Categories: ଜାତୀୟ

ପଶ୍ଚିମବଙ୍ଗରେ ହିଂସା ମଧ୍ୟରେ ମତଦାନ ଜାରି, ୫ ମୃତ ଅନେକେ ଆହତ

କୋଲକାତା,୮।୭: ପଶ୍ଚିମବଙ୍ଗରେ ଶନିବାର ସକାଳୁ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସାରା ରାଜ୍ୟରେ ବର୍ତ୍ତମାନ ସ୍ଥାନେ ସ୍ଥାନେ ପଥରମାଡ, ହିଂସା, ଅଗ୍ନିକାଣ୍ଡ ଭଳି ଖବର ଆସୁଛି। ସମଗ୍ର ରାଜ୍ୟରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି। ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ନିଯୁକ୍ତି ପରେ ବି ହିଂସା ହେବାରେ ଲାଗିଛି।

ଶନିବାର ସକାଳ ୭ଟାରେ ପଞ୍ଚାୟତ ନିର୍ବାଚନର ପ୍ରାୟ ୭୪ଟି ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ଦକ୍ଷିଣରୁ ଉତ୍ତର ବଙ୍ଗଳା ପର୍ଯ୍ୟନ୍ତ ସବୁ ସ୍ଥାନରେ ହିଂସା ହେବାର ଖବର ରହିଛି। ସୂଚନା ଅନୁଯାୟୀ, ଭୋଟ ସମୟରେ ହିଂସା ଘଟଣାରେ ଏପର୍ଯ୍ୟନ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି।
ମୁର୍ସିଦାବାଦର ବେଲଦାନଗା ଠାରେ କଂଗ୍ରେସ ଏବଂ ତ୍ରୁଣମୂଳ କଂଗ୍ରେସ ମଧ୍ୟରେ ସଂଘର୍ଷରେ ଶାସକ ଦଳର କର୍ମୀ ବାବର ଅଲିଙ୍କ ମୃତ୍ୟୁ ଘଟିଛି। ହିଂସା ପରେ ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଗୁଳି ବାଜିବା ପରେ କଂଗ୍ରେସ କର୍ମୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କୁଚବିହାରରେ ଏକ ମତଦାନ କେନ୍ଦ୍ରକୁ ଭଙ୍ଗାରୁଜା କରାଯାଇଛି ଏବଂ ମତଦାନ ଆରମ୍ଭ ହେବା ମାତ୍ରେ ବାଲାଟ କାଗଜପତ୍ର ଲୁଟ ହୋଇଛି। ସେହିଭଳି ରିପୋର୍ଟ ଡାଇମଣ୍ଡ ହାରବରରୁ ମଧ୍ୟ ଆସୁଛି। ସୂଚନାନୁସାରେ, ମାଲଦାର ମାଣିକଚକ ଏବଂ ଗୋପାଳପୁର ଗ୍ରାମ ପଞ୍ଚାୟତର ଜିଶାରଦ ଟୋଲାରେ ବୋମା ବିସ୍ଫୋରଣ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ଶେଖ ମାଲେକ ବୋଲି କୁହାଯାଇଛି। ସୂଚନା ମିଳିଛି ଯେ ଟିଏମସି କର୍ମୀମାନେ ହୁଗଲିରେ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରକୁ ଗୁଳି ଚଳାଇଛନ୍ତି।

Share