ରାଜୀବ କୁମାର ନାୟକ
ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ଏକ ଛୋଟ ଗାଁ ବାବୁପାଲି । ଏହି ଗାଁର ଗୌଡ଼ଗୋଠରେ ବାସ କରନ୍ତି ସୁନୀତା ଭୋଇ,ଆକାଶ ଗୁରୁ,ଦୁର୍ଯ୍ୟୋଧନ ଭୋଇ ଏବଂ ବେଣୁଧର ପୋଢ଼। ସମସ୍ତଙ୍କର ବୟସ ପାଖାପାଖି ୧୬ । ଏମାନଙ୍କ ମଧ୍ୟରୁ ଆକାଶ ଏବଂ ଦୁର୍ଯ୍ୟୋଧନ ଅନୁସୂଚିତ ଜନଜାତି ବର୍ଗର ହୋଇଥିବା ବେଳେ ସୁନୀତା ଏବଂ ବେଣୁଧର ପଛୁଆବର୍ଗର। ସୁନୀତାଙ୍କ ପରିବାରରେ ବାପା,ମାଆ,ତାଙ୍କଠୁ ୨/୩ ବର୍ଷ ବଡ଼ ଜଣେ ଭଉଣୀ ଏବଂ ଠିକ୍ ସେହିପରି ୨/୩ ବର୍ଷ ସାନ ଆଉ ଜଣେ ଭଉଣୀ। ବଡ଼ ଭଉଣୀ ଅଷ୍ଟମ ପାସ୍କରି ବିଡି ତିଆରିକରି ପରିବାର ପ୍ରତିପୋଷଣ କରୁଛନ୍ତି। ଆକାଶଙ୍କ ପରିବାର କହିଲେ ତାଙ୍କ ମାଆ, ୨ ବଡ଼ଭାଇ, ଜଣକୁ ୨୨ ଏବଂ ଅନ୍ୟ ଜଣେ ୧୯ ବର୍ଷର। ବଡ଼ଭାଇ ବାହାହୋଇ ସାରିଥିବାବେଳେ ତାଙ୍କର ବର୍ଷକର ପୁଅଟିଏ। ଉଭୟ ଭାଇ ସପ୍ତମ ଶ୍ରେଣୀ ଯାଏଁ ପଢ଼ିଥିବାବେଳେ ତାଙ୍କର ଜମି ବୋଲି ମାତ୍ର ୨ ଏକର, ଯଦିଓ ବର୍ଷ ସାରା ଖାଇବା ଗଣ୍ଡାକ ଏଥିରୁ ମିଳିଯାଏ। ବେଣୁଧରଙ୍କ ପରିବାରରେ କେବଳ ମାଆ ପୁଅ ୨ଜଣ,ଜମି ବୋଲି ମାତ୍ର ଅଧା ଏକର। ତେଣୁ ଦିନମଜୁରି ହିଁ ଏକମାତ୍ର ଭରସା। ଦୁର୍ଯ୍ୟୋଧନଙ୍କର ବାପା ନ ଥିବାବେଳେ ମାଆ, ବଡ଼ଭାଇ,ଭାଉଜ ତଥା ସେମାନଙ୍କର ଛୋଟ ପିଲାଟିଏ ଅଛି। ଚାଷଜମି ଏକରେରୁ କମ୍। ତେଣୁ ମାଆ ବିଡ଼ି ତିଆରିକୁ ମୁଖ୍ୟ ରୋଜଗାରର ପନ୍ଥା ରୂପେ ବାଛିନେଇଥିବାବେଳେ ବଡ଼ଭାଇ ମୂଲ ଲାଗି ପରିବାର ପ୍ରତିପୋଷଣ କରନ୍ତି। ସୁନୀତା ,ଆକାଶ ,ଦୁର୍ଯ୍ୟୋଧନ ଏବଂ ବେଣୁଧର ଏହି ୪ ଜଣ ଯାକ ୨୦୨୧ରେ ମାଟ୍ରିକ୍ ପାସ୍ କରି ପାରିବାରିକ ଅସୁବିଧା କାରଣରୁ ଉଚ୍ଚଶିକ୍ଷା ଗ୍ରହଣ ନ କରି ପରିବାରକୁ ସହଯୋଗ କରିବାକୁ ଅଣ୍ଟା ଭିଡ଼ନ୍ତି। ପୁଅ ପିଲା ୩ ଜଣ ଦିନମଜୁରିକୁ ଆପଣେଇ ନେଇଥିବାବେଳେ ସୁନୀତା ଗାଁରୁ ୩୫ କି.ମି.