ଭୋଟ ଦେବା ବୟସ ୧୮ ବର୍ଷ ବଦଳରେ ହେବ ୧୬ ବର୍ଷ : ସଂସଦରେ ଆଇନ ଆଣିବାକୁ କହିଲେ ପ୍ରଧାନମନ୍ତ୍ରୀ…

ଓ୍ବିଲିଂଟନ,୨୨।୧୧ : ଭୋଟ ଦେବା ବୟସ ୧୮ ବଦଳରେ ୧୬ ବର୍ଷ କରିବାକୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜୈସିଣ୍ଡା ଅର୍ଡର୍ନ ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ ସଂସଦରେ ଏକ ଆଇନ ଆଣିବାକୁ ସେ କହିଛନ୍ତି। ୧୬ ବର୍ଷ ବୟସ୍କଙ୍କୁ ଭୋଟ ଦାନ ଅଧିକାର ପ୍ରଦାନ ନେଇ ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ରାୟ ପରେ ପ୍ରଧାନମନ୍ତ୍ରୀ ଏଭଳି କହିଛନ୍ତି।

ସୁପ୍ରିମ୍‌କୋର୍ଟ କହିଥିଲେ ଯେ, ୧୮ ବର୍ଷ ଭୋଟଦାନ ବୟସ ରଖାଯିବା ଯୁବବର୍ଗଙ୍କ ପାଇଁ ସମ୍ପୂର୍ଣ୍ଣ ଭେଦଭାବ ପୂର୍ଣ୍ଣ। ଏହା ଦ୍ୱାରା ଯୁବବର୍ଗଙ୍କ ମାନବିକ ଅଧିକାରର ଉଲ୍ଲଂଘନ ହେଉଛି।

ତେବେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆବଶ୍ୟକ ସଦସ୍ୟଙ୍କ ସଂଖ୍ୟା ନଥିବାରୁ ଏହି ଆଇନ ସଂସଦରେ ପାରିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ନିର୍ବାଚନ ଆଇନରେ ସଂଶୋଧନ ପାଇଁ ୭୫ ପ୍ରତିଶତ ସଦସ୍ୟଙ୍କ ସମର୍ଥନର ଆବଶ୍ୟକତା ରହିଛି।

ସୁପ୍ରିମ୍‌କୋର୍ଟ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ ଭଳି ପ୍ରସଙ୍ଗ କ୍ଷେତ୍ରରେ ଯୁବବର୍ଗଙ୍କୁ ମତଦାନ କରିବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ସେମାନଙ୍କର ଭବିଷ୍ୟତ ଉପରେ ସକାରାତ୍ମକ ପ୍ରଭାବ ଅନୁଭୁତ ହେବ। ବ୍ରାଜିଲ, ଅଷ୍ଟ୍ର୍ରିଆ ଏବଂ କ୍ୟୁବାରେ ୧୮ ବର୍ଷରୁ କମ୍‌ ବୟସ୍କଙ୍କୁ ମତଦାନର ଅଧିକାର ପ୍ରଦାନ କରାଯାଇଛି।

Share