ଆପୋସ ସମାଧାନ ଚାହୁଁଛି: ଶ୍ରୀୟା

ପୁରୀ ଅଫିସ,୨୨।୧: ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅତ୍ୟଧିକ ମଦ ପିଅନ୍ତି। ମଦ ଛାଡ଼ିବାକୁ କହିବା ପରେ ଅକଥନୀୟ ନିର୍ଯାତନା ଦେଉଥିଲେ। ଗୋଇଠା ଓ ମୁଥ ମାରୁଥିଲେ ବୋଲି ପୁରୀରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସ୍ତ୍ରୀ ଶ୍ରୀୟା ମିଶ୍ର କହିଛନ୍ତି।

ହ୍ୟୁମାନ ଅତ୍ୟଧିକ ମାତ୍ରାରେ ମଦ ପିଅନ୍ତି। ସେଥିପାଇଁ ତାଙ୍କର ବହୁ ରେକଡିଂ ବାତିଲ ହୋଇଛି। ଅନେକ ସମୟରେ ସେ ମଦ ନିଶାରେ ଘରକୁ ଫେରୁଥିଲେ। ହେଲେ ଗାଡ଼ିରୁ ଓହ୍ଲାଇ ପାରୁ ନ ଥିଲେ। ଆମେ ତାଙ୍କୁ ଧରି ଗାଡ଼ିରୁ ଓହ୍ଲାଇ ଘରକୁ ନେଉଥିଲୁ। ବାରମ୍ବାର ଏପରି ହେଉଥିବାରୁ ମଦ ପିଇବାକୁ ବାରଣ କରିଥିଲି। କିନ୍ତୁ ସେ ମଦ ଛାଡ଼ିବା ଲାଗି ରାଜି ନ ଥିଲେ। ମୋତେ ଅକଥନୀୟ ନିର୍ଯାତନା ଦେଉଥିଲେ। ଗୋଇଠା ଓ ମୁଥ ମାରୁଥିଲେ। ଝିଅ ଜନ୍ମ ପରଠାରୁ ମାନସିକ ଓ ଶାରୀରିକ ନିର୍ଯାତନା ଆରମ୍ଭ ହୋଇଥିଲା। ଯାହା ବି ହେଉଥିଲା, ଆମ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଉଥିଲା। କେହି ଏ ସମ୍ପର୍କରେ ଜାଣୁ ନ ଥିଲେ। ଆମେ ନିଜେ ଏହାର ସମାଧାନ କରିଦେଉଥିଲୁ। କିନ୍ତୁ ନିର୍ଯାତନା ଅସହ୍ୟ ହେବାରୁ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହେଲୁ ବୋଲି ଶ୍ରୀୟା କହିଛନ୍ତି।

ହ୍ୟୁମାନ ମୋତେ ସ୍ତ୍ରୀର ମାନ୍ୟତା ଦେବେ ଓ ଯେତିକି ଭଲପାଇ ତାଙ୍କ ଘରକୁ ନେଇଥିଲେ, ଠିକ ସେମିତି ଭଲ ପାଇଲେ ମୁଁ ଫେରିବି। ସେ ମୋତେ ସେତିକି ଭଲ ପାଉଥିଲେ ବୋଲି ମୁଁ ଜଣେ ପୁରୀ ମୁକ୍ତି ମଣ୍ଡପ ବ୍ରାହ୍ମଣ ଘରର ଝିଅ ହୋଇ ମଧ୍ୟ ତାଙ୍କୁ ପ୍ରେମ ବିବାହ କରିଥିଲି। ମାଡ଼ ଗାଳି ସହି ରହିଥିଲି। ଏବେ ବି ଆପୋସ ସମାଧାନ ପାଇଁ ଚାହୁଁଛି। ହେଲେ ହ୍ୟୁମାନଙ୍କ ତରଫରୁ ସେମିତି କିଛି ଉଦ୍ୟମ ହୋଇନାହିଁ। ନା ସେ ଫୋନ କରିଛନ୍ତି ନା ତାଙ୍କ ମାଆ କଥା ହୋଇଛନ୍ତି। ଯାହା ଗଣମାଧ୍ୟମରେ କହୁଛନ୍ତି। ପବ୍ଲିକ ସିମ୍ପାଥି ପାଇଁ ସେମାନେ ଏମିତି କରିଥାଇପାରନ୍ତି। ପୂର୍ବରୁ ଆପୋସ ସମାଧାନ ପାଇଁ ବହୁବାର ଉଦ୍ୟମ ହୋଇଛି। ମୋ ବାପା, ମାଆ ତାଙ୍କୁ ବହୁ ବୁଝାଇଛନ୍ତି। ମୋ’ ମାମୁ ହ୍ୟୁମାନଙ୍କ ଗୋଡ଼ ହାତ ଧରି ଆପୋସ ସମାଧାନ କରିବାକୁ ଅନୁରୋଧ କରିଛନ୍ତି। ତାହା ପରେ ମଧ୍ୟ ସେ ସୁଧୁରି ନ ଥିଲେ ବୋଲି ଶ୍ରୀୟା କହିଛନ୍ତି।

Share