Categories: ଜାତୀୟ

ଟ୍ରକ୍‌ ପୋଡ଼ି ମାମଲାରେ ଓ୍ବାରାଓ୍ବାରାଙ୍କୁ ଜାମିନ

ନୂଆଦିଲ୍ଲୀ, ୨୪।୨ : ତେଲୁଗୁ କବି ତଥା ସାମାଜିକ କର୍ମୀ ଓ୍ବାରାଓ୍ବାରା ରାଓଙ୍କୁ ମଙ୍ଗଳବାର ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍‌ ଅନ୍ୟ ଏକ ମାମଲାରେ ୬ ମାସ ପାଇଁ ଜାମିନ ପ୍ରଦାନ କରିଛନ୍ତି। ୨୦୧୬ରେ ମହାରାଷ୍ଟ୍ରର ସୁରଜଗଡ଼ ଲୁହାପଥର ଖଣି ପୋଡ଼ାଜଳା ମାମଲାରେ ୮୨ ବର୍ଷୀୟ ଓ୍ବାରାଓ୍ବାରା ସମ୍ପୃକ୍ତ ଥିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଭୀମା କୋରେଗାଁଓ ମାମଲାରେ ବମ୍ବେ ହାଇକୋର୍ଟ ସୋମବାର ଓ୍ବାରାଓ୍ବାରାଙ୍କୁ ଜାମିନ ପ୍ରଦାନ କରିବାରେ ତାଙ୍କ ଓକିଲ ଫିର୍ଦୋସ ମିର୍ଜା ଏବଂ ନିହାଲସିଂ ରାଠୋଡ୍‌ ସଙ୍ଗେ ସଙ୍ଗେ ନାଗପୁର ବେଞ୍ଚ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ। ସୋମବାରର ନିର୍ଦ୍ଦେଶନାମାକୁ ପଢ଼ିବା ପରେ ଜଷ୍ଟିସ୍‌ ସ୍ବପ୍ନା ଜୋଷୀ ତେଲୁଗୁ କବିଙ୍କୁ ୫୦,୦୦୦ ଟଙ୍କା ବେଲ୍‌ ବଣ୍ଡ୍‌ ଦାଖଲ କରି ଜାମିନରେ ଯିବା ପାଇଁ ଅନୁମତି ଦେଇଛନ୍ତି। ତାଙ୍କୁ ମୁମ୍ବାଇରେ ରହିବା ଓ ଆବଶ୍ୟକ ସମୟରେ ହାଜର ହେବା ସର୍ତ୍ତରେ ଜାମିନ ଦିଆଯାଇଛି। ୨୦୧୬ ଡିସେମ୍ବରରେ ସୁରଜଗଡ଼ ଖଣିରୁ ଲୁହାପଥର ନେଇ ଯାଉଥିବା ୮୦ଟି ଟ୍ରକ୍‌କୁ ମାଓବାଦୀମାନେ ଜାଳିଦେଇଥିଲେ। ଏହି ମାମଲାରେ ଓ୍ବାରାଓ୍ବାରାଙ୍କୁ ୨୦୧୯ରେ ଗିରଫ କରାଯାଇ ତାଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିରାକରଣ ଆଇନ (ୟୁଏପିଏ)ରେ ମାମଲା ରୁଜୁ ହୋଇଥିଲା।

Share