କାନ୍ଥ ପଡ଼ି ଚାଲିଗଲା ଭାଇ-ଭଉଣୀଙ୍କ ଜୀବନ

ବାରିପଦା ଅଫିସ,୨୩।୮: କାନ୍ଥ ପଡ଼ି ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୩ ବର୍ଷର ଶିଶୁ ପୁତ୍ର ଏବଂ ମା’। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଳକ ଅଧୀନ ଉଦଳା ଥାନା ରାଇଡାହି ଗ୍ରାମରେ।

ସୂଚନାଯୋଗ୍ୟ, ଗ୍ରାମର ତୁଳସୀ ସିଂଙ୍କ ଗୋଟିଏ ଝିଅ ଏବଂ ୨ ପୁଅଙ୍କ ସହିତ ଘରେ ଶୋଇଥିଲେ। ବର୍ଷା ଯୋଗୁ ହଠାତ୍‌ ବିଳମ୍ବିତ ରାତିରେ ଘର କାନ୍ଥ ଭୁଶୁଡ଼ି ପଡିଥିଲା। ଫଳରେ ୩ ଶିଶୁ କାନ୍ଥ ତଳେ ଚାପି ହୋଇଯାଇଥିଲେ। ତେବେ ସାନ ପୁଅଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୮ ବର୍ଷର ବଡ଼ ଝିଅ ଯଶୋଦା ଏବଂ ୬ ବର୍ଷର ପୁଅ ଜ୍ୟୋତି ଶଙ୍କର କାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ। ପରେ ମା’ ତୁଳସୀ ପାଟି କରିବାରୁ ସ୍ଥାନୀୟ ଲୋକେ ଆସି ଦୁଇ ଶିଶୁଙ୍କୁ ଉଦ୍ଧାର କରି ଉଦଳା ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ତୁରନ୍ତ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Share