନ୍ନ କମ୍ପାନୀରେ ୩୬୪ ଅଣଓଡ଼ିଆ ଏବଂ ୧୮୪ ଓଡ଼ିଆ ଠିକାସଂସ୍ଥା ନିୟୋଜିତ ହୋଇଛନ୍ତି। ଏଥିରୁ ଓଡ଼ିଆଙ୍କୁ ନିଯୁକ୍ତି ସଂଖ୍ୟା କେତେ ତାହା ସହଜେ ଅନୁମେୟ। ଗୁରୁତ୍ୱପୂର୍ଣ୍ଣ ବିଷୟ, ସରକାରଙ୍କ ଘୋଷିତ ସର୍ବନିମ୍ନ ମଜୁରି ମଧ୍ୟ ଏହି ଠିକାସଂସ୍ଥାମାନେ ଶ୍ରମିକଙ୍କୁ ଦେଉ ନ ଥିବା ଅଭିଯୋଗ ହୋଇଛି। ଅଣଓଡ଼ିଆ ଠିକାସଂସ୍ଥାରୁ ନିୟମିତ ଦରମା ମିଳୁନାହିଁ, ଜାଣିଶୁଣି ହଇରାଣ ଆଦି କାରଣରୁ ଶତାଧିକ ଶ୍ରମିକ ଓ କର୍ମଚାରୀ ବାଧ୍ୟ ହୋଇ ଚାକିରି ଛାଡ଼ି ଦାଦନ ଖଟି ଯାଉଥିବା ଦେଖିବାକୁ ମିଳିଛି। ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୨୫ ହଜାର ଓଡ଼ିଆ ଠିକା ଶ୍ରମିକ ଏଠାରେ ନିଯୁକ୍ତି ହରାଇଥିବା ଏକ ତଥ୍ୟରୁ ସୂଚନା ମିଳିଛି। ଛଟେଇ କ୍ଷେତ୍ରରେ ଓଡ଼ିଆଙ୍କୁ ପ୍ରାଧାନ୍ୟ ଦିଆଯାଉଥିବାବେଳେ ନିୟମିତ ନିଯୁକ୍ତିରେ ଅଣଓଡ଼ିଆଙ୍କୁ ଅଧିକ ଅଗ୍ରାଧିକାର ଦିଆଯାଉଛି। ଏହି କ୍ରମରେ ଶିଳ୍ପ ଓ ଖଣି ଜନସହଯୋଗରେ ନୁହେଁ କେତେଜଣ ପ୍ରତିଭାଶାଳୀ ବ୍ୟକ୍ତି, ରାଜନେତା ତଥା ପ୍ରଶାସନର ଛତ୍ରଛାୟା ତଳେ ଗଢ଼ି ଉଠୁଛି। ଅନ୍ୟପକ୍ଷେ ନଗଡ଼ାକୁ ନିର୍ମାଣ ହୋଇଥିବା ରାସ୍ତାର ମରାମତି କାମରେ ପ୍ରାୟ ୪୪ ଲକ୍ଷ ଟଙ୍କା ହରିଲୁଟ ହୋଇଥିବା ଗ୍ରାମ୍ୟ ନିର୍ମାଣ ବିଭାଗର ଖୋଦ୍ ଅଧୀକ୍ଷଣ ଯନ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଉପରେ ତଦନ୍ତ ଚାଲିଛି। ତେବେ ସମ୍ପୃକ୍ତ ଯନ୍ତ୍ରୀ, ଠିକାଦାରଙ୍କ ମଧ୍ୟରେ ଭାଗବଣ୍ଟା ନ ଛିଡ଼ିବାରୁ ଏଭଳି ଅଭିଯୋଗ ହୋଇଛି ବୋଲି ଚର୍ଚ୍ଚା ହେଉଛି। ଦୁଃଖର କଥା, ଏତେବଡ଼ ଦୁର୍ନୀତିକୁ ଭିଜିଲାନ୍ସ କିମ୍ବା ବିଭାଗୀୟସ୍ତରରେ ନ କରି ପୋଲିସ ଦ୍ୱାରା ତଦନ୍ତ କରାଯିବା ଘଟଣା ସାରା ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି। ଏହାବାଦ୍ ବିସ୍ଥାପିତ କଲୋନୀକୁ ଅତ୍ୟାଧୁନିକ, ସୁପର ସ୍ପେଶାଲିଟି ଡାକ୍ତରଖାନା, ଇଏସ୍ଆଇ ହସ୍ପିଟାଲ ଆଦି ଦାବି ସଂକ୍ରାନ୍ତରେ ସରକାର, ଶିଳ୍ପ କିମ୍ବା ଖଣି ସଂସ୍ଥା ଶୁଣୁ ନାହାନ୍ତି। ଏଥିରେ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବେ ଜଡ଼ିତ ପରିବାରବର୍ଗ ଚଳିତ ପଞ୍ଚାୟତ ନିର୍ବାଚନରେ ଏହାର ଜବାବ୍ ଭୋଟର ଦେବେ ବୋଲି ଏବେ ସବୁଠି ଚର୍ଚ୍ଚା ହେଉଛି।