ଦୂର ସମ୍ବଲପୁରର ଏକ କପଡ଼ା ଦୋକାନରେ କାମ କରନ୍ତି। ଗାଁରେ କାର୍ଯ୍ୟରତ କେତେଜଣ ସ୍ବେଚ୍ଛାସେବୀଙ୍କ ନଜରକୁ ଏହା ଆସିବା ପରେ ସେମାନେ ଏହି ୪ଜଣ ଯାକ କିପରି ପୁନର୍ବାର ପାଠପଢ଼ା ଜାରି ରଖିବେ ସେହି ଚିନ୍ତାରେ ଲାଗି ପଡ଼ନ୍ତି। ତେଣୁ ସେମାନଙ୍କର ନାମଲେଖା ଖର୍ଚ୍ଚ ବହନ ସହିତ ବହିପତ୍ର ଯୋଗାଇଦେବାର ପ୍ରତିଶ୍ରୁତି ଦେଇ କେନ୍ଦ୍ର ସରକାରଙ୍କ ତରଫରୁ ଆରମ୍ଭ କରାଯାଇଥିବା ପତ୍ର ବିନିମୟ ଶିକ୍ଷା ଏନ୍ଆଇଓଏସ୍ରେ ନାମ ଲେଖାଇ ଦିଅନ୍ତି। ବର୍ତ୍ତମାନ ଏହି ୪ଜଣ ଆତ୍ମନିର୍ଭରଶୀଳ ହେବା ସହ ଯୁକ୍ତ ୨ ପାଠପଢ଼ା ମଧ୍ୟ ଜାରି ରଖିଛନ୍ତି। ଏହି ସଫଳ କାହାଣୀଟି ଅନ୍ୟମାନଙ୍କ ପାଇଁ ଉଦାହରଣ।
ସରକାର ଗୋଟିଏ ଦିଗରେ ବାଲ୍ୟବିବାହ ବନ୍ଦକରିବା ସକାଶେ ଝିଅ ଏବଂ ପୁଅ ଉଭୟଙ୍କର ବିବାହ ବୟସ ୨୧କୁ ବୃଦ୍ଧି କରିବାକୁ ପ୍ରୟାସ ଆରମ୍ଭ କରିଦେଇଥିବା ବେଳେ ସେମାନେ ପାଠପଢ଼ାରେ କିପରି ବାନ୍ଧିହୋଇ ରହିବେ ସେ ଦିଗରେ ପଦକ୍ଷେପ ନେଉନାହାନ୍ତି। ଅନ୍ୟ ଦିଗରେ ବାବୁପାଲି ଭଳି ଗାଁରେ ମାତ୍ର ପଞ୍ଚମ ଶ୍ରେଣୀ ଯାଏଁ ପଢ଼ିବାର ବ୍ୟବସ୍ଥା ଥିବାବେଳେ ବାହାରେ ପୁଅଝିଅଙ୍କୁ ହଷ୍ଟେଲ ବା ମେସ୍ରେ ରଖି ପାଠପଢ଼ାଇବା ସବୁ ବାପାମାଆଙ୍କ ପକ୍ଷେ ସମ୍ଭବ ନୁହେଁ। ତା’ ବାଦ୍ ବଢ଼ିଲା ଝିଅଙ୍କୁ ବାହାରେ ରଖିବାକୁ ଅନେକ ପରିବାର ଅସୁରକ୍ଷିତ ମଣନ୍ତି। ଜାତିସଂଘର ଶିଶୁ ଅଧିକାର ସମ୍ପର୍କିତ ସମ୍ମିଳନୀ ୧୯୮୯ ଅନୁଯାୟୀ ଶିଶୁ କହିଲେ ୧୮ ବର୍ଷ ତଳକୁ ଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ବୁଝାଏ। ତେଣୁ ଏହାର ଏକ ପ୍ରମୁଖ ସ୍ବାକ୍ଷରକାରୀ ହିସାବରେ ଭାରତ ଏହାକୁ ଆଖି ଆଗରେ ରଖି ବାଲ୍ୟବିବାହ ନିରୋଧ ଆଇନ, ଶିଶୁ ଶ୍ରମିକ( ନିରୋଧ ଏବଂ ନିୟନ୍ତ୍ରଣ) ଆଇନ ଇତ୍ୟାଦି ପ୍ରଣୟନ କରିଛି। ଶିଶୁ ଶ୍ରମିକ (ନିରୋଧ ଏବଂ ନିୟନ୍ତ୍ରଣ) ଆଇନ ୨୦୧୬ ଅନୁଯାୟୀ ୧୪ ବର୍ଷ ତଳକୁ କେବଳ ପାରିବାରିକ ବ୍ୟବସାୟ,କୌଳିକ ବୃତ୍ତିରେ ସହଯୋଗ କରିବା ତଥା ସିନେମା ଇତ୍ୟାଦିରେ ଅଭିନୟ କରିବାକୁ ଅନୁମତି ପ୍ରଦାନ କରିଅଛି। ଠିକ୍ ସେହିଭଳି ପ୍ରଥମ ଥର ସକାଶେ ୧୪ରୁ ୧୮ ବର୍ଷ ବୟସର ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏହି ଆଇନ ପରିସରଭୁକ୍ତ କରାଯାଇଥିବା ବେଳେ ଆଇନରେ ମାତ୍ର ତିନୋଟି ବିପଦପୂର୍ଣ୍ଣ କ୍ଷେତ୍ରରେ କାମ କରିବାକୁ ବାରଣ କରାଯାଇଛି। