କେସିଙ୍ଗା,୬ା୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଚାଞ୍ଚର ଗ୍ରାମର ମୁଖ୍ୟ ଜାତୀୟ ରାଜପଥ ୨୬ ପାର୍ଶ୍ୱରେ ତତ୍କାଳୀନ ସରକାର ଥିବାବେଳେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରୁ ଏକ ବସ୍ ଷ୍ଟପେଜ୍ ଗତ ୮.୧୧.୨୩ରେ ନିର୍ମାଣ କାର୍ଯ୍ୟଆରମ୍ଭ ହୋଇ ସମ୍ପୂର୍ଣ୍ଣ ଶେଷ ହୋଇନାହିଁ। ଆଜକୁ ଏକ ବର୍ଷ ଚାରିମାସ ବିତିଗଲାଣି ଶ୍ରମିକ, ମିସ୍ତ୍ରୀ, ସେଟ୍ରିଂ ବାଲା, ଠିକାଦାରଙ୍କ ସମୁଦାୟ ୨ ଲକ୍ଷ ୭୭ ହଜାର ପାରିଶ୍ରମିକ ଓ ସାମଗ୍ରୀ ବାବଦକୁ ମିଳି ନ ଥିବାରୁ କେସିଙ୍ଗା ବିଡିଓଙ୍କ ନିକଟରେ ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଶ୍ରମିକମାନେ କେସିଙ୍ଗା ବ୍ଲକ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନିରାଶ ହୋଇଗଲେଣି। ଯଦିଓ ଆସନ୍ତା ୧୫ଦିନ ମଧ୍ୟରେ ସମସ୍ତ ପାରିଶ୍ରମିକ ଟଙ୍କା ନ ମିଳିଲେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଶ୍ରମିକ, ମିସ୍ତ୍ରୀମାନେ ଚେତାବନୀ ଦେଇଛନ୍ତି। ପରିଶେଷରେ ଜିଲାପାଳଙ୍କୁ ଗତ ୧୯ ସେପ୍ଟେମ୍ବର ୨୪ରେ ଜିଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ପାରିନାହିଁ। ବ୍ଲକର କନିଷ୍ଠ ଯନ୍ତ୍ରୀ ଜୟଶ୍ରୀ ସନ୍ଧ୍ୟାଙ୍କ ନାମରେ ଉକ୍ତ ବସ୍ ଷ୍ଟପେଜ ବାବଦକୁ ଗତ ୪.୯.୨୪ ରେ ୪ଲକ୍ଷ ୪୩ହଜାର ୯୬୩ ଟଙ୍କା ବିଲ୍ ଭାଉଚର୍ କରି ଟଙ୍କା ଉଠାଯାଇଥିବାର ପେମେଣ୍ଟ ଭାଉଚରରେ ଉଲ୍ଲେଖ ରହିଛି। ଆଜକୁ ଏକ ବର୍ଷ ୪ ମାସ ବିତିଗଲାଣି ଶ୍ରମିକ,ମିସ୍ତ୍ରୀ,ଠିକାଦାର ଟଙ୍କା ପାଇ ନାହାନ୍ତି। ନିଜେ କନିଷ୍ଠ ଯନ୍ତ୍ରୀ ଠିଆ ହୋଇ ବସ ଷ୍ଟପେଜ କାମ କରାଇଛନ୍ତି। ଉକ୍ତ ବସ୍ ଷ୍ଟପେଜର ସମ୍ପୂର୍ଣ୍ଣ କାମ କରା ନ ଯାଇ ଟଙ୍କା ଉଠା ଯାଇଛି। ବ୍ଲକ ପ୍ରଶାସନ ଓ କନିଷ୍ଠ ଯନ୍ତ୍ରୀଙ୍କ ମିଳିତ ଉଦ୍ୟମରେ ଉକ୍ତ ଟଙ୍କା ଆତ୍ମସାତ କରିଥିବାର ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଜୟଶ୍ରୀ ସନ୍ଧ୍ୟାଙ୍କୁ ପଚାରିବାରୁ ମୁଁ କୌଣସି ଲେବରଙ୍କୁ ଚିହ୍ନି ନାହିଁ, ମୁଁ ସୁପରଭିଜନ କରି ପେମେଣ୍ଟ କରିଛି ବୋଲି ପ୍ରକାଶ କରିଥିଲେ। ଏ ନେଇ କେସିଙ୍ଗା ବିଡିଓ ସିଦ୍ଧେଶ୍ୱର ମେହେରଙ୍କୁ ପଚାରିବାରୁ ମୁଁ ତଦନ୍ତ କରିବି ବୋଲି ପ୍ରକାଶ କରିଛନ୍ତି।