ଭିଏସ୍‌ଏସ୍‌ ନଗର ମାର୍କେଟ, ଏକାମ୍ରକାନନ ପାର୍କ ସିଲ୍‌

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ଦିନକୁ ଦିନ ବେପରୁଆ ହୋଇ ପଡୁଛନ୍ତି ରାଜଧାନୀବାସୀ। ହାଟ, ବଜାରରେ ଭିଡ଼ କରୁଛନ୍ତି। ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଓ ପୋଲିସ ପକ୍ଷରୁ ମିଳିତ ଭାବେ ବିଭିନ୍ନ ହାଟବଜାରରେ ଚଢ଼ାଉ କରାଯାଇଥିଲା। ଭିଏସ୍‌ଏସ୍‌ ନଗର ମାର୍କେଟରେ କୋଭିଡ୍‌ ନିୟମ ଉଲ୍ଲଂଘନ ହେଉଥିବାରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସିଲ୍‌ କରାଯାଇଛି। ସେହିପରି ଉତ୍ତର ଜୋନ୍‌ରେ ଥିବା ୬ଟି ଦୋକାନକୁ ସିଲ୍‌ କରାଯାଇ ୧୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିଭଳି ଦକ୍ଷିଣ ପଶ୍ଚିମ ଜୋନ୍‌ରେ ଥିବା ବଡଗଡ ହାଟ, ଶହୀଦ ନଗର ହାଟ, ଝାରପଡା ହାଟ, ୟୁନିଟ-୧ ଓ ୟୁନିଟ-୪ ହାଟ ଅଞ୍ଚଳରେ ମିଳିତ ଟିମ୍‌ ବୁଲି ବୁଲି ବ୍ୟବସାୟୀ ଓ ଗ୍ରାହକଙ୍କୁ ସାମାଜିକ ଦୂରତା ସହ କୋଭିଡ୍‌ ଗାଇଡ୍‌ ଲାଇନ୍‌କୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି। ବିଏମ୍‌ସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ଓ ଏସିପି ରଜତ ରାୟଙ୍କ ତତ୍ତ୍ୱାବଧାନରେ ଏହି ଚଢାଉ କରାଯାଇଥିଲା।
ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ଜୋନ୍‌ରେ ଥିବା ଏକାମ୍ର କାନନ ପାର୍କକୁ ମଧ୍ୟ ବିଏମ୍‌ସି ପକ୍ଷରୁ ସିଲ୍‌ କରାଯାଇଛି। ଏକାମ୍ର କାନନ ବଟାନିକାଲ ଗାର୍ଡେନ୍‌ରେ ଅଧିକ ଜନସମାଗମ ହେଉଥିବା ଅଭିଯୋଗ ପାଇବା ପରେ ବିଏମ୍‌ସି ପକ୍ଷରୁ ଏଠାରେ ଚଢାଉ କରାଯାଇ ପଦକ୍ଷେପ ନିଆଯାଇଥିଲା।

Share