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଦ୍ୱାରା କିଛିଦିନ ପୂର୍ବରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୧୫ରୁ ୧୮ ବର୍ଷ ମଧ୍ୟରେ ପାଠ ଛାଡ଼ିଥିବା ବା ଆଦୌ ପାଠ ପଢ଼ି ନ ଥିବା ବାଳିକାମାନଙ୍କ ମଧ୍ୟରୁ ଶତକଡ଼ା ୬୫ ଭାଗ ଘରୋଇ କାମରେ ନିୟୋଜିତ। ଉଭୟ ବାଳକ ଓ ବାଳିକାଙ୍କ ସଂଖ୍ୟା ଦେଖିଲେ ଏହାର ପରିମାଣ ଆହୁରି ଅଧିକ ହେବ। ରିପୋର୍ଟ ଆଧାରରେ ୧୫-୧୮ ବର୍ଷ ବୟସର ୩୯.୪ ପ୍ରତିଶତ କିଶୋରୀ ଏବଂ ୩୫ ପ୍ରତିଶତ କିଶୋର କୌଣସି ଶିକ୍ଷାନୁଷ୍ଠାନ ବା ତାଲିମ କେନ୍ଦ୍ରରେ ନାହାନ୍ତି। ତେଣୁ କପଡ଼ା ଦୋକାନରେ କାମ କରିବା ବା ବିପଦପୂର୍ଣ୍ଣ କ୍ଷେତ୍ର ଛାଡ଼ି ଦିନମଜୁରିିଆ ଭାବେ କାମ କରିବାକୁ ଯଦିଓ ମନା କରାଯାଇ ନ ଥିବା ଆଇନକୁ ତର୍ଜମା କଲେ ସ୍ପଷ୍ଟ ହେଉଛି ତଥାପି ଏଭଳି ସ୍ଥଳେ ଶିଶୁର ସଂଜ୍ଞାକୁ ପ୍ରାଥମିକତା ଦେଇ ପାଠ ଛାଡ଼ିଦେଇଥିବା ୧୫ରୁ ୧୮ ବର୍ଷ ବୟସର ବ୍ୟକ୍ତିବିଶେଷଙ୍କୁ ବୁଝେଇ ଶୁଝେଇ ପୁନର୍ବାର ଶିକ୍ଷାୟତନକୁ ଫେରାଇବା ଶିଶୁ ଅଧିକାର ସୁରକ୍ଷା ଦିଗରେ ଆଉ ଏକ ଫର୍ଦ୍ଦ ଯୋଡ଼ିହେଲା ବୋଲି ନିଶ୍ଚିତ ଭାବରେ କୁହାଯାଇପାରେ। କିଶୋର ନ୍ୟାୟ (ଯତ୍ନ ଏବଂ ସୁରକ୍ଷା) ଅଧିନିୟମ ୨୦୧୫ରେ ପ୍ରାବଧାନତା ଅନୁଯାୟୀ ଆଫ୍ଟର କେୟାର ମାଧ୍ୟମରେ ଶିଶୁଯତ୍ନ ଅନୁଷ୍ଠାନ ଛାଡୁଥିବା ୧୮ରୁ ୨୧ ବର୍ଷର ପିଲାମାନଙ୍କୁ ବୈଷୟିକ ତାଲିମ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି; ଯଦ୍ଦ୍ବାରା ସେମାନେ ନିଯୁକ୍ତି ପାଇପାରିବେ। ଆହୁରି ମଧ୍ୟ ଅନୁଷ୍ଠାନ ଛାଡ଼ିବାକୁ ଥିବା ଶିଶୁମାନଙ୍କୁ ଆଖି ଆଗରେ ରଖି ୧୮ ବର୍ଷ ପୂର୍ବରୁ ଅନୁଷ୍ଠାନରେ ରହଣି ସମୟରେ ଯେତେଦୂର ସମ୍ଭବ ଭୋକେଶନାଲ/ବୈଷୟିକ ତାଲିମ ପ୍ରଦାନ କରାଯିବା ଫଳରେ ସେମାନେ ୧୮ ବର୍ଷରେ ଅନୁଷ୍ଠାନ ଛାଡ଼ିବା