କଥାରେ ଅଛି ଅପେକ୍ଷାର ଫଳ ମିଠା। ଦେଖୁନାହାନ୍ତି, ବେଶ୍ କିଛି ମାସ ଅପେକ୍ଷା କରିବା ପରେ କେମିତି ସେ ଖୁସିରେ ଉଛୁଳୁଛନ୍ତି। କାରଣ କ’ଣ ଜାଣନ୍ତି ? ଯେଉଁ ସିନେମାକୁ ନେଇ ସେ କେତେ ସ୍ବପ୍ନ ଦେଖିଥିଲେ ତାହା ଶେଷରେ ରିଲିଜ ହେବାକୁ ଯାଉଛି। ସେ ନାୟିକା ଜଣକ ହେଲେ କିଆରା ଆଡଓ୍ବାନୀ। କରୋନା ମହାମାରୀ ପାଇଁ ବେଶ୍ କିଛି ମାସ ଧରି ବଲିଉଡ୍ରେ ସବୁ ଯେମିତି ଠପ୍ ହୋଇଯାଇଥିଲା। ହେଲେ ଅନଲକ୍ ପରେ କୋଭିଡ୍ ଗାଇଡ୍ଲାଇନ୍ ପାଳନ କରି ଏବେ ହିନ୍ଦୀ ସିନେମାର ଶୁଟିଂ ଜୋର୍ସୋର୍ରେ ଚାଲିଛି। ତା’ସହ ଓଟିଟି ଫର୍ମାଟରେ ହିନ୍ଦୀ ଫିଲ୍ମ ରିଲିଜ ହେଉଛି। ଯେହେତୁ ପ୍ରେକ୍ଷାଳୟ ବନ୍ଦ ରହିଛି ତେଣୁ ପ୍ରଯୋଜକମାନେ ଏହି ପ୍ରଣାଳୀକୁ ଆପଣେଇ ନେଇଛନ୍ତି। ସେହି ଧାରାରେ କିଆରାଙ୍କ ଅଭିନୀତ ‘ଲକ୍ଷ୍ମୀ ବମ୍’ଫିଲ୍ମ ମଧ୍ୟ ରିଲିଜ ହେବ। ଅର୍ଥାତ୍, କୋଭିଡ୍ ପରେ ଏହା ତାଙ୍କର ପ୍ରଥମ ରିଲିଜ ହେଉଥିବା ଚଳଚ୍ଚିତ୍ର। ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି କିଆରା। ଏ ସମ୍ପର୍କରେ ସେ କହନ୍ତି, ”ଏହି ଫିଲ୍ମରେ ମୋତେ ଯେଉଁ ରୋଲ୍ ମିଳିଛି ତାହା ମୋ କ୍ୟାରିୟରକୁ ନିଶ୍ଚୟ ମାଇଲେଜ ଦେବ। ହେଲେ ସବୁକିଛି ଦର୍ଶକଙ୍କ ଉପରେ ହିଁ ନିର୍ଭର କରେ। ସେମାନେ ଏହି ଫିଲ୍ମକୁ କିପରି ଗ୍ରହଣ କରୁଛନ୍ତି ତାହା ରିଲିଜ ପରେ ହିଁ ଜଣାପଡିବ। ଏବେ ମୋ ହାତରେ ୨-୩ଟି ଅଫର ରହିଛି ଏବଂ ସେଗୁଡିକୁ ଭଲ ଭାବରେ ତର୍ଜମା କରିବା ପରେ ହିଁ ଫାଇନାଲ ଡିସିସନ ନେବି।“