ଆଜି ୨,୨୫୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ପୁରୀ ଅଫିସ,୧୮।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ୨ୟ ପର୍ଯ୍ୟାୟ ମତଦାନ ହେବ। ନିମାପଡ଼ା ବ୍ଲକର ୩୨ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୪୮୧ଟି ୱାର୍ଡ, ୪ଟି ଜିଲା ପରିଷଦ ଜୋନ ଓ ଗୋପ ବ୍ଲକ୍‌ର ୩୧ଟି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ, ୪୫୯ଟି ୱାର୍ଡ, ୪ଟି ଜିଲା ପରିଷଦ ଜୋନ ନିମନ୍ତେ ମତଦାନ ହେବ। ନିମାପଡ଼ାରେ ୧୦୦ଜଣ ସରପଞ୍ଚ, ୯୩ଜଣ ସମିତି ସଭ୍ୟ, ୯୦୭ଜଣ ୱାର୍ଡ ମେମ୍ବର, ୧୮ଜଣ ଜିଲା ପରିଷଦ, ଗୋପ ବ୍ଲକ୍‌ରେ ୧୦୩ ସରପଞ୍ଚ, ୧୦୧ ସମିତି ସଭ୍ୟ, ୯୧୭ ୱାର୍ଡମେମ୍ବର, ୧୮ ଜିଲା ପରିଷଦଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ନିମାପଡ଼ା ବ୍ଲକ୍‌ର ୧ ଲକ୍ଷ ୫୭ ହଜାର ୭୩୬ ଜଣ ଭୋଟର, ଗୋପର ୧ ଲକ୍ଷ ୪୫ ହଜାର ୭୯୧ ଜଣ ଭୋଟରଙ୍କୁ ମିଶାଇ ସମୁଦାୟ ୩ ଲକ୍ଷ ୩ ହଜାର ୫୨୭ ଜଣ ଭୋଟର ମତଦାତା ମତାଧିକାର ସାବ୍ୟସ୍ତ କରିବେ। ଏଥିଲାଗି ନିମାପଡ଼ା ପାଇଁ ୩୩ଜଣ ଓ ଗୋପ ପାଇଁ ୩୦ଜଣ ସେକ୍ଟର ଅଫିସର ନିଯୁକ୍ତ ହୋଇଥିଲେ। ଉଭୟ କେନ୍ଦ୍ରରେ ୨୧୯ (୧୧୩ଟି ଗୋପ)ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି।
ବ୍ଲକ୍‌ର ୩ ନମ୍ବର ୱାର୍ଡ, ନିମାପଡ଼ାର ତେରୁଣ୍ଡିଆ ପଞ୍ଚାୟତର ୧୬ ନମ୍ବର ୱାର୍ଡକୁ ପିଙ୍କ୍‌ ବୁଥ୍‌ ଭାବେ ପ୍ରସ୍ତୁତ କରାଯାଉଛି। ଯେଉଁଠାରେ ମତଦାନ ପରିଚାଳନା ନିମନ୍ତେ ସମସ୍ତ କର୍ମଚାରୀ ଓ ଅଧିକାରୀ ମହିଳା ରହିବେ। ପୋଲିଂ ପାର୍ଟିମାନେ ବୁଧବାରଠାରୁ ସମ୍ପୃକ୍ତ ବ୍ଲକ୍‌ରେ ପହଞ୍ଚିସାରିଥିବା ବେଳେ ମତଦାନ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି। ଶୁକ୍ରବାର ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ହେବ। ଆସନ୍ତା ୨୬ରେ ଭୋଟଗଣତି ହେବ। ଅବାଧ ଓ ନିରପେକ୍ଷ ମତଦାନ ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ପ୍ରଥମ ପର୍ଯ୍ୟାୟ ଭୋଟ କାଁ ଭାଁ କିଛି ସ୍ଥାନ ବ୍ୟତୀତ ଅନ୍ୟ ସବୁଠି ମତଦାନ ଶାନ୍ତିପୂର୍ଣ୍ଣ ଥିଲା ଓ ଆଗାମୀ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ସୁରକ୍ଷା ଉପରେ ଧ୍ୟାନ ଦିଆଯାଉଛି ବୋଲି ଜିଲାପାଳ ସମର୍ଥ ବର୍ମା କହିଛନ୍ତି। ସମ୍ବେଦନଶୀଳ ବୁଥ୍‌ରେ ଅତିରିକ୍ତ ଫୋର୍ସ, ପ୍ରତି ବୁଥ୍‌ରେ ଜଣେ ଲେଖାଏ ପୋଲିସ କର୍ମଚାରୀ, ମୋବାଇଲ୍‌ ଭ୍ୟାନ୍‌ ସହ ପ୍ରତି କ୍ଲଷ୍ଟରରେ ପୋଲିସ୍‌ ଅଧିକାରୀଙ୍କ ନିଯୁକ୍ତି ଉପରେ ଧ୍ୟାନ ଦିଆଯାଇଛି। ସେହିଭଳି ୩ଜଣ ଡିଏସ୍‌ପି ଓ ୨ ଅତିରିକ୍ତ ଏସ୍‌ପି ମଧ୍ୟ ଦାୟିତ୍ୱରେ ରହିଛନ୍ତି। ବିଶେଷ ଭାବେ ପ୍ରଥମ ପର୍ଯ୍ୟାୟ ମତଦାନରେ କଣାସ, ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଭଳି ସ୍ଥାନରେ ହିଂସା ଦେଖାଦେଇଥିବା ହେତୁ ପୋଲିସ ପ୍ରଶାସନ କଡ଼ା ସୁରକ୍ଷା ନେଇ ସମସ୍ତ ଫୋକସ୍‌ ଦେଉଛି ବୋଲି ଏସ୍‌ପି କନୱର ବିଶାଲ ସିଂ କହିଛନ୍ତି।

Share