ବେଳକୁ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇପାରୁଥିବେ। ବର୍ତ୍ତମାନର ଏହି ପୁନଶ୍ଚ ଶିକ୍ଷା ଗ୍ରହଣ ଦ୍ୱାରା କେବଳ ଆନୁଷ୍ଠାନିକ ଯତ୍ନ କାହିଁକି ବରଂ ଅଣ-ଆନୁଷ୍ଠାନିକ ଯତ୍ନ କ୍ଷେତ୍ରରେ ମଧ୍ୟ ଶିଶୁ ଅଧିକାର ସୁରକ୍ଷା ଦିଗରେ ଆଉ ପାଦେ ଆଗକୁ ବୋଲି କୁହା ଯାଇପାରେ। ପ୍ରଧାନମନ୍ତ୍ରୀ ଦକ୍ଷତା ବିକାଶ ଯୋଜନାରେ ୨୦୨୦ ସୁଦ୍ଧା କୋଟିଏ ଯୁବକ ଯୁବତୀଙ୍କୁ ଦକ୍ଷତା ବୃଦ୍ଧି ସକାଶେ ଲକ୍ଷ୍ୟ ରଖାଯାଇଥିବା ସ୍ଥଳେ ଦୀନ୍ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା,ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ କେନ୍ଦ୍ର ଇତ୍ୟାଦି ମାଧ୍ୟମରେ ସିଲେଇ,କମ୍ପ୍ୟୁଟର ଭଳି ବିଭିନ୍ନ ବିଷୟରେ ତାଲିମର ବ୍ୟବସ୍ଥା ଯଦିଓ ଅଛି ତଥାପି ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିବିଶେଷଙ୍କ ପାଇଁ କେବଳ ସମସ୍ତ ସୁବିଧା ରହିଛି। ଆଉ ମଧ୍ୟ ଭାରତରେ ମୋଟ ଜନସଂଖ୍ୟାର ୨୦ ବର୍ଷରୁ କମ୍ ବୟସ୍କଙ୍କ ସଂଖ୍ୟା ୪୧ ପ୍ରତିଶତ ହୋଇଥିବାବେଳେ କେବଳ ୧୪-୧୮ ବର୍ଷ ବୟସ ଗୋଷ୍ଠୀର କିଶୋର କିଶୋରୀଙ୍କ ସଂଖ୍ୟା ୫୦ କୋଟି। ତେଣୁ ମାଟ୍ରିକ ପରେ ପାଠରେ ଡୋରି ବାନ୍ଧି ଦେଉଥିବା ହଜାର ହଜାର ପିଲାଙ୍କୁ ପାଠ ପଢ଼ାକୁ ଫେରାଇପାରିଲେ ଗୋଟିଏ ଗୁଳିରେ ଦୁଇଟି ଶିକାର ହୋଇପାରିବ,ଯଥା ଶିଶୁ ୧୮ ବର୍ଷରେ ପଦାର୍ପଣ ନ କରିବା ପର୍ଯ୍ୟନ୍ତ ଶ୍ରମିକ ହିସାବରେ କାମ କରିବେ ନାହିଁ ଏବଂ ବିବାହ ବୟସକୁ ଟାଳି ଦିଆଯାଇପାରିବ।
ତେଣୁ ସରକାର ଯଦି ବାବୁପାଲି ଭଳି ଉଦାହରଣ ସବୁ ଏକତ୍ରକରି ନିଜ ନୀତିରେ ସୁଧାର ଆଣନ୍ତେ ଏବଂ କେବଳ ତିନୋଟି କ୍ଷେତ୍ରକୁ ୧୪ରୁ ୧୮ ବର୍ଷ ପିଲାଙ୍କୁ ବାରଣ କରିବା ପରିବର୍ତ୍ତେ ୧୮ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ଶିଶୁ ଶ୍ରମିକ ହିସାବରେ କାମ କରିବାକୁ ନିଷେଧ କରନ୍ତେ ଆମେ ଆହୁରି ମାତ୍ରାରେ ଉପତ୍ାଦନକ୍ଷମ ନାଗରିକ ସୃଷ୍ଟି କରିପାରନ୍ତେ।
ମୋ-୯୪୩୭୫୭୧୮୩୧