ଯୁଦ୍ଧ ପୁଣି ଜୋରଦାର: କ୍ୱିଭ୍‌ରେ କ୍ଷେପଣାସ୍ତ୍ର ପକାଇଲା ରୁଷିଆ…

କ୍ୱିଭ୍‌,୧୦।୧୦ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ପୁଣି ଜୋରଦାର ହୋଇଛି। ୟୁକ୍ରେନର ରାଜଧାନୀ କ୍ୱିଭ୍‌ରେ ରୁଷିଆ ପକ୍ଷରୁ ଜୋରଦାର କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଏଠାରେ ପ୍ରଚଣ୍ଡ ଶବ୍ଦ ସହିତ ଉଚ୍ଚ ବିସ୍ଫୋରଣ ଶୁଣାଯିବାର କୁହାଯାଉଛି। ଏହି ବିସ୍ଫୋରଣ ପରେ ବହୁ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି।

ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଯଦିଓ ମୃତକଙ୍କ ସରକାରୀ ଆକଳନ ଏପର୍ଯ୍ୟନ୍ତ ଜଣାପଡିନାହିଁ, ତଥାପି ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା କରାଯାଉଛି। ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ, ସହରର ଅନେକ ଅଟ୍ଟାଳିକାରୁ କଳା ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,ରୁଷିଆ ୟୁକ୍ରେନ ୧୨ଟି ଇରାନ ଡ୍ରୋନ ପଠାଇଛି।

ୟୁକ୍ରେନର ରାଜଧାନୀ କ୍ୱିଭ୍‌ର ମେୟର ଭିଟାଲୀ କ୍ଲିଟସ୍କୋ କହିଛନ୍ତି ଯେ ଶେଭେନ୍ସସ୍କିଭସ୍କି ଜିଲାରେ ଅନେକ ବିସ୍ଫୋରଣ ଘଟିଛି। ଏହି ଅଞ୍ଚଳ ରାଜଧାନୀ କ୍ୱିଭ୍‌ର ମଧ୍ୟ ଭାଗରେ ଅଛି। ୟୁକ୍ରେନ ରାଜଧାନୀରେ ଆକ୍ରମଣ ନେଇ ସାଇରନର ଶବ୍ଦ ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ସ୍ଥାନୀୟ ସମୟ ସକାଳ ୮ଟା ୧୫ରେ କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ସେ କହିଛନ୍ତି।

ବର୍ତ୍ତମାନ ରୁଷତଆ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନ ଯୁଦ୍ଧକୁ ନେଇ ଅନେକ ସମାଲୋଚନାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଏହା ସହିତ ଯୁଦ୍ଧ ତାଙ୍କ ପାଇଁ ଏକ ସମ୍ମାନର ପ୍ରଶ୍ନ ପାଲଟିଛି। ପୁଟିନଙ୍କର ବର୍ତ୍ତମାନ କେବଳ ଗୋଟିଏ ଉଦ୍ଦେଶ୍ୟ ଅଛି ଯେ ସେ ଏହି ଯୁଦ୍ଧ ଆଧାରରେ ନିଜ ଦେଶର ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି। ରୁଷିଆ କ୍ରମାଗତ ଭାବରେ ବହୁ ସଂଖ୍ୟକ ସୈନିକଙ୍କୁ ହରାଉଥିବା ସତ୍ତ୍ୱେ ଏହି କାରଣରୁ ସେ ପଛକୁ ଫେରି ନାହାଁନ୍ତି। ଏତେ ନିରାଶାର ସମ୍ମୁଖୀନ ହେବା ପରେ ମଧ୍ୟ ପୁଟିନ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଥିବାରୁ ଏହି ଲଢ଼େଇ ଶେଷ ହେଉ ନାହିଁ। ଏହା ସହିତ ପୁଟିନ ଏବେ ଶେଷ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି।

Share