ନୂଆଦିଲ୍ଲୀ,୪ା୪:ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ପାରମ୍ପରିକ ଭାବେ ମୁସଲମାନ ଭୋଟ ବ୍ୟାଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ। କେନ୍ଦ୍ରର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ସରକାରରେ ସାମିଲ ଥିବା ଏହି ୨ ସହଯୋଗୀ ଦଳ ଏକକ ଦଓ୍ବୋନୀ ସଂହିତା (ୟୁସିସି) ସମେତ ମୁସଲମାନଙ୍କ ସ୍ବାର୍ଥରକ୍ଷା କଥା ଉଠିଲେ ଭାଜପାଠାରୁ ଭିନ୍ନମତ ପୋଷଣ କରିଥାଆନ୍ତି। ତେବେ ଓ୍ବକ୍ଫ ସଂଶୋଧନ ବିଲ୍ ପ୍ରସଙ୍ଗରେ ଭାଜପା ଉଭୟ ଟିଡିପି ଏବଂ ଜେଡିୟୁର ସମର୍ଥନ ହାସଲ କରିବାରେ କିପରି ସକ୍ଷମ ହେଲା ସେନେଇ ବର୍ତ୍ତମାନ ଚର୍ଚ୍ଚା ଜାରି ରହିଛି।
ଟିଡିପି ଏବଂ ଜେଡିୟୁ ବିବାଦୀୟ ଓ୍ବକ୍ଫ ସଂଶୋଧନ ବିଲ୍କୁ ସମର୍ଥନ କରିବା ରାଜନୈତିକ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି କରିଛି। ୨୦୨୪ ଅଗଷ୍ଟରେ ଲୋକ ସଭାରେ ଓ୍ବକ୍ଫ ବିଲ୍ ଆଗତ କରାଯିବା ପୂର୍ବରୁ କେନ୍ଦ୍ରର ବରିଷ୍ଠ ମନ୍ତ୍ରୀମାନେ ଏହାର ଗୁରୁତ୍ୱ ସମ୍ପର୍କରେ ୨ ଦଳକୁ ଅବଗତ କରାଇଥିଲେ। ସେମାନେ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି ଏବଂ ଜୟନ୍ତ ଚୌଧରୀଙ୍କ ରାଷ୍ଟ୍ରୀୟ ଲୋକ ଦଳ ସହ ମଧ୍ୟ ପରାମର୍ଶ କରିଥିଲେ। ବିରୋଧୀ ଦଳଗୁଡ଼ିକ ଓ୍ବକ୍ଫ ବିଲ୍କୁ ଧ୍ରୁବୀକରଣର ଅସ୍ତ୍ର ଭାବେ ଅଭିହିତ କରୁଥିବାବେଳେ ଭାଜପା ବିଲ୍ର ଆବଶ୍ୟକତା ସମ୍ପର୍କରେ ସହଯୋଗୀ ଦଳଗୁଡ଼ିକୁ ବୁଝାଇଥିଲା। ଏଥିସହ ମୁସଲମାନ ସମ୍ପ୍ରଦାୟର ସ୍ବାର୍ଥ ସୁରକ୍ଷା ଏବଂ ମହିଳାଙ୍କ ଅଧିକାର ସୁନିଶ୍ଚିତ କରାଯିବା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲା। ଓ୍ବକ୍ଫ ସମ୍ପତ୍ତି ଓ ରାଜ୍ୟ ସରକାରଙ୍କ ଅଧିକାରରେ ହସ୍ତକ୍ଷେପକୁ ନେଇ ଅଂଶୀଦାର ଦଳଗୁଡ଼ିକ ଚିନ୍ତାବ୍ୟକ୍ତ କରିବାରୁ ଏହାକୁ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଯାଇଥିଲା। ଜେପିସି ଏଥିରେ ୧୪ଟି ସଂଶୋଧନକୁ ଗ୍ରହଣ କରିଥିଲା। ସଂଶୋଧନ ଭିତରେ ଜେଡିୟୁ ଏବଂ ଡିଟିପିର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଥିଲା। ଜେଡିୟୁ ଜୋର୍ ଦେଇ କହିଥିଲା, ମସ୍ଜିଦ, ଦରଘା ଓ ଅନ୍ୟ ମୁସଲିମ୍ ଧର୍ମପୀଠଗୁଡ଼ିକ ଉପରେ ନୂଆ ଆଇନକୁ ପିଛିଲା ଭାବେ ଲାଗୁକରା ନ ଯାଉ। ସେହିପରି ଟିଡିପି ଓ୍ବକ୍ଫ ସମ୍ପତ୍ତି ଉପରେ ରାଜ୍ୟର ସ୍ବାୟତ୍ତତା ବଜାୟ ରଖିବା ପାଇଁ ଜିଦ୍ ଧରିଥିଲା। ସଂଶୋଧିତ ବିଲ୍ରେ ଏହା ସନ୍ନିବେଶିତ କରାଯାଇଥିବାରୁ ଟିଡିପି, ଜେଡିୟୁ, ଏଲ୍ଜେପି, ଆର୍ଏଲ୍ଡି ଏବଂ ହିନ୍ଦୁସ୍ଥାନ ଆଓ୍ବାମ ମୋର୍ଚ୍ଚା ଉକ୍ତ ବିଲ୍କୁ ସମର୍ଥନ କରିଥିଲେ।