ଭାରତମୁହାଁ ଓ୍ବାଲ୍‌ମାର୍ଟ

ଲଣ୍ଡନ୍‌/ନ୍ୟୁୟର୍କ,୩୦ା୧୧: ବିଶ୍ୱର ସର୍ବବୃହତ୍‌ ରିଟେଲର ଓ୍ବାଲ୍‌ମାର୍ଟ ଚାଇନା ଉପରେ ନିଜ ନିର୍ଭରଶୀଳତା ହ୍ରାସ କରି ଆମେରିକାକୁ ଭାରତରୁ ଅଧିକ ସାମଗ୍ରୀ ଆମଦାନୀ କରୁଛି। ଖର୍ଚ୍ଚକାଟ ସହ ନିଜ ଯୋଗାଣ ଶୃଙ୍ଖଳରେ ବିବିଧତା ଆଣିବା ପାଇଁ କମ୍ପାନୀ ଏପରି ପଦକ୍ଷେପ ନେଇଥିବା କେତେକ ରିପୋର୍ଟରୁ ଜଣାପଡ଼ିଛି।
ଆମେରିକାକୁ ନେଉଥିବା ସାମଗ୍ରୀର ଏକ-ଚତୁର୍ଥାଂଶ ଗତ ଜାନୁୟାରୀରୁ ଅଗଷ୍ଟ ମଧ୍ୟରେ ଭାରତରୁ ଆମଦାନୀ କରିଥିଲା, ଯାହାକି ୨୦୧୮ରେ ମାତ୍ର ୨% ରହିଥିଲା। ଏହି ସମୟରେ ନିଜ ଶିପ୍‌ମେଣ୍ଟ୍ସ ମଧ୍ୟରୁ ୬୦% ଚାଇନାରୁ ଯାଇଥିଲା, ଯାହାକି ୨୦୧୮ରେ ୮୦% ଥିଲା। ଏହା ସତ୍ତ୍ୱେ ଓ୍ବାଲ୍‌ମାର୍ଟର ସର୍ବବୃହତ୍‌ ରପ୍ତାନିକାରୀ ରାଷ୍ଟ୍ର ହେଉଛି ଚାଇନା। ଚାଇନାରୁ ଆମଦାନୀ କରାଯାଉଥିବା ସାମଗ୍ରୀଗୁଡ଼ିକର ଦର ବୃଦ୍ଧି ଏବଂ ଓ୍ବାଶିଂଟନ୍‌ ଓ ବେଜିଂ ମଧ୍ୟରେ ଉତ୍ତେଜନାକୁ ଏଥିପାଇଁ ଦାୟୀ କରାଯାଉଛି। ଆମେରିକୀୟ କମ୍ପାନୀଗୁଡ଼ିକ ଏବେ ଭାରତ, ଥାଇଲାଣ୍ଡ ଓ ଭିଏଟ୍‌ନାମ ସମେତ ଅନ୍ୟ ଦେଶଗୁଡ଼ିକରୁ ଆମଦାନୀ କରିବାକୁ ପସନ୍ଦ କରୁଛନ୍ତି।
ଏକ୍‌ଜିକ୍ୟୁଟିଭ୍‌ ଭାଇସ୍‌ ପ୍ରେସିଡେଣ୍ଟ ଆଣ୍ଡ୍ରେଆ ଅଲ୍‌ବ୍ରାଇଟ୍‌ କହିଛନ୍ତି, ଆମକୁ ସର୍ବୋତ୍ତମ ମୂଲ୍ୟରେ ସାମଗ୍ରୀ ଦରକାର। ଅର୍ଥାତ୍‌ ଯୋଗାଣ ଶୃଙ୍ଖଳରେ ଆମେ ନମନୀୟତା ଚାହୁଁ। ଆମେ ଲଗାତର ଭାବେ ଝଡ଼ ଓ ଭୂକମ୍ପରୁ ନେଇ କଞ୍ଚାମାଲ ଅଭାବ ପର୍ଯ୍ୟନ୍ତ ସମସ୍ୟା ଭିତରେ ଏସବୁର ପରିଚାଳନା କରୁଥିବାରୁ କୌଣସି ଗୋଟିଏ ଯୋଗାଣକାରୀ ରାଷ୍ଟ୍ର ଉପରେ ନିର୍ଭରଶୀଳ ହୋଇ ବ୍ୟବସାୟ କରିହେବ ନାହିଁ।
ଇତିମଧ୍ୟରେ ଓ୍ବାଲ୍‌ମାର୍ଟର ଉତ୍ପାଦନ ଦକ୍ଷତା ବୃଦ୍ଧି ଉଦ୍ୟମରେ ଭାରତ ପ୍ରମୁଖ ଭୂମିକା ନେଇଛି। କମ୍ପାନୀ ୨୦୧୮ରୁ ଲଗାତର ଭାବେ ଭାରତରେ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିଛି। ଓ୍ବାଲ୍‌ମାର୍ଟ ସେହିବର୍ଷ ଭାରତୀୟ ଇ-କମର୍ସ ଫାର୍ମ ଫ୍ଲିପ୍‌କାର୍ଟର ୭୭% ଅଂଶଧନ କିଣିଥିଲା। ୨୦୨୭ ସୁଦ୍ଧା ଭାରତରୁ ୧୦ ବିଲିୟନ୍‌ ଡଲାର ମୂଲ୍ୟର ସାମଗ୍ରୀ କିଣିବା ପାଇଁ ୨୦୨୦ରେ ଚୁକ୍ତିବଦ୍ଧ ହୋଇଥିଲା। ସେହି ଲକ୍ଷ୍ୟ ହାସଲ ଦିଗରେ ଓ୍ବାଲ୍‌ମାର୍ଟ ଅଗ୍ରସର ହେଉଛି। ବର୍ତ୍ତମାନ ଭାରତରୁ ବାର୍ଷିକ ୩ ବିଲିୟନ୍‌ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରାଯାଉଥିବା ଅଲ୍‌ବ୍ରାଇଟ୍‌ ସୂଚନା ଦେଇଛନ୍ତି।

Share