Categories: ଜାତୀୟ

ରାମ ମନ୍ଦିରରେ କେଉଁ ମୂର୍ତ୍ତି ପାଇବ ପୂଜା, ଆଜି ହେବ ଭୋଟିଂ

ନୂଆଦିଲ୍ଲୀ, ୨୯ା୧୨: ବହୁ ଚର୍ଚ୍ଚିତ ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କର କେଉଁ ମୂର୍ତ୍ତି ପୂଜା ପାଇବ ସେ ନେଇ ଶୁକ୍ରବାର ମତଦାନ ହେବ। ଫଳରେ ଭଗବାନ ରାମଙ୍କର କେଉଁ ମୂର୍ତ୍ତି ଏଠାରେ ପୂଜା ପାଇବ ତାହାର ପ୍ରତୀକ୍ଷା ଶେଷ ହେବ। ଜାନୁୟାରୀ ୨୨ ତାରିଖରେ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଥିବାରୁ ମୂର୍ତ୍ତି ଚୟନ ପାଇଁ ଏହି ଗୁରୁତ୍ୱପୂର୍ଣ ନିଷ୍ପତି ପାଇଁ ମତଦାନ କରାଯାଉଛି।

ସୂଚନା ଅନୁଯାୟୀ ରାମ ମନ୍ଦିର ନିର୍ମାଣ ଓ ପରିଚାଳନା ଦାୟିତ୍ୱରେ ଥିବା ଟ୍ରଷ୍ଟ ଶ୍ରୀ ରାମ ଜନ୍ମଭୂମି ତିର୍ଥ ତୀର୍ଥ କ୍ଷେତ୍ରର ବୈଠକରେ ରାମଲାଲାଙ୍କ ପ୍ରତିମୂର୍ତ୍ତିକୁ ନେଇ ମତଦାନ କରାଯିବ। ବିଭିନ୍ନ କାରିଗରଙ୍କ ଦ୍ୱାରା ନିର୍ମିତ ତିନୋଟି ମୂର୍ତ୍ତିର ଡିଜାଇନ୍ ଟେବୁଲ ଉପରେ ରଖାଯିବ। ସର୍ବାଧିକ ଭୋଟ ପାଇଥିବା ପ୍ରତିମା ଜାନୁୟାରୀ ୨୨ ରେ ମନ୍ଦିରର ଅଭିଷେକ ସମୟରେ ସ୍ଥାପନ ହେବ। ଟ୍ରଷ୍ଟ ସଚିବ ଚମ୍ପତ ରାୟ ବୁଧବାର କହିଛନ୍ତି ଯେ ପାଞ୍ଚ ବର୍ଷର ପ୍ରଭୁ ରାମଙ୍କ କୋମଳତାକୁ ପ୍ରତିଫଳିତ କରୁଥିବା ୫୧ ଇଞ୍ଚ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତିକୁ ତିନୋଟି ଡିଜାଇନରୁ ଚୟନ କରାଯିବ।

ଏହାରି ମଧ୍ୟରେ, ଶ୍ରୀ ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନିପେନ୍ଦ୍ର ମିଶ୍ର ଗୁରୁବାର ଦିନ ବରିଷ୍ଠ ଜିଲା ଅଧିକାରୀଙ୍କ ସହ ରାମ ଜନ୍ମଭୂମି ପଥ ଏବଂ ପ୍ରାଙ୍ଗଣରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଆସନ୍ତା ମାସରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଯୋଧ୍ୟା ଗସ୍ତର ଦୁଇ ଦିନ ପୂର୍ବରୁ ଏହି ଯାଞ୍ଚ କରାଯାଇଥିଲା।

ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରୁଥିବା ନିପେନ୍ଦ୍ର ମିଶ୍ର କହିଛନ୍ତି ଯେ, କାର‌୍ୟ୍ୟକୁ ତରତରିଆ ଭାବରେ କରାଯାଉନାହିଁ, ବରଂ ପର୍ଯ୍ୟାପ୍ତ ସମୟ ନେଇ ଏହା ଗୁଣାତ୍ମକ ଢଙ୍ଗରେ କରାଯାଉଛି। ମନ୍ଦିରର ନିର୍ମାଣ କାର୍ଯ୍ୟକୁ ତିନୋଟି ପର୍ଯ୍ୟାୟ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହେବ, ଦ୍ୱିତୀୟ ପର୍ଯ୍ୟାୟ ଜାନୁଆରୀରେ ଶେଷ ହେବ, ଯେତେବେଳେ ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ହେବ। ସେହିଭଳି ତୃତୀୟ ପର୍ଯ୍ୟାୟ ମନ୍ଦିରର ଜଟିଳ ନିର୍ମାଣ କାର୍ଯ୍ୟ ସାମିଲ ରହିଛି।

Share