Categories: ବାଣିଜ୍ୟ

ଯୁଦ୍ଧ ପରେ ଚାଇନା ପ୍ରଭାବ: ତଳମୁହାଁ ଭାରତୀୟ ପୁଞ୍ଜି ବଜାର, ଲକ୍ଷାଧିକ କୋଟି ଟଙ୍କା ହରାଇଲେଣି ନିବେଶକ

ମୁମ୍ବାଇ,୭।୧୦: ମଧ୍ୟପ୍ରାଚ୍ୟ ବଡ଼ ଯୁଦ୍ଧାମୁହାଁ ହେଉଥିବା ବେଳେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ପ୍ରଭାବରେ ଆମେରିକା, ୟୁରୋପ ସମେତ ଏସିଆ ପୁଞ୍ଜି ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସୋମବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୁଚକାଙ୍କ ସେନସେକ୍ସ ୬୩୮ ପଏଣ୍ଟ ହ୍ରାସ ପାଇଛି। ଫଳରେ ଗୋଟିଏ ଦିନରେ ନିବେଶକମାନେ ୮.୯୯ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି।

ସୋମବାର କାରବାର ଆରମ୍ଭରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଦିନ ଶେଷ ବେଳକୁ ୦.୭୩ ପ୍ରତିଶତ ବା ୬୩୮ ପଏଣ୍ଟ ଖସିଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୁଚକାଙ୍କ ନିଫ୍ଟି ୦.୮୭ ପ୍ରତିଶତ ବା ୨୧୮ ପଏଣ୍ଟ ହ୍ରାସ ପାଇଛି। ବୈଶ୍ଵିକ ସ୍ଥିତିକୁ ଦୃଷ୍ଟିରେ ରଖି ବିଦେଶୀ ନିବେଶକମାନେ ବହୁସଂଖ୍ୟାରେ ଶେୟାର ବିକ୍ରି କରୁଥିବାରୁ ଭାରତୀୟ ବଜାରରେ ଏପରି ସ୍ଥିତି ଉପୁଜିଛି।

ତେବେ ସମ୍ଭାବ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଚାଇନାର ଏକ ପଦକ୍ଷେପ କାରଣରୁ ଭାରତୀୟ ଶେୟାର ବଜାରରେ ଏହି ସ୍ଥିତି ଉପୁଜୁଥିବା କୁହାଯାଉଛି। ଚାଇନା ସରକାର ନିକଟରେ ଏକ ଇକୋନୋମିକ୍ ଷ୍ଟିମୁଲସ୍ ପ୍ୟାକେଜ୍ ଘୋଷଣା କରିଛନ୍ତି। ଅନୁମାନ କରାଯାଉଛି ଯେ ସରକାର ୧.୪ ଟ୍ରିଲିୟନ ଡଲାରର ଆଉ ଏକ ରିଲିଫ ପ୍ୟାକେଜ ଘୋଷଣା କରିପାରନ୍ତି। ଏହି କାରଣରୁ, ଚାଇନାର ଷ୍ଟକ୍ ମାର୍କେଟରେ ବହୁତ ବଡ ଉତ୍ସାହ ଦେଖାଦେଇଛି। ଗତ ଏକ ସପ୍ତାହରେ, ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ବିକ୍ରୟ କରି ଚାଇନାର ଷ୍ଟକ୍ ମାର୍କେଟରେ ପୁଞ୍ଜି ନିବେଶ ବୃଦ୍ଧି କରୁଛନ୍ତି। ଆଗକୁ ଏହି ଧାରା ଜାରି ରହିବାର ସମ୍ଭାବନା ରହିଛି, ଯେଉଁଥିପାଇଁ ଭାରତୀୟ ବଜାରରେ ହ୍ରାସ ଘଟିଛି। ଅନ୍ୟପଟେ ଇସ୍ରାଏଲ-ଇରାନର ଟେନସନ ମଧ୍ୟ ଷ୍ଟକ୍ ମାର୍କେଟକୁ ଭୟଭୀତ କରି ରଖିଛି। ଯେଉଁଥିପାଇଁ ନିବେଶକମାନେ ବିପୁଳ ପୁଞ୍ଜି କାଢି ନେଉଛନ୍ତି।

Share