ନିର୍ବାଚନ ରଣନୀତିଜ୍ଞରୁ ନେତା ପାଲଟିଥିବା ପ୍ରଶାନ୍ତ କିଶୋରଙ୍କର ଭାଜପା, କଂଗ୍ରେସ ଓ ତୃଣମୂଳ କଂଗ୍ରେସ ସମେତ ଭାରତର କେତେକ ବୃହତ୍ତମ ରାଜନୈତିକ ଦଳ ସହ କାର୍ଯ୍ୟ କରିବାରେ ଭଲ ରେକର୍ଡ ଅଛି। ଏବେ ତାଙ୍କ ସହ ଅବସରପ୍ରାପ୍ତ ଆଇଏଏସ୍ ଓ ଆଇପିଏସ୍ ଅଧିକାରୀମାନେ ଯୋଗଦେଉଛନ୍ତି। ତାଙ୍କ ଦ୍ୱାରା ବିହାରର ୭ଟି ଜିଲାରେ ଆୟୋଜିତ ଜନ ସୁରଜ ଅଭିଯାନର ଦୀର୍ଘ ପଦଯାତ୍ରା ପରେ କିଛିି ସମ୍ଭାବନା ସୃଷ୍ଟି ହୋଇଛି। କେତେଜଣ ପର୍ଯ୍ୟବେକ୍ଷକ ବିଶ୍ୱାସ କରନ୍ତି ଯେ, ପୁନର୍ବାର ତାଙ୍କ କାର୍ଯ୍ୟକଳାପକୁ ଫେରିବା ପୂର୍ବରୁ ସେ ନିଜକୁ ଉପସ୍ଥାପନ କରିବା ଲାଗି ଉପଯୁକ୍ତ ସୁଯୋଗ ଅପେକ୍ଷାରେ ଥାଇପାରନ୍ତି। ଆଉ ଏକ ସମ୍ଭାବନା ହେଉଛି, କିଶୋର ରାଜନୈତିକ ଅଭିଯାନ ମାଧ୍ୟମରେ ରାଜନୀତିରେ ଜଡ଼ିତ ହେବା ପାଇଁ ନୂଆ ପଥ ସନ୍ଧାନରେ ଥାଇପାରନ୍ତି। ଆର୍.କେ ମିଶ୍ର, ଅଜୟ କୁମାର ଦ୍ୱିବେଦୀ, ଅରବିନ୍ଦ କୁମାର ସିଂ, ଲାଲନ ଯାଦବ, ତୁଳସୀ ହାଜରା, ସୁରେଶ କୁମାର ଏବଂ ଗୋପାଳ ନାରାୟଣ ସିଂ ପ୍ରମୁଖ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀଙ୍କ ଖବର ନିଶ୍ଚିତ କରିଛି ଯେ, କିଶୋର ତାଙ୍କ ପଦଯାତ୍ରା ମାଧ୍ୟମରେ ଲଗାତର ଦୃଷ୍ଟି ଆକର୍ଷଣ କରୁଛନ୍ତି ଓ ଏବେ ବି ତାହା ଜାରି ରହିଛି। ଜନ ସୁରଜ ଅଭିଯାନରେ ଯୋଗ ଦେଇଥିବା ଅବସରପ୍ରାପ୍ତ ୧୨ ଜଣ ଆଇପିଏସ୍ ଅଧିକାରୀଙ୍କ ଯୋଗୁ କିଶୋର ଅଧିକ ଶକ୍ତି ପାଇଛନ୍ତି। ଏହି ଆଇପିଏସ୍ ଅଧିକାରୀମାନଙ୍କ ମଧ୍ୟରେ ରହିଛନ୍ତି ଗୃହରକ୍ଷୀ ବାହିନୀର ପୂର୍ବତନ ଡିଜି ଆର.କେ. ମିଶ୍ର ଅବସରପ୍ରାପ୍ତ ଜେଲ ଡିଜି ଏସ୍.କେ. ପାଶ୍ବାନ, କେ.କେ. ବର୍ମା ଏବଂ କେ.ବି. ସିଂ। ପ୍ରଶ୍ନ ହେଉଛି, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ ଏବଂ ଦୁଇ ପ୍ରମୁଖ ରାଜନୈତିକ ଦଳ ଭାଜପା ଏବଂ ଆର୍ଜେଡିର କଡ଼ା ବିରୋଧୀ ଭାବେ କିଶୋର ଉଭା ହେବେ କି।
ମଣିପୁର ଫେରିଲେ ଜୋଷୀ
