ସାଧାରଣତନ୍ତ୍ର ଦିବସରେ ‘ୱାର୍‌ ୨’

ମୁମ୍ବାଇ: ‘ୱାର୍‌ ୨’କୁ ନେଇ ନିର୍ମାତା ଆଦିତ୍ୟ ଚୋପ୍ରା କିଛି ମାସ ତଳେ ଏକ ଘୋଷଣା କରିଥିଲେ। ଯେଉଁଥିରେ ଅଭିନେତା ହ୍ରିତିକ୍‌ ରୋଶନଙ୍କ ସହ ଜୁନିୟର ଏନ୍‌ଟିଆର୍‌ ନଜରକୁ ଆସିବେ ବୋଲି ଜଣାପଡ଼ିଥିଲା। ଏବେ ନିର୍ମାତା ଆଉ ଏକ ଘୋଷଣା କରିଛନ୍ତି। ଆର୍ଯ୍ୟନ ମୁଖାର୍ଜୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ମୁଭି ୨୦୨୫ ସାଧାରଣତନ୍ତ୍ର ଦିବସରେ ରିଲିଜ୍‌ ହେବ ବୋଲି ଜଣାପଡିଛି। ମୁଭିରେ ଏହି ୨ଜଣ ବ୍ୟତୀତ କିଆରା ଆଡଭାନୀ, କ୍ୟାଟ୍ରିନା କୈଫ, ଜନ୍‌ ଆବ୍ରାହମ୍‌, ପ୍ରଭାସ, ଶବିର ଆଲୁଆଲିଆ ଭିନ୍ନ ଚରିତ୍ରରେ ନଜରକୁ ଆସିବ। ‘ଅଗ୍ନିପଥ’ ଏବଂ ‘ପଠାନ୍‌’ ସାଧାରଣତନ୍ତ୍ର ଦିବସରେ ରିଲିଜ୍‌ ହୋଇ ହିଟ୍‌ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ନିର୍ମାତା ‘ୱାର’କୁ ଜାନୁୟାରୀ ୨୬ରେ ରିଲିଜ୍‌ ପାଇଁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ତେବେ ବଡ଼ ପରଦାରେ ଦୁଇ ହିଟ୍‌ ଷ୍ଟାରଙ୍କ ଆକ୍ସନ ଦେଖିବାକୁ ଦର୍ଶକ ଅପେକ୍ଷା କରି ରହିଛନ୍ତି। ହ୍ରିତିକ୍‌ଙ୍କ ସିନେମା ‘ଫାଇଟର’ ମଧ୍ୟ ୨୦୨୪ ସେହି ଦିବସରେ ରିଲିଜ୍‌ ହେବାକୁ ଯୋଜନା ରହିଛି। ହ୍ରିତିକ୍‌ ୧୯୮୦ ମସିହାରେ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଆସିଛନ୍ତି। ଶେଷଥର ପାଇଁ ସେ ୨୦୨୨ରେ ମୁଭି ‘ବିକ୍ରମ ବେଦା’ରେ ଦେଖିବାକୁ ମିଳିଥିଲେ। ଏଥିସହ ସେ କିଛି ଟିଭି ଶୋ’ରେ ନଜରକୁ ମଧ୍ୟ ଆସିଛନ୍ତି।

Share