ସହଦେବ ସାହୁ
ରାଷ୍ଟ୍ରପତି ବାଇଡେନ୍ ବଡ଼ ସହଜରେ କହିଦେଲେ, “ଆଫ୍ଗାନିସ୍ତାନରୁ ୟୁଏସ୍ ଫୋର୍ସକୁ ଫେରାଇଆଣିବା ଯୁକ୍ତିଯୁକ୍ତ; ଯାହା ହୋଇଛି ତାହାଠାରୁ ବେଶି କିଛି ହେବାର ନାହିଁ।” ୨୦ ବର୍ଷ, ୨ ଟ୍ରିଲିଅନ୍ ଡଲାର ଓ ୨୪୪୮ ମାର୍କିନ୍ ସୈନିକଙ୍କ ଜୀବନ: ଆମେରିକା ଯୁକ୍ତରାଷ୍ଟ୍ର କେବଳ ଏତିକି ହରାଇଲା ନାହିଁ, ୪୭,୦୦୦ ବେସାମରିକ ଲୋକଙ୍କ ଜୀବନ ବି ଗଲା। ଏତେ ବୋଝ ବୋହି ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା ଇସ୍ଲାମୀୟ ସନ୍ତ୍ରାସବାଦ ଉପରେ ସାମାନ୍ୟତମ ନିୟନ୍ତ୍ରଣ ପାଇପାରି ନାହଁି। ୨୦ ବର୍ଷ ଧରି କଳବଳ ସବୁ ଲଗାଇ ମଧ୍ୟ ଆମେରିକା ଯାଉଛି ବୋଲି କହିବାର କେଇଟା ଦିନରେ ତାଲିବାନ୍ ସାରା ଆଫ୍ଗାନିସ୍ତାନକୁ ଦଖଲ କରିନେଲା। ‘ତାଲିବାନ୍’ ନ ନେଇଥିଲେ ‘ଭ୍ରଷ୍ଟାଚାର’ ଆଫ୍ଗାନିସ୍ତାନକୁ ରସାତଳକୁ ନେଇଯାଇଥାନ୍ତା। ତାଲିବାନ୍ ବିନା ବାଧାରେ ଆମେରିକା ଛାଡ଼ିଯାଇଥିବା ଅସ୍ତ୍ରଶସ୍ତ୍ର ଗୁଡ଼ାଏ ପାଇଗଲା। ଇତିହାସ କହେ, ଆମେରିକା ଯେଉଁଠି ସାମରିକ ହସ୍ତକ୍ଷେପ କରିଛି; ଏମିତି ଅପମାନଜନକ ପରିସ୍ଥିତିରେ ଘରକୁ ଫେରିଛି।
ଯିଏ ଆମେରିକାକୁ ସାହାଯ୍ୟ କରିଛି, ସିଏ ବି ତାଲିବାନ୍ର କ୍ରୋଧର ଶିକାର ହୋଇଛି। ପ୍ରାୟ ୧୮,୦୦୦ ଆଫ୍ଗାନ୍ ଯେଉଁମାନେ ଆମେରିକାନ୍ମାନଙ୍କ ପାଇଁ କାମ କରୁଥିଲେ; ଇଣ୍ଟରପ୍ରିଟର୍, ଡ୍ରାଇଭର, ଇଞ୍ଜିନିଅର, ସିକ୍ୟୁରିଟି ଗାର୍ଡ, ମରାମତି କର୍ମଚାରୀ, କ୍ଲର୍କ; ସେମାନଙ୍କ ପରିବାର, ପ୍ରାୟ ୭୦,୦୦୦ ଲୋକଙ୍କୁ ଫେରାଇବା ଆରମ୍ଭ ନ କରୁଣୁ ତାଲିବାନ୍ ମାଡ଼ିଆସିଲା। ତଳୁ ଉପରଯାଏ କେହି ଏ ପ୍ରକାରର