Categories: ଜାତୀୟ

‘ଡି ଭୋଟର’ ଟ୍ୟାଗ୍‌ ଭୟରେ ମତଦାନ

ଗୁଆହାଟୀ,୯।୪: ଆସାମର ମୁସଲମାନ ଭୋଟରଙ୍କ ସଂଖ୍ୟା ମୋଟ ମତଦାତାଙ୍କ ୩୫%। ପ୍ରାୟ ପ୍ରତ୍ୟେକ ନିର୍ବାଚନରେ ଏମାନେ ମତଦାନ କେନ୍ଦ୍ରକୁ ଯାଇ ମତାଧିକାର ସାବ୍ୟସ୍ତ କରିଥାଆନ୍ତି। ଏହାର ଅନ୍ୟତମ କାରଣ ହେଉଛି ‘ଡି ଭୋଟର’ ବା ସନ୍ଦିଗ୍ଧ ମତଦାତା ଟ୍ୟାଗ୍‌ ଭୟ। ଏପରି କି ଭୋଟର ତାଲିକାରୁ ନାଁ କଟିଯିବାର ଭୟ ବି ରହିଥାଏ ସଂଖ୍ୟାଲଘୁ ମତଦାତାଙ୍କ ମନରେ। ସଦ୍ୟ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ମଧ୍ୟ ମୁସଲମାନ ବହୁଳ ଆସନଗୁଡ଼ିକରେ ମତଦାନ ହାର ଅଧିକ ରହିଛି। ଯେଉଁ ୩୪ ଆସନରେ ମୁସଲମାନ ସଂଖ୍ୟାଗରିଷ୍ଠ, ସେଠାରେ ହାରାହାରି ମତଦାନ ୮୪% ରହିଛି। ଅବଶିଷ୍ଟ ୯୨ ଆସନରେ ମୁସଲମାନ ସମୁଦାୟର ଉପସ୍ଥିତି ଗୌଣ। ଏଭଳି ନିର୍ବାଚନମଣ୍ଡଳୀରେ ୭୯% ରହିଛି ଭୋଟ ହାର।
ଏହି ବିଧାନସଭା ନିର୍ବାଚନରେ ଆସାମର ହାରାହାରି ମତଦାନ ହାର ୮୨%ରୁ ଅଳ୍ପ ଅଧିକ ରହିଛି। କିନ୍ତୁ ୭ ଆସନ ଏମିତି ବି ଅଛି, ଯେଉଁଠି ମୁସଲମାନ ଭୋଟର ୯୦%ରୁ ଅଧିକ ଭୋଟ ଦେଇଛନ୍ତି। ଅନ୍ୟ ୩ ଆସନରେ ୮୯%ରୁ ସାମାନ୍ୟ ଅଧିକ ମତଦାନ ରେକର୍ଡ କରାଯାଇଛି। ୨୦୧୬ରେ ଏହି ୧୦ ସିଟ୍‌ ମଧ୍ୟରୁ ୪ଟିକୁ କଂଗ୍ରେସ ଦଖଲ କରିଥିବାବେଳେ ୬ରେ ଏଆଇୟୁଡିଏଫ୍‌ ଜିତିଥିଲା। ସଂଖ୍ୟାଲଘୁ ଛାତ୍ର ନେତା ଓ ଆସାମ ସଂଖ୍ୟାଲଘୁ ଛାତ୍ର ସଂସଦ (ଏଏମ୍‌ଏସ୍‌ୟୁ୍‌)ର ପୂର୍ବତନ ଉପଦେଷ୍ଟା ଅଜିଜୁର ରହମାନ ଏଥର ନାଓବୋଇଚା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ତାଙ୍କ ମତରେ ଭୋଟ ଗ୍ରହଣ ଦିନ ଅନ୍ୟ ସମ୍ପ୍ରଦାୟର ଭୋଟରଙ୍କ ତୁଳନାରେ ମୁସଲମାନ ଭୋଟର ଅଧିକ ସଂଖ୍ୟାରେ ପୋଲିଂ ବୁଥ୍‌କୁ ଧାଇଁଥାଆନ୍ତି। କାରଣ ଭୋଟ ଦେଇ ନ ଗଲେ ଭୋଟର ଲିଷ୍ଟରେ ସେମାନଙ୍କୁ ‘ଡି ଭୋଟର’ ଆଖ୍ୟା ଦିଆଯିବ ବୋଲି ମୁସଲମାନମାନେ ଭୟରେ ରହିଥାଆନ୍ତି।

Share