ଭୋଟ୍‌ ଦେଉଛି ଓଡ଼ିଶା: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର,୧୩ା୫: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ଚତୁର୍ଥ ପର୍ଯ୍ୟାୟ ପାଇଁ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏସବୁ ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ମତଦାନ ଆରମ୍ଭ ହୋଇଛି। ଏହି ଅବସରରେ ସମ୍ପୂର୍ଣ୍ଣ ଉତ୍ସାହ ମଧ୍ୟରେ ଭୋଟ୍‌ ଦେଉଛି ଓଡ଼ିଶା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମତ ପ୍ରକାଶ କରିଛନ୍ତି। ଏହି ୪ ସଂସଦୀୟ କ୍ଷେତ୍ରରେ ୭୩୦୩ ମତଦାନ କେନ୍ଦ୍ରରେ ଲୋକେ ମତଦାନ କରୁଛନ୍ତି। ଯେଉଁ ଯେଉଁ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଦେଖା ଦେଇଛି ସବୁ ସ୍ଥାନରେ ତୁରନ୍ତ ୩୦ ମିନିଟ୍‌ ମଧ୍ୟରେ ଅତିରିକ୍ତ ଇଭିଏମ୍‌ର ବ୍ୟବସ୍ଥା କରାଯାଉଛି। ତେଣୁ ବ୍ୟସ୍ତ ନ ହୋଇ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳା ସହ ମତଦାନ କରିବା ପାଇଁ ଧଳ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ମାଲକାନଗିରିର ସ୍ବାଭିମାନ ଅଞ୍ଚଳରେ ସାଧାରଣ ନିର୍ବାଚନ-୨୦୧୯ରେ ବିଏସ୍‌ଏଫ୍‌ କ୍ୟାମ୍ପ୍‌ରେ ମତଦାନ କରିଛନ୍ତି। ଲୋକେ ଏଇଥର ନିଜ ନିଜ ବୁଥ୍‌ରେ ମତଦାନ କରୁଛନ୍ତି । ଅନ୍ୟ ସମସ୍ତ ଅଞ୍ଚଳରେ ମଧ୍ୟ ସମସ୍ତେ ମତଦାନ କରିବାକୁ ନିର୍ବାଚନ ଅଧିକାରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟ ପୋଲିସ ନୋଡାଲ ଅଧିକାରୀ ସଞ୍ଜୟ କୁମାର ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଚାଲିଥିବା ନେଇ ସୂଚନା ଦେଇଛନ୍ତି।

Share