ବାଲିଗୁଡା ବିଧାୟକଙ୍କ ଗାଁରେ ଭୋଟ ବର୍ଜନ ଚେତାବନୀ

ବାଲିଗୁଡା,୧୪।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସାଇନପଡା ଗ୍ରାମ ପଞ୍ଚାୟତର ୬ୱାର୍ଡବାସୀ ତଥା ବିଧାୟକଙ୍କ ଗାଁରେ ଭୋଟ ବର୍ଜନ ପାଇଁ ଚେତାବନୀ ଦିଆଯାଇଛି। ନୂତନ ପଞ୍ଚାୟତ ଗଠନ ଓ ମୌଳିକ ସମସ୍ୟାର ସମାଧାନ ପାଇଁ ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ବର୍ଜନ କରିବେ ଗ୍ରାମବାସୀ। ସାଇନପଡା ଗ୍ରାମ ପଞ୍ଚାୟତର ୬ୱାର୍ଡବାସୀ ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ପୂର୍ବରୁ ସେମାନେ କୁଡୁତୁଲୀ ଗ୍ରାମ ପଞ୍ଚାୟତରେ ଥିବା ବେଳେ ସାଇନପଡ଼ା ପଞ୍ଚାୟତ ଗଠନ ସମୟରେ ଗ୍ରାମବାସୀଙ୍କୁ ନ ଜଣାଇ ସାଇନପଡ଼ା ଗ୍ରାମପଞ୍ଚାୟତରେ ମିଶାଇ ଦିଆଗଲା ବୋଲି ନନ୍ଦମାହା ସମେତ ୬ୱାର୍ଡ଼ବାସୀ ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମବାସୀ କ.ନୂଆଗାଁ ବିଡ଼ିଓ, ବାଲିଗୁଡା ଉପଜ଼ିଲାପାଳ, ମୁଖ୍ୟ ଶାସନ ସଚିବ ଓ ପଞ୍ଚାୟତରାଜ ବିଭାଗକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ। ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ମିଳିତ ଭାବେ ବୈଠକ କରି ଭୋଟ ବର୍ଜନ କରିବାକୁ ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଗାଁରେ ପାନୀୟ ଜଳ ସଙ୍କଟ ସହିତ ଗରିବ ହିତାଧିକାରୀଙ୍କୁ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ ନ ଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଗ୍ରାମବାସୀ ବହୁବାର ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜ଼ିଲ୍ଲାପାଳ ଓ ସ୍ଥାନୀୟ ବିଧାୟକଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ଅତିଷ୍ଠ ହୋଇ ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।

 

Share