ସମ୍ଭାବନା ଭାବି ପାରିଲେ ନାହିଁ; ଭିଏତନାମ୍ରେ ୧୯୭୫ରେ ଏମିତି ଘଟିଥିଲା। ୧,୩୦,୦୦୦ ଭିଏତ୍ନାମୀଙ୍କୁ ଆମେରିକାକୁ ଆଣିବାକୁ ପଡ଼ିଲା ସିନା, ପ୍ରେସିଡେଣ୍ଟ ଜେରାଲ୍ଡ ଫୋର୍ଡ ପୁନର୍ବାସନ ବ୍ୟବସ୍ଥା ସୁଚାରୁ ରୂପେ କରିପାରିଲେ ନାହିଁ। କେତେକ ମାର୍କିନ୍ ସମାଲୋଚକ କହୁଛନ୍ତି, ଆମେ ଆଫ୍ଗାନିସ୍ତାନକୁ ଆକ୍ରମଣ କଲୁ, ଏବେ ଆଫ୍ଗାନିସ୍ତାନ ଆମକୁ ଆକ୍ରମଣ କରୁଛି। ଯୁକ୍ତରାଷ୍ଟ୍ର କେବଳ ପୁନର୍ବାସନ କରିବ ନାହିଁ, ରିପାରେଶନ୍ (ଯୁଦ୍ଧ ଯୋଗୁ ହୋଇଥିବା କ୍ଷତିର ଭରଣା ଅର୍ଥ) ଦେବ, ତାହା ହିଁ ତ ପରାସ୍ତ ରାଷ୍ଟ୍ର କରିଥାଏ। ଲୋକଙ୍କୁ ଦିଏ ନାହିଁ, ସରକାରକୁ ଦିଏ।
ଆମେରିକା ଯୁକ୍ତରାଷ୍ଟ୍ର ସାଙ୍ଗରେ ରହିଥିବା କାରଣରୁ ଭାରତ ସଂଘଦୋଷରେ ପୀଡ଼ିତ। ତାଲିବାନ୍ର ଆଚରଣରେ କିଛି ଖୁସି ଖବର ଏଯାଏ ଭାରତ ପାଇନାହିଁ। ତାଲିବାନ୍ ଯାହା କହୁଛି ଓ ଯାହା କରୁଛି, ତା’ ଭିତରେ ବହୁତ ଫାଙ୍କ। ତେଣୁ ପଡ଼ୋଶୀ ରାଷ୍ଟ୍ରମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଉତ୍ତର ଦିଗର ଯେଉଁ ସୀମାନ୍ତ ଆଫ୍ଗାନିସ୍ତାନକୁ ଭାରତ ସହ ଯୋଡ଼ିଥିଲା, ତାହା ତ ପାକିସ୍ତାନ ଚାଇନାକୁ ଦେଇଦେଇଛି, ତାକୁ ଛଡ଼ାଇ ଆଣିବାକୁ ଭାରତ ଯୁଦ୍ଧ ଆରମ୍ଭ କରିବାକୁ ଚାହୁଁନାହିଁ। କାବୁଲ ଅଧିକାର କଲା ପରେ ପରେ ତାଲିବାନ୍ ଖୁବ୍ ସାବଧାନ ସହକାରେ ଘୋଷଣା କରୁଥିଲା ଯେ, ସବୁ ବର୍ଗର ଲୋକଙ୍କୁ ଘେନି ସରକାର ଗଢ଼ିବ। ସେପ୍ଟେମ୍ବର ୨ୟ ସପ୍ତାହରେ ତାଲିବାନ୍ ଯେଉଁ ସରକାର ଗଢ଼ିଲା, ତାହା ଦେଖି ଲୋକେ ଜାଣିଲେ ଯେ ଏ ଏକ କଡ଼ା ତାଲିବାନୀମାନଙ୍କ ସରକାର, କେବଳ ପୁରୁଷମାନଙ୍କ ସରକାର। ତାଙ୍କ ଦେଶର ବଡ଼ ସଂଖ୍ୟାଲଘୁ ସମ୍ପ୍ରଦାୟ, ହାଜରା, ନାରୀମାନଙ୍କ ଭଳି ପ୍ରତିନିଧିତ୍ୱ ପାଇନାହିଁ। ପୁରୁଣା ସରକାରରେ ଯେଉଁମାନେ ଥିଲେ ସେମାନଙ୍କ ଭିତରୁ ଜଣେ ହେଲେ ନାହିଁ। ଏପରିକି ଆଗ ସରକାରର ଯେଉଁ ଓଜନଦାର ଲୋକେ ଗୁଲ୍ବୁଦ୍ଦିନ୍ ହେକ୍ମାତ୍ୟାର୍, ଡଃ ଅବଦୁଲ୍ଲା ଅବଦୁଲ୍ଲା, ହମିଦ୍ କାରଜାଇ ଏବଂ ଓମାର ଜାଖିୱାଲ୍ ସେମାନଙ୍କ ଭିତରୁ ଜଣେ ହେଲେ ନାହିଁ।
ଆମେରିକା ଛାଡ଼ି ପଳାଇଲା ବୋଲି କେବଳ ଇରାନ୍ ବେଶି ଖୁସି ନୁହେଁ, ପାକସ୍ତାନ ବି ଖୁସି। ମନେପକାଇବା କଥା ଯେ, ଆଗର ତାଲିବାନ୍ ସରକାର ସମୟରେ କାବୁଲ୍ରେ ଯେଉଁ ୪ଟା ଏମ୍ବାସି (ରାଷ୍ଟ୍ରଦୂତ ଅଫିସ୍) କାମ କରୁଥିଲା, ତାହା ହେଉଛି ଇରାନ୍, ପାକିସ୍ତାନ, ଚାଇନା ଓ ରୁଷିଆ। ଏବେ ସେହି ୪ଟା ଏମ୍ବାସି କାମ କରୁଛି, କିନ୍ତୁ ସେମାନେ ଆଫ୍ଗାନିସ୍ତାନର ନୂଆ ସରକାରକୁ ସ୍ବୀକୃତି ଦେଇନାହାନ୍ତି। ବଡ଼ କାରଣ ହେଉଛି ଯେ, ଆନ୍ତର୍ଜାତିକ ସ୍ତରରେ ସନ୍ତ୍ରାସବାଦୀ ରୂପେ ଜାତିସଂଘ ନିରାପତ୍ତା ପରିଷଦ ଘୋଷଣା କରିଥିବା ତାଲିବାନୀ ନେତା ଏ ଆଫ୍ଗାନୀ ଇସ୍ଲାମିକ୍ ଏମିରେଟ୍ ସରକାରରେ ଅଛନ୍ତି। ୟୁଏସ୍ ସାମରିକ ବାହିନୀ ଉପରେ ଆକ୍ରମଣ କରିଥିବାରୁ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ କଳା ତାଲିକାରେ ଥିବା କୁଖ୍ୟାତ ସନ୍ତ୍ରାସବାଦୀମାନଙ୍କ ଭିତରୁ କେତେକ ତାଲିବାନ୍ ସରକାର ଗଢ଼ିଛନ୍ତି। ସରକାରର ମୁଖ୍ୟ ମୁଲ୍ଲା ମହମ୍ମଦ ପାସାନ୍ ଅଖୁଣ୍ଡ ତ ଜାତିସଂଘର କଳା ତାଲିକାରେ ଏବଂ ଇଣ୍ଟେରିଅର୍ ମିନିଷ୍ଟର ସିରାଜୁଦ୍ଦିନ୍ ହାକ୍କାନି ତ ଏଫ୍ବିଆଇର ନିରୁଦ୍ଦିଷ୍ଟ ତାଲିକାରେ!
