Categories: ଜାତୀୟ

ହସ୍ପିଟାଲରେ କୋଭିଡ୍‌ ଆକ୍ରାନ୍ତଙ୍କୁ ବଳାତ୍କାର

ଭାପାଳ,୧୪।୫ : ଭୋପାଳର ଏକ ସରକାରୀ ହସ୍ପିଟାଲରେ ଜଣେ କରୋନା ଆକ୍ରାନ୍ତ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜଣେ ଓ୍ବାର୍ଡ ବୟଙ୍କୁ ଗିରଫ କରାଯାଇଥିଲା ଗତ ମାସରେ। ଘଟଣାର ପର ଦିନ ବଳାତ୍କାର ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା। ତେବେ ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ପରିବାରକୁ ଦିଆଯାଇ ନ ଥିଲା କୌଣସି ପ୍ରକାର ସୂଚନା।

୧୯୮୪ ଭୋପାଳ ଗ୍ୟାସ ଦୁର୍ଘଟଣାରେ ମୃତକଙ୍କ ପାଇଁ ଲଢ଼ୁଥିବା ସଂଗଠନ ଭୋପାଳ ମେମୋରିଆଲ ହସ୍ପିଟାଲ ରିସର୍ଚ୍ଚ ସେଣ୍ଟର କୋଭିଡ୍‌ ଓ୍ବାର୍ଡର ପରିସ୍ଥିତି ସମ୍ପର୍କରେ ଚିଠି ଲେଖିବା ପରେ ସାମ୍ନାକୁ ଆସିଛି ଘଟଣାଟି। ଉକ୍ତ ଚିଠିରେ ଭୋପାଳ ଗ୍ୟାସ ଦୁର୍ଘଟଣାର ୪୩ ବର୍ଷୀୟା ପୀଡ଼ିତାଙ୍କ ବଳାତ୍କାର ସମ୍ପର୍କରେ ତାଙ୍କ ପରିବାର ବର୍ଗଙ୍କୁ ସୂଚନା କାହିଁକି ଦିଆଯାଇ ନ ଥିଲା ବୋଲି ପ୍ରଶ୍ନ କରାଯାଇଛି। ସେହି ହସ୍ପିଟାଲର କୋଭିଡ୍‌ ଓ୍ବାର୍ଡରେ ଆଉ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ସମାନ କର୍ମଚାରୀ ଯୌନ ନିର୍ଯ୍ୟାତନା ଦେଇଥିବା ମଧ୍ୟ ଉଲ୍ଲେଖ ରହିଛି।

ଅପ୍ରିଲ ୬ ତାରିଖରେ ମେଡିକାଲରେ ଭର୍ତ୍ତି ହୋଇଥିବା ୪୩ ବର୍ଷୀୟା ମହିଳା ବଳାତ୍କାର ସମ୍ପର୍କରେ ପ୍ରଥମେ ଡାକ୍ତରଙ୍କୁ ଜଣାଇଥିଲେ। ମହିଳାଙ୍କ ଷ୍ଟେଟ୍‌ମେଣ୍ଟ ରେକର୍ଡ କରି ପୋଲିସ ନିକଟକୁ ପଠାଇଥିଲେ ଉକ୍ତ ଡାକ୍ତର। ସେହି ଦିନ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ପରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଅପ୍ରିଲ ୭ ତାରିଖରେ ଘଟିଥିଲା ପୀଡ଼ିତାଙ୍କ ମୃତ୍ୟୁ।

ତେବେ ଘଟଣାକୁ ଭୋପାଳ ପୋଲିସ ଚାପିବାକୁ କୌଣସି ପ୍ରକାର ଉଦ୍ୟମ କରି ନ ଥିବା ଡିଆଇଜି ଭୋପାଳ (ସହରାଞ୍ଚଳ) ପକ୍ଷରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି।

Share