ପ୍ରକୃତି ଏହାର ରୂପ ବଦଳାଇବା ଭଳି ଜୀବମାନେ ମଧ୍ୟ ସେମାନଙ୍କର ଗତିବିଧି ବାସସ୍ଥାନ ପରିବର୍ତ୍ତନ କଲେଣି। ଏପରିକି ଭୂମିରେ ବାସ କରୁଥିବା ଜୀବମାନେ ପାଣିରେ ଚାଲୁଥିବା ବେଳେ ପାଣିରେ ବଞ୍ଚି ରହୁଥିବା ଜୀବମାନେ ଭୂମିରେ ବୁଲିଲେଣି। ଶାର୍କ ଏମିତି ଏକ ଜୀବ ଯିଏ କି ପାଣି ବିନା ନିମିଷେ ମାତ୍ର ବଞ୍ଚି ପାରିବନି। ମାତ୍ର ଏବେ ଏକ ଶାର୍କ ପାଣିରୁ ବାହାରି ୨ ଘଣ୍ଟା ଭୂମିରେ ଚାଲିଥିଲେ ମଧ୍ୟ ଜୀବିତ ରହିଛି। ଯାହା କି ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ କରିଛି।
ଏକ ରିପୋର୍ଟ ଅନୁଯାୟୀ, ଫ୍ଲୋରିଡା ଆଟ୍ଲାଣ୍ଟିକ ୟୁନିଭର୍ସିଟିର ଅନୁସନ୍ଧାନକାରୀମାନେ ଅନୁସନ୍ଧାନ ମାଧ୍ୟମରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଆବିଷ୍କାର କରିଛନ୍ତି। ଅନୁସନ୍ଧାନରୁ ପ୍ରକାଶ, ଏପାଉଲେଟ୍ ଶାର୍କ ଜଳରୁ ବାହାରି ସ୍ଥଳଭାଗରେ ଚାଲିଛି। ଅମ୍ଳଜାନ କିମ୍ବା ଜଳ ବିନା ଏହା ପ୍ରାୟ ୨ ଘଣ୍ଟା ବଞ୍ଚିଛି। ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ, ପରିବେଶ ପରିବର୍ତ୍ତନ ହେତୁ ଏହିସବୁ ଘଟଣା ଘଟୁଛି।
ବର୍ତ୍ତମାନ ବୈଜ୍ଞାନିକମାନେ ଅନୁସନ୍ଧାନ କରି କହିଛନ୍ତି, ଏହି ପ୍ରଜାତିର ଶାର୍କ ଭୂମିରେ ଚାଲିବାରେ ସକ୍ଷମ ହୋଇପାରନ୍ତି। ଭବିଷ୍ୟତରେ ଜଳବାୟୁ ପରିବର୍ତ୍ତନର ଗତି ବଢୁଥିବାରୁ ଏପାଉଲେଟ ଶାର୍କରେ କେଉଁ ପରିବର୍ତ୍ତନ ଆସିପାରେ ସେନେଇ ବଜ୍ଞାନିକମାନେ ଅଧିକ ଅନୁସନ୍ଧାନ କରୁଛନ୍ତି। ଏହି ଶାର୍କ ୩ ଫୁଟ ଲମ୍ବ ପର୍ଯ୍ୟନ୍ତ ବଢ଼ିଥାଏ। ବର୍ତ୍ତମାନ ଏହାକୁ ଆଧାର କରି ବୈଜ୍ଞାନିକମାନେ ବିବର୍ତ୍ତନ ପ୍ରକ୍ରିୟା ବୁଝିବାକୁ ଚେଷ୍ଟା କରୁଛନ୍ତି। ଲଣ୍ଡନରେ ଥିବା ଜାତୀୟ ଇତିହାସ ସଂଗ୍ରହାଳୟ ଅନୁଯାୟୀ, ପ୍ରାୟ ୯ ନିୟୁତ ବର୍ଷ ପୂର୍ବେ ଏପାଉଲେଟ ଶାର୍କ ସେମାନଙ୍କର ଚାଲିବା କ୍ଷମତା ବିକାଶ କରିଥାଇପାରନ୍ତି। ସାଧାରଣ ଲୋକ ଜାଣନ୍ତି ଶାର୍କ ପାଣିରେ ରୁହେ। କିନ୍ତୁ ଚିନ୍ତା କରିବାର କିଛି ନାହିଁ କାରଣ ଏପାଉଲେଟ ଶାର୍କ ମାନବ ଜାତି ପାଇଁ ସାଂଘାତିକ ନୁହେଁ। ସେମାନେ କେବଳ ଛୋଟ ମାଛ କିମ୍ବା ଅନ୍ୟାନ୍ୟ ଛୋଟ ପ୍ରାଣୀ ଖାଇଥା’ନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।