Categories: ଜାତୀୟ

୫୮ ଆସନ ପାଇଁ ମତଦାନ ଆରମ୍ଭ…

ଲକ୍ଷ୍ନୌ ୧୦।୨ : ଉତ୍ତରପ୍ରଦେଶ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ମତଦାନ ଆରମ୍ଭ ହୋଇଛି। ରାଜ୍ୟର ୧୧ଟି ଜିଲାର ୫୮ଟି ବିଧାନପସଭା ଆସନରେ ମତଦାନ ଜାରି ରହିଛି। ପ୍ରଥମ ପର୍ଯ୍ୟାୟରେ ୬୨୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ଭୋଟର କରିବେ। ସେଥିମଧ୍ୟରୁ ୭୩ ଜଣ ମହିଳା ପ୍ରାର୍ଥୀ ଅଛନ୍ତି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସମୁଦାୟ ୧୦,୮୫୩ ମତଦାନ କେନ୍ଦ୍ର ଏବଂ ୨୬,୦୨୭ ବୁଥ୍‌ ସ୍ଥାପନ କରାଯାଇଛି।

ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ଉତ୍ତରପ୍ରଦେଶର ଅଧିକାଂଶ ଆସନରେ ମତଦାନ ଅନୁଷ୍ଠିତ ହେଉଛି। ଏହି ପର୍ଯ୍ୟାୟରେ ଶାମଲି, ହାପୁର, ଗୌତମ ବୁଦ୍ଧ ନଗର, ମୁଜାଫରନଗର, ମିରଟ, ବାଗପତ୍‌, ଗାଜିଆବାଦ, ବୁଲନ୍ଦସହର, ଅଲୀଗଡ, ମଥୁରା ଏବଂ ଆଗ୍ରା ଜିଲାର ବିଧାନସଭା ଆସନରେ ମତଦାନ ଜାରି ରହିଛି।

ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା, ସୁରେଶ ରାଣା, ସନ୍ଦୀପ ସିଂ, କପିଲ ଦେବ ଅଗ୍ରୱାଲ, ଅତୁଲ ଗର୍ଗ ଏବଂ ଚୌଧୁରୀ ଲକ୍ଷ୍ମୀ ନାରାୟଣଙ୍କ ରାଜନୈତିକ ଭାଗ୍ୟ ସ୍ଥିର ହେବ। ପ୍ରଥମ ପର୍ଯ୍ୟାୟରେ, ୨.୨୮ କୋଟି ଭୋଟର ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି। ସେମାନଙ୍କ ମଧ୍ୟରେ ୧.୨୪ କୋଟି ପୁରୁଷ, ୧.୦୪ କୋଟି ମହିଳା ଏବଂ ୧,୪୪୮ ଟ୍ରାନ୍ସଜେଣ୍ଡର ଭୋଟର ଅନ୍ତର୍ଭୁକ୍ତ ଅଛନ୍ତି।

ମତଦାନ ଉପରେ ନଜର ରଖିବା ପାଇଁ ୪୮ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ଆଠ ଜଣ ପୋଲିସ ପର୍ଯ୍ୟବେକ୍ଷକ ଏବଂ ୧୯ ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଛି। ଏହା ବ୍ୟତୀତ ୨,୧୭୫ ସେକ୍ଟର ମାଜିଷ୍ଟ୍ରେଟ, ୨୮୪ ଜୋନାଲ ମାଜିଷ୍ଟ୍ରେଟ, ୩୬୮ ଷ୍ଟାଟିକ ମାଜିଷ୍ଟ୍ରେଟ ଏବଂ ୨,୭୧୮ ଜଣ ମାଇକ୍ରୋ ଅବଜରଭର ମଧ୍ୟ ନିୟୋଜିତ ହୋଇଛନ୍ତି।

୨୦୧୭ ବିଧାନସଭା ନିର୍ବାଚନରେ ଭାଜପା ପ୍ରଥମ ପର୍ଯ୍ୟାୟର ୫୮ ଟି ଆସନ ମଧ୍ୟରୁ ୫୩ ଟି ଜିତିଥିବାବେଳେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ଦୁଇଟି ଲେଖାଏଁ ଆସନ ହାତେଇଥିଲେ॥ ଏହା ବ୍ୟତୀତ ଗୋଟିଏ ଆସନରେ ଆରଏଲଡି ବିଜୟୀ ହୋଇଥିଲା।

Share