Categories: ଜାତୀୟ

ମତଦାନ ସମୟ ଘଣ୍ଟାଏ ବଢ଼ିବ

ନୂଆଦିଲ୍ଲୀ,୯।୧(ପି.ଟି.): କୋଭିଡ୍‌ ସଂକ୍ରମଣ ବଢ଼ୁଥିବା ସତ୍ତ୍ୱେ ନିର୍ଦ୍ଧାରିତ ସମୟରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ କରାଇବା ପାଇଁ ନିର୍ବାଚନ କମିଶନ ନିଷ୍ପତ୍ତି ନେବା ସହ ଶନିବାର ତାରିଖ ଘୋଷଣା କରିଛନ୍ତି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକରେ ଗହଳି ହ୍ରାସ ଲାଗି ବୁଥ୍‌ ସଂଖ୍ୟା ବଢ଼ାଯିବା ସହ ପ୍ରତି ବୁଥ୍‌ରେ ୧,୨୫୦ ଭୋଟର ମତଦାନ କରିବା ବ୍ୟବସ୍ଥା ହୋଇଛି। ସେହିପରି ମତଦାନ ସମୟକୁ ମଧ୍ୟ ଘଣ୍ଟାଏ ବଢ଼ାଇ ଦିଆଯାଇଛି।

ସଂକ୍ରମଣରୁ ସୁରକ୍ଷିତ ରହିବା ଲାଗି ପ୍ରତି ମତଦାନ କେନ୍ଦ୍ରରେ ହ୍ୟାଣ୍ଡ ସାନିଟାଇଜର, ଫେସ୍‌ମାସ୍କ ଏବଂ ଥର୍ମାଲ ସ୍କାନର ରହିବ। ବୁଥ୍‌ଗୁଡ଼ିକ ବିଲ୍ଡିଂର ତଳ ମହଲାରେ ହେବ ଏବଂ ସେଠାରେ ସଂକ୍ରମଣ ନିରୋଧୀ ସମସ୍ତ ପଦକ୍ଷେପ ନିଆଯିବ। ୮୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ଭୋଟର ପୋଷ୍ଟାଲ ବାଲାଟରେ ଭୋଟ ଦେଇପାରିବେ। ଜାନୁୟାରୀ ୧୫ ପର୍ଯ୍ୟନ୍ତ ବାଇକ୍‌ କିମ୍ବା ସାଇକେଲ ରାଲି, ପଦଯାତ୍ରା ଓ ରୋଡ୍‌ ଶୋ’କୁ ନିଷେଧ କରାଯାଇଛି। କୋଭିଡ୍‌ ଗାଇଡ୍‌ଲାଇନର ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ନିର୍ବାଚନ ଡ୍ୟୁଟିରେ ଯୋଗଦେବାକୁ ଥିବା ସମସ୍ତ କର୍ମଚାରୀ କୋଭିଡ୍‌ ଟିକାର ଦୁଇଟି ଡୋଜ୍‌ ନେଇଥିବାବେଳେ ସେମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ବିବେଚନା କରାଯାଇ ପ୍ରିକଶନ ଡୋଜ୍‌ ଦିଆଯିବ। ପ୍ରାର୍ଥୀମାନଙ୍କୁ ଅନ୍‌ଲାଇନରେ ନାମାଙ୍କନପତ୍ର ଦାଖଲ କରିବା ଲାଗି ବିକଳ୍ପ ବ୍ୟବସ୍ଥା ରହିବ। ସେହିପରି ଭୋଟ ଫଳାଫଳ ଘୋଷଣା ପରେ ବିଜୟ ଉତ୍ସବ ମନାଇବାକୁ ଅନୁମତି ଦିଆଯିବ ନାହିଁ। ପ୍ରଚାର ବେଳେ ରାଲି ପାଇଁ ଯଦି ଅନୁମତି ଦିଆଯାଏ ତେବେ ସେଥିପାଇଁ କୋଭିଡ୍‌ ଗାଇଡ୍‌ଲାଇନ ଅନୁପାଳନ କରାଯିବାକୁ ବାଧ୍ୟତାମୂଳକ କରାଯିବ। ସେହିପରି ପ୍ରାର୍ଥୀଙ୍କ ଦ୍ୱାରା ଘରକୁ ଘର ଯାଇ ପ୍ରଚାର ବେଳେ ଗୋଟିଏ ଟିମ୍‌ରେ ସର୍ବାଧିକ ୫ ଜଣଙ୍କୁ ଅନୁମତି ମିଳିବ। ୫ ରାଜ୍ୟରେ ମୋଟ ୧୮.୩୪ କୋଟି ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବାକୁ ଥିବାବେଳେ ସେମାନଙ୍କ ମଧ୍ୟରୁ ମହିଳା ଭୋଟରଙ୍କ ସଂଖ୍ୟା ୮.୫୫ କୋଟି। ଏଥର ୨୪.୯ ଲକ୍ଷ ନୂଆ ଭୋଟର ସାମିଲ ହୋଇଛନ୍ତି। ପ୍ରତି ନିର୍ବାଚନ ମଣ୍ଡଳୀରେ ଅନୂ୍ୟନ ଗୋଟିଏ ମତଦାନ କେନ୍ଦ୍ର କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳନା କରାଇବାକୁ ନିର୍ବାଚନ କମିଶନ ବିଚାର କରୁଛନ୍ତି। ୬୯୦ ନିର୍ବାଚନ ମଣ୍ଡଳୀରେ ଏଭଳି ୧୬୨୦ ବୁଥ୍‌ ଚିହ୍ନଟ କରାଯାଇଛି।

Share