ମଣିପୁରରେ ଏବେ ଜାତିଗତ ହିଂସା ଚିନ୍ତାର କାରଣ ପାଲଟିଛି। ଏହି ସମୟରେ ସରକାର ୧୯୯୨ ବ୍ୟାଚ୍ ଆଇଏଏସ୍ ଅଧିକାରୀ ବିନୀତ ଜୋଷୀଙ୍କୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ରାଜ୍ୟର ଚିନ୍ତାଜନକ ସ୍ଥିତିକୁ ଦେଖି ସରକାର ବୃଦ୍ଧି କରାଯାଇଥିବା ଡ. ରାଜେଶ କୁମାରଙ୍କ କାର୍ଯ୍ୟକାଳକୁ ଶେଷ କରିଦେଇଛନ୍ତି। ଚଳିତ ବର୍ଷ ଜାନୁୟାରୀରେ ମୁଖ୍ୟ ଶାସନ ସଚିବ ଭାବେ କୁମାରଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ପାଇଁ ବୃଦ୍ଧି କରାଯାଇଥିଲା। ଏହି ପଦବୀ ଲାଗି ଜୋଷୀ ୩ ଆଇଏଏସ୍ ଅଧିକାରୀ ଏମ୍.ଏଚ୍. ଖାନ୍, ଏ. ମୋସେସ୍ ଛାଲାଇ ଏବଂ ଭି.ଭାଇଫେଇଙ୍କୁ ପଛରେ ପକାଇ ଦେଇଛନ୍ତି। ସୂତ୍ରରୁ ପ୍ରକାଶ, ଆପଏଣ୍ଟମେଣ୍ଟ କମିଟି ଅଫ୍ କ୍ୟାବିନେଟ ସଚିବ ଦୀପ୍ତି ଉମାଶଙ୍କର କହିଛନ୍ତି ଯେ କମିଟି ମୁଖ୍ୟମନ୍ତ୍ରୀ ଏନ୍.ବୀରେନ୍ ସିଂଙ୍କ ଅନୁରୋଧକ୍ରମେ ଜୋଷୀଙ୍କୁ ତାଙ୍କ ମୂଳ କ୍ୟାଡରକୁ ପୁନଃ ପ୍ରତ୍ୟାବର୍ତ୍ତନକୁ ସ୍ବୀକୃତି ଦେଇଥିଲା। ଜୋଷୀ ସେଣ୍ଟ୍ରାଲ ଡେପୁଟେଶନରେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ)ର ନେତୃତ୍ୱ ନେଉଥିଲେ। ସେଣ୍ଟ୍ରାଲ ଡେପୁଟେଶନରେ ଯିବା ପୂର୍ବରୁ ଜୋଷୀ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିଲେ। ଜୋଷୀଙ୍କ ପ୍ରତ୍ୟାବର୍ତ୍ତନର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣା ପଡ଼ି ନ ଥିବାବେଳେ ଏହା ସ୍ପଷ୍ଟ ଯେ, ଏବେ ମଣିପୁରର ଗମ୍ଭୀର ଜାତିଗତ ହିଂସା ସ୍ଥିତିରେ ରାଜନୈତିକ ଓ ସାମାଜିକ ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାର ଅଭିଜ୍ଞ ବାବୁଙ୍କୁ ଫେରାଇ ଆଣିବାର ଆବଶ୍ୟକତା ଉପଲବ୍ଧି କରିଛନ୍ତି। ରାଜନୀତିଜ୍ଞମାନଙ୍କ ଦ୍ୱାରା ଲଗାଯାଇଥିବା ନିଆଁକୁ ଜୋଷୀ ନିର୍ବାପିତ କରିବେ ବୋଲି ଆଶା କରାଯାଉଛି। କେତେଜଣ ବିଶ୍ୱାସ କରନ୍ତି ଯେ, ‘ଡବଲ ଇଞ୍ଜିନ ’ ଭାଜପା ସରକାର ଅବସର ପରେ ଜୋଷୀଙ୍କ ସେବାକୁ ଉପଯୋଗ କରିବାର ପଥ ଆପଣାଇପାରେ।
ଟ୍ୟାଲେଣ୍ଟ ଅଭାବର ସମ୍ଭାବନା