ପୁଣି ଚାଇନାର ରାଗ ଯେ, ଯେଉଁ ଇଷ୍ଟ୍ ଟର୍କେସ୍ତାନ୍ ଇସ୍ଲାମିକ୍ ମୁଭ୍ମେଣ୍ଟ (ଇଟିଆଇଏମ୍) ଚାଇନାର ଉଇଗୁରୁ ସଶସ୍ତ୍ର ବିଦ୍ରୋହୀମାନଙ୍କ ସହ ସମ୍ପର୍କ ରଖିଛି, ତାହାକୁ ତାଲିବାନ୍ ସାହାଯ୍ୟ କରୁଛି। ତାଲିବାନ୍କୁ ତହିଁରୁ ନିବୃତ୍ତ କରିବାକୁ ଗତ ଜୁଲାଇ ୨୮ରେ ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଆଫ୍ଗାନିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ମୁଲ୍ଲା ଅବ୍ଦୁଲ ଗନି ବରଦାରଙ୍କ ସହ ଆଲୋଚନା କରିଥିଲେ। ଚାଇନା-ପାକିସ୍ତାନ ଇକ୍ନମିକ୍ କରିଡର୍ (ସିପିଇସି)ର ପତାକା ତଳେ କାମ କରୁଥିବା ବେଲ୍ଟ ଆଣ୍ଡ୍ ରୋଡ୍ ଇନିସିଏଟିଭ୍ (ବିଆର୍ଆଇ) ଯୋଜନା ଭିତରେ ଆଫ୍ଗାନିସ୍ତାନ ରହିବାକୁ ଚାହୁଁଛି। ପାକିସ୍ତାନ ଚାହୁଁଛି ଆଫ୍ଗାନିସ୍ତାନ ସହ ତାହାର ବାଣିଜ୍ୟ କାରବାର ବଢ଼ୁ, ଆମେରିକା ଆଧିପତ୍ୟ ଥିବା ବେଳେ ୭୯୦ ମିଲିଅନ୍ ଡଲାର୍ ହୋଇଥିଲା (ଆଗରେ ୨ ବିଲିଅନ୍ ଥିଲା)ା ଆଫ୍ଗାନିସ୍ତାନ ଅସ୍ଥିର ହେଲେ ପାକିସ୍ତାନର ସୀମା ସନ୍ତ୍ରାସବାଦୀମାନଙ୍କ କ୍ରୀଡ଼ାକ୍ଷେତ୍ର ହୋଇପଡ଼ିବ। ତେଣୁ ପାକିସ୍ତାନରେ ଶିୟା-ସୁନ୍ନି ବିବାଦ ବଢ଼ିବ ବୋଲି ପାକିସ୍ତାନ ସତର୍କ ରହୁଛି। ତେହରିକ୍-ଇ-ତାଲିବାନ୍ ପାକିସ୍ତାନ (ଟିଟିପି) ନାମକ ସଶସ୍ତ୍ର ସନ୍ତ୍ରାସବାଦୀ ସଂସ୍ଥା ସହାୟତାରେ ପ୍ରାୟ ୮୦,୦୦୦ ପାକିସ୍ତାନୀ ନିହତ ହୋଇଛନ୍ତି। ତାହାର ଯେପରି ପୁନରାବୃତ୍ତି ନ ହୁଏ, ସେହି ଲକ୍ଷ୍ୟରେ ପାକିସ୍ତାନ ତାଲିବାନ୍ ସରକାରକୁ ସାହାଯ୍ୟ କରୁଛି, ସ୍ବୀକାର ବି କରିଛି। ଆଫ୍ଗାନିସ୍ତାନର ବଡ଼ ପଡ଼ୋଶୀ ରାଷ୍ଟ୍ର ରୁଷିଆ ଚିନ୍ତିତ ଯେ ଆଫ୍ଗାନିସ୍ତାନର ଇସ୍ଲାମ ଏମିରେଟ୍ ଅସ୍ଥିର ହୋଇ ରହିଲେ ରୁଷିଆର ସେଣ୍ଟ୍ରାଲ୍ ଏସିଆନ୍ ମୈତ୍ର ରାଷ୍ଟଗୁଡ଼ିକରେ, ବିଶେଷତଃ ତାଜିକ୍ସ୍ତାନ୍, ଉଜ୍ବେକିସ୍ତାନ ଓ ଟର୍କମେନିସ୍ତାନରେ ଗଣ୍ଡଗୋଳ ବଢ଼ିବ; ତେଣୁ ସେ ତାଲିବାନକୁ ସ୍ବୀକୃତି ଦେଉଛି।
