Categories: ଫୁରସତ

‘ୱାଲ୍‌ ଅଫ୍‌ ଗମ୍‌’

ୱାଶିଂଟନ: ଚୁଇଁଗମ୍‌ ଖାଇବାକୁ ବହୁତ ଲୋକ ପସନ୍ଦ କରନ୍ତି। ହେଲେ ଖାଇସାରିବା ପରେ କେହି ତାକୁ ଠିକ୍‌ ଭାବେ ନ ଫୋପାଡ଼ି ଏଠି ସେଠି ଫିଙ୍ଗନ୍ତି। ନ ହେଲେ କେହି ତାକୁ ଲୁଚାଇ କୌଣସି କାନ୍ଥବାଡ଼ରେ ମଧ୍ୟ ଲଗାଇ ଦିଅନ୍ତି। ତେବେ ଆମେରିକାରେ ଏକ କାନ୍ଥ ରହିଛି, ଯେଉଁଠାରେ ଲୋକ ଲୁଚାଇକି ନୁହେଁ ଖୋଲାଖୋଲି ଭାବେ ଚୁଇଁଗମ୍‌ ଲଗାନ୍ତି। ରିପୋର୍ଟ ମୁତାବକ, ୱାଶିଂଟନର ସିଏଟେଲ୍‌ରେ ‘ୱାଲ୍‌ ଅଫ୍‌ ଗମ୍‌’ କିମ୍ବା ‘ଗମ୍‌ ୱାଲ୍‌’ ନାମରେ ଏକ କାନ୍ଥ ରହିଛି। କାରଣ ସେଠାରେ ହଜାର ହଜାର ଚୁଇଁଗମ୍‌ ଲଗାଯାଇଛି। ଚୁଇଁଗମ୍‌ ଚୋବାଇବା ପରେ ଲୋକେ ଏଠାରେ ଲଗାଇଥାନ୍ତି। ଏଥିପାଇଁ ଏହାକୁ ୨୦୦୯ରେ ଦୁନିଆର ଦର୍ଶନୀୟ ସ୍ଥଳର ମାନ୍ୟତା ଦିଆଗଲା। ଏହି କାନ୍ଥର ଉଚ୍ଚତା ୮ ଫୁଟ୍‌ ଏବଂ ଏହାର ଲମ୍ବା ୫୦ ଫୁଟ୍‌। ୧୯୯୩ରୁ ଏଠାରେ ଚୁଇଁଗମ୍‌ ଲଗାଇବା ପରମ୍ପରା ଆରମ୍ଭ ହୋଇଥିଲା। ଏହି କାନ୍ଥ ମାର୍କେଟ୍‌ ଥିଏଟର ପାଖରେ ରହିଛି। ଟିକେଟ୍‌ଧାରୀମାନେ ଭିତରକୁ ଯିବାକୁ ଲାଇନ ଲଗାଇ ସେଠାରେ ଠିଆ ହୋଇଥାନ୍ତି। ଅଧିକ ସମୟ ଅପେକ୍ଷା କରିବା ସହ ସେମାନେ ସେଠାରେ ଚୁଇଁଗମ୍‌ ଲଗାଇଦେଇଥିଲେ। ପରେ ସେହି ରାସ୍ତା ଦେଇ ଯାଉଥିବା ଅନେକ ଲୋକ ମଧ୍ୟ ସେପରି କରିବାକୁ ଲାଗିଲେ। ଏହି ସ୍ଥାନ ସେତେବେଳେ ପ୍ରସିଦ୍ଧ ହେଲା, ଯେତେବେଳେ ହଲିଉଡ୍‌ ଅଭିନେତ୍ରୀ ଜେନିଫର ଏନିଷ୍ଟନଙ୍କ ଫିଲ୍ମର ଏକ ଦୃଶ୍ୟ ଏହି କାନ୍ଥରେ ଦେଖାଗଲା। ଯେଉଁଥିରେ ଅଭିନେତ୍ରୀ ଚୁଇଁଗମ୍‌ ଲଗାଉଥିବାର ଦେଖିବାକୁ ମିଳିଥିଲା। ସେବେଠାରୁ ଏଠାକୁ ହଜାର ହଜାର ଲୋକ ଚୁଇଁଗମ୍‌ ଲଗାଇବାକୁ ଲାଗିଲେ। ପରେ ସେଠାରେ ଏତେ ଚୁଇଁଗମ୍‌ ଲଗାଗଲା ଯେ, ସେଠାର କାନ୍ଥ ମଧ୍ୟ ଦେଖାଗଲାନି। ପରେ ୨୦୧୫ରେ ଥରେ ଏହି କାନ୍ଥକୁ ସମ୍ପୂର୍ଣ୍ଣ ସଫା କରାଯାଇଥିଲା। ସେହି କାନ୍ଥକୁ ସଫା କରିବାକୁ ପ୍ରାୟ ୧୩୦ ଘଣ୍ଟାର ପରିଶ୍ରମ ପରେ ୧ ଟନ ଚୁଇଁଗମ୍‌ କଢାଯାଇଥିଲା। ଦ୍ୱିତୀୟ ଥର ପାଇଁ ୨୦୧୮ରେ ଚୁଇଁଗମ୍‌ ସଫା କରାଯାଇଥିଲା।

Share