କେବଳ ଗୁଜରାଟ ଆଇଏଏସ୍ ଅଧିକାରୀଙ୍କର ମୋଦି ସରକାରଙ୍କ ସହିତ ଭଲ ସମ୍ପର୍କ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ତାଙ୍କ ରାଜ୍ୟ ପ୍ରତି ଥିବା ମୋହକୁ ଦେଖିଲେ, ସେଣ୍ଟ୍ରାଲ ଡେପୁଟେଶନରେ କାର୍ଯ୍ୟ କରିବା ଦୃଷ୍ଟିକୋଣରୁ ସେହି ରାଜ୍ୟର ଅନ୍ୟ ସର୍ଭିସର ଅଧିକାରୀମାନେ ମଧ୍ୟ ଅନ୍ୟ ରାଜ୍ୟରେ ଥିବା ସେମାନଙ୍କ ସମକକ୍ଷମାନଙ୍କୁ ଟପି ଯାଇଛନ୍ତି। ନିକଟରେ ୩ ଗୁଜରାଟ କ୍ୟାଡର ଆଇପିଏସ୍ ଅଧିକାରୀ ଡେପୁଟେଶନରେ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଓ୍ବିଙ୍ଗ (ଆର୍ ଆଣ୍ଡ୍ ଏଡବ୍ଲ୍ୟୁ)ରେ ଯୋଗ ଦେଇଛନ୍ତି। ଆଉ ଦୁଇଜଣ ଅଧିକାରୀ ମଧ୍ୟ ସରକାରଙ୍କ ସ୍ବୀକୃତି ଅପେକ୍ଷାରେ ଅଛନ୍ତି। ଗୁଜରାଟ ଆଇପିଏସ୍ ଅଧିକାରୀମାନଙ୍କର ଆର୍ ଆଣ୍ଡ୍ ଏଡବ୍ଲ୍ୟୁରେ ପ୍ରବେଶ ମାର୍ଚ୍ଚ ୨୦୨୦ରେ ଆରମ୍ଭ ହୋଇଥିବା ସୂତ୍ରରୁ ଜଣାପଡ଼ିଛି। ସେତେବେଳେ ୨୦୧୦ ବ୍ୟାଚ୍ର ଜଣେ ଆଇପିଏସ୍ ଅଧିକାରୀଙ୍କୁ ଇଣ୍ଟେଲିଜେନ୍ସ ଏଜେନ୍ସି ସହ କାର୍ଯ୍ୟ କରିବାକୁ ଚୟନ କରାଯାଇଥିଲା ଏବଂ ତାଙ୍କୁ କ୍ୟାବିନେଟ ସେକ୍ରେଟାରିଏଟକୁ ପଠାଯାଇଥିଲା। ତାଙ୍କ ପରେ ଡିସେମ୍ବର ୨୦୨୦ରେ ସନ୍ଦୀପ ଚୌଧୁରୀଙ୍କୁ ଡେପୁଟେଶନରେ ନିଆଯାଇଥିଲା। ଦୁଇବର୍ଷ ପରେ ଆଇପିଏସ୍ ଅଧିକାରୀ ହିମାଂଶୁ ଶୁକ୍ଳାଙ୍କୁ ଆର୍ ଆଣ୍ଡ୍ ଏଡବ୍ଲ୍ୟୁକୁ କ୍ୟାବିନେଟ୍ ସେକ୍ରେଟାରିଏଟ ନିର୍ଦ୍ଦେଶକ ଭାବେ ପଠାଯାଇଥିଲା। ଏବେ ଆମେ ଜାଣିବାକୁ ପାଇଛୁ ଯେ, ଦୀପନ ଭଦ୍ରାନ ଏବଂ ସୌରଭ ସିଂ ଆର୍ ଆଣ୍ଡ୍ ଏଡବ୍ଲ୍ୟୁ ନିଯୁକ୍ତି ପାଇଁ ଚୟନ ହେବା ସମ୍ଭାବନା ରହିଛି। ଏହା ସ୍ପଷ୍ଟ ଯେ, ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଶାହା ସବୁବେଳେ ସେମାନଙ୍କ ରାଜ୍ୟର ଅଧିକାରୀମାନଙ୍କ ସହ କାର୍ଯ୍ୟ କରିବାକୁ ପସନ୍ଦ କରିଚନ୍ତି। ହେଲେ ଗୋଟିଏ ସମସ୍ୟା ଅଛି। ଅନେକ ଦକ୍ଷ ଅଧିକାରୀଙ୍କୁ ଡେପୁଟେଶନରେ ପଠାଇବା ଦ୍ୱାରା ଗୁଜରାଟ ସରକାରଙ୍କର ନୀତି ନିର୍ଦ୍ଧାରକ ଟାଲେଣ୍ଟର ଅଭାବ ଦେଖାଦେଇପାରେ।
Email: dilipcherian@gmail.com