କିନ୍ତୁ ସେତକ ସ୍ବୀକୃତି ଯଥେଷ୍ଟ ନୁହେଁ ବୋଲି ତାଲିବାନ୍ ପରିଚାଳିତ ଇସ୍ଲାମିକ୍ ଏମିରେଟ୍ ଚାହୁଁଛି ପୃଥିବୀର ସବୁ ଦେଶ, ଅନ୍ତତଃ ଅଧିକାଂଶ ରାଷ୍ଟ୍ର ତାଙ୍କୁ ସ୍ବୀକାର କରନ୍ତୁ। କାରଣ ବୈଧତା, ସମ୍ମାନ ଓ ବାଣିଜ୍ୟ ପାଇଁ ତାହା ଦରକାର। ଦେଶ-ଦେଶ ଭିତରେ ସମ୍ପର୍କକୁ ୧୯୩୩ର ମଣ୍ଟେଭିଡିଓ କନଭେନ୍ସନ୍ ଅନ୍ ଦି ରାଇଟ୍ସ ଆଣ୍ଡ ଡ୍ୟୁଟିଜ୍ ଅଫ୍ ଷ୍ଟେଟ୍ସ ନିୟନ୍ତ୍ରିତ କରିଥାଏ। କିନ୍ତୁ ଯେଉଁ ଯୁକ୍ତରାଷ୍ଟ୍ର ଆମେରିକା ‘ଦି ଇସ୍ଲାମିକ୍ ଏମିରେଟ୍ ଅଫ୍ ଆଫ୍ଗାନିସ୍ତାନ’କୁ ସ୍ବୀକୃତି ଦେଉନାହିଁ, ସେହି ୟୁଏସ୍ କାତାର ରାଜଧାନୀ ଦୋହାଠାରେ ତାଲିବାନ୍ମାନଙ୍କ ସହ ସମ୍ଝୌତା କଲା ଯେ ସେମାନେ ଶାନ୍ତିପୂର୍ଣ୍ଣ ଭାବରେ ଆଫ୍ଗାନିସ୍ତାନକୁ ଆସନ୍ତୁ। ଅଥଚ ଯେଉଁମାନେ ଆମେରିକା ପ୍ରଭାବରେ ଶାସନ କରୁଥିଲେ, ସେମାନେ ତ ଗାଦିରେ ଅଛନ୍ତି, ଦେଶାନ୍ତର ପଳାୟନ କରିନାହାନ୍ତି। ତାଲିବାନକୁ ସ୍ବୀକାର କରୁଛ, କିନ୍ତୁ ତା’ ସରକାରକୁ ନୁହେଁ: ଏ ଅଜବ କାରବାର ଭାରତ ସରକାରକୁ ଅଡ଼ୁଆରେ ପକାଇଛି।
ଅନ୍ତର୍ଜାତୀୟ ରାଜନୀତି ଓ ପାୱାର ପ୍ଲେ ଯୋଗୁ ଏମିତି କେତେ ଦେଶ ଅଛନ୍ତି, ଯେଉଁମାନେ ସାର୍ବଭୌମତ୍ୱ ଜାହିର କରୁଛନ୍ତି; କିନ୍ତୁ ସେମାନଙ୍କୁ ଅନ୍ୟ ଦେଶଗୁଡ଼ିକ ସ୍ବୀକାର କରୁନାହାନ୍ତି। ଜାତିସଂଘର ସଭ୍ୟପଦ ଏ ସମସ୍ୟାର ସମାଧାନ ନୁହେଁ। କାରଣ ଜାତିସଂଘ ତ ଗୋଟିଏ ରାଷ୍ଟ୍ର ନୁହେଁ ଯେ ଅନ୍ୟ ରାଷ୍ଟ୍ରକୁ ସ୍ବୀକୃତି ଦେବ? ତାଇୱାନ୍ ଜାତିସଂଘର ମେମ୍ବର ନୁହେଁ, କିନ୍ତୁ ତାକୁ ବହୁତ ରାଷ୍ଟ୍ର ସ୍ବୀକାର କରନ୍ତି। ଭେନେଜୁଏଲା ମେମ୍ବର, କିନ୍ତୁ ତାର ନିକୋଲାସ୍ ମଦୁରୋ ସରକାରକୁ ଆମେରିକା ସ୍ବୀକାର କରେ ନାହିଁ। ମ୍ୟାନ୍ମାର୍ ଦେଶ ମେମ୍ବର, କିନ୍ତୁ ଫେବୃୟାରୀରେ କ୍ଷମତା ଦଖଲ କରିଥିବା ମିଲିଟାରୀ ଯନ୍ତାର ସରକାର ସ୍ବୀକୃତି ହରାଇଛି। ବର୍ଣ୍ଣବିଦ୍ୱେଷ ନୀତି ଯୋଗୁ ଦକ୍ଷିଣ ଆଫ୍ରିକା ୧୯୭୪ରେ ଜାତିସଂଘରେ ତା’ର ଆସନ ହରାଇଲା। ୨୦ ବର୍ଷ ପରେ ଆପାରଥେଡ୍ ଉଠିଗଲା ପରେ ଆସନ ଫେରିପାଇଲା। ପ୍ରତି ବର୍ଷ ଆରମ୍ଭରେ ସାଧାରଣ ଆସେମ୍ବ୍ଲି ଏକ ୯-ମେମ୍ବରବାଲା କ୍ରିଡେନ୍ସିଆଲ୍ କମିଟି ନିଯୁକ୍ତ କରେ, ତାହାର କାମ ହେଲା ପ୍ରତି ରାଷ୍ଟ୍ରଦୂତ ପ୍ରକୃତ (ବୋନାଫାଇଡ୍) ତ ତାହା ପରୀକ୍ଷା କରେ, କେବେକେବେ ମାସ ମାସ ନେଇଥାଏ।
ଏ ପରିସ୍ଥିତିରେ ଶହ ଶହ କୋଟି ଟଙ୍କାର ପ୍ରକଳ୍ପମାନ ଚାଲୁ କରିଥିବା ଭାରତ ଜଳକା ହୋଇ ଚାହିଁରହିଛି। ସଡ଼କ, ସ୍କୁଲ୍, ହସ୍ପିଟାଲ୍, ନଦୀବନ୍ଧ ଓ ଆହୁରି ଅନେକ ଜରୁରୀ କାମ ହାତକୁ ନେଇଥିଲା। ତାଲିବାନ୍ମାନଙ୍କର ଆଚରଣ କଶ୍ମୀରରେ ହିଂସାକାଣ୍ଡ ବଢ଼ାଉଛି ବୋଲି ଭାରତର ଆଶଙ୍କା। ରାଷ୍ଟ୍ରଦୂତାବାସର ସମସ୍ତ କର୍ମଚାରୀ ଓ ଆଫ୍ଗାନିସ୍ତାନରେ ଥିବା ଭାରତୀୟ ନାଗରିକମାନଙ୍କୁ ଫେରାଇ ଆଣିଛି। ତେଣୁ ଏକମାତ୍ର ବିକଳ୍ପ ହେଉଛି ଅପେକ୍ଷା କରିବା କେବେ ଆଫ୍ଗାନିସ୍ତାନରେ ସ୍ଥିରତା ଆସିଯିବ ତ ଭାରତ ସରକାର କଥାର୍ବାର୍ତ୍ତା ଆରମ୍ଭ କରିବେ। କାତାର ସରକାରଙ୍କ ନିମନ୍ତ୍ରଣ ଯୋଗୁ ମୋଦି ସରକାର ଦୋହାଠାରେ ରିଜିଓନାଲ୍ ଟକ୍ରେ ଯୋଗ ଦେଇଥିଲେ, କିନ୍ତୁ ବଡ଼ ବଡ଼ ରାଷ୍ଟ୍ରଗୁଡ଼ିକ ଭାରତକୁ ପଚାରୁନଥିଲେ। ତେଣୁ ଆମେ ଜଳକା ହୋଇ ଚାହିଁରହିବା ଛଡ଼ା ଆଉ କ’ଣ କରିପାରିବା?
sahadevas@yahoo.com