Categories: ଫୁରସତ

କାନ୍ଥରୁ ଅମଳ ହେଉଛି ଧାନ, ଗହମ ସହ ଅନ୍ୟାନ୍ୟ ପନିପରିବା

ଆଜିକାଲି ପ୍ରତ୍ୟେକ କ୍ଷେତ୍ରରେ ଟେକ୍ନୋଲୋଜି ବହୁତ ଆଗେଇଛି। ବିଶେଷକରି କୃଷିକ୍ଷେତ୍ରରେ ବିଭିନ୍ନ ପ୍ରକାରର ଟେକ୍ନୋଲୋଜି ଗ୍ରହଣ କରାଯାଉଛି। ଯାହାଦ୍ୱାରା ସହଜରେ ଚାଷ ହୋଇପାରିବ ଏବଂ ଅଧିକ ଅମଳ ମଧ୍ୟ ହୋଇପାରିବ। ସମସ୍ତେ ଜାଣନ୍ତି କେବଳ ଜମିରେ ଚାଷ ସମ୍ଭବ ହୋଇଥାଏ। ମାତ୍ର ଏପରି ଏକ ଦେଶ ଅଛି, ଯେଉଁଠାରେ କାନ୍ଥରେ ମଧ୍ୟ ଚାଷ କରାଯାଇଥାଏ। ଏଠାରେ ଧାନ, ଗହମ ସହିତ କାନ୍ଥରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରାଯାଇଥାଏ। ଏହି ଟେକ୍ନୋଲୋଜି ଧୀରେ ଧୀରେ ସାରା ବିଶ୍ୱରେ ଲୋକପ୍ରିୟ ହେଉଛି। ଏହି କୌଶଳକୁ ଭର୍ଟିକାଲ ଫାର୍ମିଂ ବା ଭୂଲମ୍ବ ଚାଷ କୁହାଯାଉଛି।


ଏପରି ଚାଷ କରାଯାଉଛି ଇସ୍ରାଏଲରେ। ପ୍ରକୃତରେ କହିବାକୁ ଗଲେ ଇସ୍ରାଏଲ ଏବଂ ଅନ୍ୟାନ୍ୟ ଦେଶରେ ଚାଷଜମିର ଅଭାବ ରହିଛ। ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକମାନେ ଏମିତି ଚାଷକୁ ଅପାଣାଇଛନ୍ତି।

ଇସ୍ରାଏଲ କମ୍ପାନୀ ଗ୍ରୀନଓ୍ବାଲ୍‌ର ପ୍ରତିଷ୍ଠାତା ପିୟୋନିଅର୍‌ଙ୍କ କହିବା ଅନୁଯାୟୀ, ତାଙ୍କ କମ୍ପାନୀ ଗୁଗୁଲ ଏବଂ ଫେସବୁକ୍‌ ଭଳି ବୃହତ କମ୍ପାନୀ ସହିତ ଜଡିତ। ଯାହାର ସହଯୋଗରେ ଇସ୍ରାଏଲରେ ଅନେକ ଚାଷ ଭର୍ଟିକାଲ ପଦ୍ଧତିରେ କରାଯାଉଛି।

ଗଛଗୁଡ଼ିକୁ ୟୁନିଟ୍‌ କରାଯାଇଛି। ଛୋଟ ଛୋଟ ପାତ୍ର କିମ୍ବା ବୋତଲ ମଧ୍ୟରେ ଗଛ ଲଗାଯାଇ କାନ୍ଥରେ ଟଙ୍ଗାଯାଇଛି। ଯେମିତି ଏହା ପଡ଼ି ନ ଯାଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ। ଏଥିରେ ଜଳସେଚନ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗଛ ବଢ଼ିବା ପାଇଁ ୟୁନିଟ୍‌ ଗୁଡିକ କିଛି ସମୟ ପାଇଁ କାନ୍ଥରୁ ବାହାର କରାଯାଇଥାଏ ଏବଂ ପରେ ପୁନର୍ବାର କାନ୍ଥରେ ରଖାଯାଏ।

ଇସ୍ରାଏଲ ବ୍ୟତୀତ ଆମେରିକା, ୟୁରୋପ ଏବଂ ଚାଇନାରେ ମଧ୍ୟ ଦ୍ରୁତ ଗତିରେ ଭର୍ଟିକାଲ ଚାଷ କରାଯାଉଛି। ଏପରି ଚାଷ କରାଯିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କାନ୍ଥରେ ଗଛଲତା ରହିବା ଦ୍ୱାରା ଘରର ତାପମାତ୍ରା ବୃଦ୍ଧି ହୁଏ ନାହିଁ। ଶବ୍ଦ ପ୍ରଦୂଷଣ ମାତ୍ରା କମ୍‌ ହୋଇଥାଏ।

Share