‘ନୂଆ ସୂର୍ଯ୍ୟୋଦୟକୁ ଅପେକ୍ଷା’

ମୁମ୍ବାଇ: କପୁର ପରିବାରରେ ଖୁବ୍‌ଶୀଘ୍ର କୁଆଁକୁଆଁ ଡାକ ଶୁଭିବ। ପ୍ରତୀକ୍ଷାରେ ଅଛନ୍ତି ଏହି ପରିବାର। ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ମା’ ହେବାକୁ ଯାଉଛନ୍ତି। ଏହି ଅଭିନେତ୍ରୀ ମୁମ୍ବାଇର ଏଚ୍‌ଏନ୍‌ ରିଲାଏନ୍ସ ହସ୍ପିଟାଲରେ ପହଞ୍ଚିଛନ୍ତି। ଆଲିଆ ରବିବାର ତାଙ୍କ ସ୍ବାମୀ ତଥା ଅଭିନେତା ରଣବୀର କପୁରଙ୍କ ସହ ଡାକ୍ତରଖାନାରେ ପହଞ୍ଚିଛନ୍ତି। ସେବେଠାରୁ ପ୍ରଶଂସକମାନେ କପୁର ପରିବାରର ନୂତନ ସଦସ୍ୟଙ୍କୁ ସ୍ବାଗତ କରିବାକୁ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି। ଏଥି ସହିତ କପୁର ପରିବାର ଏବଂ ଭଟ୍ଟ ପରିବାରରେ ନୂତନ ଅତିଥିଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଆଲିଆଙ୍କ ପିତା ତଥା ଫିଲ୍ମ ନିର୍ଦ୍ଦେଶକ ମହେଶ ଭଟ୍ଟ ମଧ୍ୟ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି।
ସେ ଗଣମାଧ୍ୟମ ଆଗରେ କହିଛନ୍ତି, ‘ଏକ ନୂଆ ସୂର୍ଯ୍ୟୋଦୟକୁ ଅପେକ୍ଷା କରିଛି’। ଜୀବନର ଏକ ସତେଜ କାକର ବୁନ୍ଦା। ଚଳିତ ବର୍ଷ ଜୁନ୍‌ରେ ଆଲିଆ ତାଙ୍କ ଗର୍ଭଧାରଣ ସମ୍ପର୍କରେ ସୂଚନା ଦେଇଥିଲେ। ସେ ଇନଷ୍ଟାଗ୍ରାମରେ ଏକ ଫଟୋ ଶୟାର କରିଛନ୍ତି। ତା’ପରେ ମହେଶ କହିଥିଲେ, ‘ଓ୍ବାଓ, ମୋ’ ପିଲାଟିଏ ଜନ୍ମ ହେବାକୁ ଯାଉଛି। ରଣବୀର ଏବଂ ଆଲିଆଙ୍କ ପାଇଁ ମୁଁ ଅତ୍ୟନ୍ତ ଖୁସି।

ଆଲିଆ ଏବଂ ରଣବୀର ଚଳିତ ବର୍ଷ ଏପ୍ରିଲ ୧୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟ ନିଜ ବିବାହକୁ ଅତ୍ୟନ୍ତ ବ୍ୟକ୍ତିଗତ ରଖିଥିଲେ। ଯେଉଁଥିରେ କେବଳ କିଛି ଘନିଷ୍ଠ ବ୍ୟକ୍ତି ଏବଂ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ବିବାହର କମ୍‌ଦିନରେ ଆଲିଆ ଗର୍ଭବତୀ ଥିବା ଘୋଷଣା କରିଥିଲେ। ପ୍ରଥମେ ଏହି ଖବର ଦ୍ୱାରା ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିଲେ, କିନ୍ତୁ ପରେ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ଆଲିଆ ଏବଂ ରଣବୀରଙ୍କୁ ଅଭିନନ୍ଦନର ସୁଅ ଛୁଟିଥିଲା। ଗର୍ଭଧାରଣ ଘୋଷଣା ହେବାର କିଛି ସମୟ ପରେ ଆଲିଆ ତାଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପ୍ରମୋଶନରେ ବ୍ୟସ୍ତ ଥିଲେ। ଏହି ସମୟରେ ସମସ୍ତେ ଅଭିନେତ୍ରୀଙ୍କ ମୁହଁରେ ଦେଖାଯାଇଥିବା ଗର୍ଭଧାରଣର ଉଜ୍ଜ୍ୱଳତାକୁ ପ୍ରଶଂସା କରିଥିଲେ।

Share