
ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ): ୨୦୨୫-୨୬ବର୍ଷ ପାଇଁ ଶନିବାର ଭୁବନେଶ୍ୱର ବାର୍ ଆସୋସିଏଶନ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଆରମ୍ଭ ହୋଇଛି। ଶନିବାର ସକାଳ ୭ଟା ୩୦ରୁ ଭୋଟିଂ ଆରମ୍ଭ ହୋଇଯାଇଥିବାବେଳେ ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଭୁବନେଶ୍ୱର ବାର୍ ଆସୋସିଏଶନଠାରେ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଆସୋସିଏଶନର ସଦସ୍ୟମାନେ ଧାଡ଼ିରେ ଆସି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଉଛନ୍ତି। ଅପରାହ୍ନ ୪ଟାରୁ ଭୋଟ୍ ଗଣତି ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।
ଚଳିତ ବର୍ଷ ମୋଟ ୨୫ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବାବେଳେ, ୪୧୦୫ ଜଣ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସଭାପତି ଏବଂ ଉପସଭାପତି ପଦ ପାଇଁ ୩ଜଣ ଲେଖାଏ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ୱିତା କରୁଛନ୍ତି। ଅଶୋକ କୁମାର ଛୋଟରାୟ, ଅଶୋକ କୁମାର ପାତ୍ର ଏବଂ ନନ୍ଦ ନନ୍ଦନ ଶତପଥୀ ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ଉପସଭାପତି ପଦ ପାଇଁ କବୀନ୍ଦ୍ର କୁମାର ବାରିକ, ରବି ପ୍ରସାଦ ନାୟକ, ସୁକାନ୍ତ ଚନ୍ଦ୍ର ଦାସ ପ୍ରତିଦ୍ବନ୍ଦ୍ୱିତା କରୁଛନ୍ତି।
ସେହିପରି ସମ୍ପାଦକ ପଦ ପାଇଁ ୨ଜଣ ପ୍ରାର୍ଥୀ ମନୋଜ ନାୟକ, ସତ୍ୟ ରଞ୍ଜନ ସେନାପତି, ଯୁଗ୍ମ ସମ୍ପାଦକ ପାଇଁ ଭାଗ୍ୟବତୀ ରାଉତରାୟ ଏବଂ ରଶ୍ମୀରଞ୍ଜନ ମହାନ୍ତି, ସହ ସମ୍ପାଦକ ପଦପାଇଁ ଜ୍ୟୋତିର୍ମୟୀ ପଣ୍ଡା, ରଶ୍ମିଭୂଷଣ ମୁଖୀ, ସତ୍ୟ ପ୍ରକାଶ ଶତପଥୀ, କୋଷାଧ୍ୟକ୍ଷ ଭାବେ ଦୀପ୍ତିପ୍ରକାଶ ନନ୍ଦ ଏବଂ ହିତେନ ନାୟକ ପ୍ରତିଦ୍ବନ୍ଦ୍ୱିତା କରୁଛନ୍ତି। ସେହିପରି କାର୍ଯ୍ୟକାରୀ ସଦସ୍ୟ ପଦ ପାଇଁ ୧୦ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ତେବେ କାର୍ଯ୍ୟକାରୀ ସଦସ୍ୟ ଭାବେ ୧୦ଜଣ ମଧ୍ୟରୁ ୮ଜଣଙ୍କୁ ମନୋନୀତ କରାଯିବ ବୋଲି ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ଭୋଟ୍ ଗ୍ରହଣ ପାଇଁ ମୋଟ୍ ୧୦ଟି ବୁଥ୍ କରାଯାଇଛି। ନିର୍ବାଚନ କାର୍ଯ୍ୟ ତଥା ଭୋଟ୍ ଗଣତି ପାଇଁ ୩୩ ଜଣ ଆଇନଜୀବୀ ନିୟୋଜିତ ହୋଇଛନ୍ତି। ସେହିପରି ବାହାରେ ୨୦ଜଣ ଆଇନଜୀବୀ ଚିର୍କୁଟ୍ ଦେବାକୁ ଓ ୨୦ଜଣ ସହଯୋଗ କରିବାକୁ ରହିଛନ୍ତି।
ସୂଚନାଯୋଗ୍ୟ, ଶନିବାର ରାଜ୍ୟର ୧୫୭ଟି ଓକିଲ ସଂଘର ନିର୍ବାଚନ ଏକ ସଙ୍ଗେ ଅନୁଷ୍ଠିତ ହେଉଛି। ଓ୍ବାନ ବାର୍, ଓ୍ବାନ୍ ଭୋଟ୍, ଓ୍ବାନ୍ ଇଲେକ୍ସନ ଆଧାରରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଜଣେ ଆଇନଜୀବୀ କେବଳ ଗୋଟିଏ ବାରରେ ହିଁ ଭୋଟ୍ ଦେଇପାରିବେ।
ସେହିପରି କଟକ ବାର୍ ଆସୋସିଏଶନରେ ମଧ୍ୟ ମତଦାନ ଜାରି ରହିଛି।