ଜି.ଉଦୟଗିରି,୨ା୧(ଡି.ଏନ୍.ଏ.):ଜି.ଉଦୟଗିରି ସହରରେ ଚଳିତ ବର୍ଷ ଶୀତ ଲୁଚକାଳି ଖେଳିବା ପରି ମନେହେଉଛି। ରବିବାର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରହିଥିବା ବେଳେ ଶନିବାର ୭.୪ ଡିଗ୍ରୀ ରହିଥିଲା। ଶୁକ୍ରବାର ୬ଡିଗ୍ରୀ ସେଲସିୟସ ରହିଥିଲା ବେଳେ ଗୁରୁବାର ତାପମାତ୍ରା ୧୨ ଡିଗ୍ରୀ ଥିଲା। ଦିନେ ଶୀତ ବଢୁଥିବା ବେଳେ ଦିନେ କମୁଛି। ଅନ୍ୟପଟେ ସିର୍କିି ଇକୋ ପାର୍କ ସର୍ବସାଧାରଣଙ୍କ ପାଇଁ ଖୋଲିବାରେ ବିଳମ୍ବ ହେଉଥିବା ଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଇକୋ ପାର୍କ ଭିତରେ କଟେଜ ନିର୍ମାଣ କରାଗଲେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ଓ ଆୟର ପନ୍ଥା ବଢିବ। ଯା’ଫଳରେ ପାର୍କର ରକ୍ଷଣାବେକ୍ଷଣ ଠିକ ଭାବେ ହୋଇପାରିବ ବୋଲି ଅନେକ ଗାଇଡ କହୁଛନ୍ତି। ପାର୍କରେ ବୋଟିଙ୍ଗ ବ୍ୟବସ୍ଥା ରହିଛି କିନ୍ତୁ ଦୂରରୁ ଆସୁଥିବା ପର୍ଯ୍ୟଟକମାନେ ରହିବା ପାଇଁ କଟେଜ ବ୍ୟବସ୍ଥା ଓ ପାର୍କର ଉନ୍ନତିକରଣ ପାଇଁ ବନ ବିଭାଗର ଅନୁଦାନ ବୃଦ୍ଧି କରାଗଲେ ପାର୍କର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ। ୧ କୋଟି ୨୨ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପାର୍କକୁ ଲୋକଙ୍କ ମନୋରଞ୍ଜନ କରିବା ପାଇଁ ଅଧିକ ଅର୍ଥ ଆବଶ୍ୟକ ବୋଲି ଉଦ୍ୟାନପ୍ରେମୀମାନେ କହୁଛନ୍ତି। ପାର୍କଟି ସର୍ବସାଧାରଣଙ୍କ ପାଇଁ ଅତିଶୀଘ୍ର ଖୋଲାଯିବ ବୋଲି ବନ ବିଭାଗ ଅଧିକାରୀ ମୀନାଖି କୁମୁରା କହିଛନ୍ତି।