Categories: ଜାତୀୟ

ସୀମାରେ ୩୦୦ରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ସୁଯୋଗ ଅପେକ୍ଷାରେ…

ଶ୍ରୀନଗର, ୧୪।୪ : ଜମ୍ମୁ-କଶ୍ମୀର ଉପତ୍ୟକାକୁ ଲାଗିଥିବା ଭାରତ ପାକିସ୍ତାନ ଲାଇନ ଅଫ କଣ୍ଟ୍ରୋଲ (ଏଲ୍‌ଓସି) ରେ ଆତଙ୍କବାଦୀମାନେ ଅନୁପ୍ରବେଶ ପାଇଁ ସୁଯୋଗ ଅପେକ୍ଷାରେ ରହିଛନ୍ତି। ଗୁପ୍ତଚର ଏଜେନ୍ସିର ଇନପୁଟ ଅନୁଯାୟୀ, ଚାରିଟି ଆତଙ୍କବାଦୀ ଲଞ୍ଚ ପ୍ୟାଡ ସୀମା ପାର ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟରେ ଏବେ ସକ୍ରିୟ ହେବାରେ ଲାଗିଛି।

ସେଠାରେ ଉପସ୍ଥିତ ଆତଙ୍କବାଦୀମାନେ ସୁଯୋଗ ପାଇବା ମାତ୍ରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ଗୁପ୍ତଚର ଏଜେନ୍ସିଗୁଡିକ ସୁରକ୍ଷା ବାହିନୀକୁ ଦେଇଥିବା ଇନପୁଟ ଅନୁଯାୟୀ, ସୀମା ପାର୍ଶ୍ୱରେ ଲଞ୍ଚ ପ୍ୟାଡରେ ୩୦୦ରୁ ଅଧିକ ଆତଙ୍କବାଦୀ ଅପେକ୍ଷା କରିଛନ୍ତି। ସେମାନେ କାଶ୍ମୀର ଉପତ୍ୟକାକୁ ଅନୁପ୍ରବେଶ କରିବାର ସୁଯୋଗ ଖୋଜୁଛନ୍ତି।

ସମ୍ପ୍ରତି ବିଏସଏଫର ବରିଷ୍ଠ ଅଧିକାରୀମାନେ ଏଲ୍‌ଓସି ପରିଦର୍ଶନ କରିଛନ୍ତି। କାଶ୍ମୀର ସୀମାନ୍ତ ବିଏସଏଫ ଆଇଜି ରାଜ ବାବୁ ସିଂ କହିଛନ୍ତି ଯେ ବରଫ ତରଳିଯିବା ପରେ ଆମେ ସେହି ଅଞ୍ଚଳ ଉପରେ ନଜର ରଖିଛୁ। ଏଲ୍‌ ଓସିରେ ପାଟ୍ରୋଲିଂ ମଧ୍ୟ ବୃଦ୍ଧି କରାଯାଇଛି । ଦିନରାତି ପାହାଡ ଉପରେ ପାଟ୍ରୋଲିଂ କରାଯାଉଛି। ଏହା ସହିତ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟର କାର୍ଯ୍ୟକଳାପ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଥିବା ସେ କହିଛନ୍ତି।

Share