Categories: ଜାତୀୟ

ରାଜ୍ୟ ସଭାରେ ଧନ୍‌କର-ଖାର୍ଗେ ମୁହାଁମୁହିଁ

ନୂଆଦିଲ୍ଲୀ, ୦୩।୦୭: ରାଜ୍ୟ ସଭାରେ ଅଧ୍ୟକ୍ଷତା କରୁଥିବା ଉପରାଷ୍ଟ୍ରପତି ଜଗଦୀପ ଧନ୍‌କର ଏବଂ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ମଧ୍ୟରେ ମଙ୍ଗଳବାର ଜୋର୍‌ଦାର ବାକ୍‌ଯୁଦ୍ଧ ଦେଖିବାକୁ ମିଳିଥିଲା। ଏପରିକି ଧନ୍‌କର କ୍ଷୁବ୍ଧ ହୋଇ ଖାର୍ଗେଙ୍କ ସ୍ଥାନରେ କଂଗ୍ରେସ ନେତା ଜୟରାମ ରମେଶ ବିରୋଧୀ ଦଳ ନେତା ହେବା ଉଚିତ ବୋଲି କହିଥିଲେ। ଅନ୍ୟପକ୍ଷରେ ଗୃହର ଅଧ୍ୟକ୍ଷ ଜାତି ପ୍ରଥାକୁ ନେଇ ଏଭଳି ମନ୍ତବ୍ୟ ଦେଉଥିବା କଂଗ୍ରେସ ଅଧ୍ୟକ୍ଷ ଖାର୍ଗେ କହିଥିଲେ।
ପ୍ରଥମେ କଂଗ୍ରେସ ଏମ୍‌ପି ପ୍ରମୋଦ ତିଓ୍ବାରୀଙ୍କୁ ଯାଞ୍ଚ ହୋଇ ନ ଥିବା ତଥ୍ୟ ଉପସ୍ଥାପନ ନ କରିବାକୁ ଧନ୍‌କର କହିବା ପରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଏହା ପ୍ରମାଣୀକୃତ ହେବା ଆବଶ୍ୟକ ବୋଲି ଜୟରାମ କହିଥିଲେ। ଏହି ସମୟରେ ଧନ୍‌କର କହିଥିଲେ, ମୁଁ ଭାବୁଛି ଖାର୍ଗେଙ୍କ ସ୍ଥାନରେ ଜୟରାମ ବିରୋଧୀ ଦଳ ନେତା ହେବା ଆବଶ୍ୟକ। ସେ ବୁଦ୍ଧିମାନ୍‌ ଓ ଦକ୍ଷ। ସେ ବିରୋଧୀ ଦଳ ନେତା କାର୍ଯ୍ୟ କରୁଛନ୍ତି। ଖାର୍ଗେ ଏହାର ପ୍ରତିବାଦ କରି କହିଥିଲେ, ଜାତି ପ୍ରଥାକୁ ପ୍ରସଙ୍ଗ ଭିତରକୁ ଆଣନ୍ତୁ ନାହିଁ। ସଂସଦୀୟ ଗଣତନ୍ତ୍ର ଇତିହାସରେ ଏବଂ ରାଜ୍ୟ ସଭା ପ୍ରୋସିଡିଂରେ କେବେ ଏଭଳି ଅଧ୍ୟକ୍ଷଙ୍କୁ ଏଭଳି ଅସମ୍ମାନିତ କରାଯାଇ ନ ଥିଲା ବୋଲି ଖାର୍ଗେଙ୍କୁ ଲକ୍ଷ୍ୟ କରି ଧନ୍‌କର କହିଥିଲେ। ଖାର୍ଗେ କହିଥିଲେ ସେ ଦଳର ନେତ୍ରୀ ସୋନିଆ ଗାନ୍ଧୀ ଏବଂ ଦେଶବାସୀଙ୍କ ପାଇଁ ବିରୋଧୀ ଦଳ ନେତା ପଦରେ ବସିଛନ୍ତି। ପରେ ତିଓ୍ବାରୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ବକ୍ତବ୍ୟ ରଖିଥିଲେ।

Share