୧୬୩ ଜୋନ୍‌ରେ ଚାଲିଛି ମତଦାନ

ଭୁବନେଶ୍ୱର,୨୨ା୨(ବ୍ୟୁରୋ): ଚଳିତ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ମଙ୍ଗଳବାର ଆରମ୍ଭ ହୋଇଯାଇଛି। ଏହି ପର୍ଯ୍ୟାୟରେ ୨୭ ଜିଲାର ୬୪ ବ୍ଲକ ୧୬୩ ଜିଲା ପରିଷଦ ଜୋନ୍‌ର ୧୨୫୪ଟି ପଞ୍ଚାୟତରେ ଭୋଟ ଗ୍ରହଣ ହେବ। ଏଥିପାଇଁ ୧୭୦୮୯ଟି ବୁଥ୍‌ରେ ୫୧ ଲକ୍ଷ ୩୧ ହଜାର ୭୨୭ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ।

୧୬୩ ଜିଲା ପରିଷଦ ଜୋନ୍‌ରେ ମୋଟ ୬୬୭ ଜଣ ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଦିନ ୧ଟା ଯାଏ ଚାଲିବ। ନିର୍ବାଚନରେ ହେଉଥିବା ଗଣ୍ଡଗୋଳକୁ ଦେଖି ଆଇନଶୃଙ୍ଖଳା କଡ଼ାକଡ଼ି କରିବାକୁ ପୋଲିସ ମହାନିର୍ଦ୍ଦେଶକଙ୍କୁ ରାଜ୍ୟ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ସମ୍ବେଦନଶୀଳ ବୁଥ୍‌ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ୩ଟି ପର୍ଯ୍ୟାୟ ନିର୍ବାଚନ ହିଂସାକୁ ଦେଖି ଏହି ପର୍ଯ୍ୟାୟ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ୨୫୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହିତ ରାଜ୍ୟରେ ୧୪୭୩ ମୋବାଇଲ ପାଟ୍ରୋଲିଂ ଟିମ୍‌କୁ ନିୟୋଜିତ କରାଯାଇଛି। ଚଳିତ ନିର୍ବାଚନ ସୁରକ୍ଷା ଦାୟିତ୍ୱରେ ମୋଟ ୩୭,୨୪୫ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି।

 

Share