ବ୍ରିଟିଶ ଶାସନରେ ଗଞ୍ଜାମ ଜିଲା ମାଡ୍ରାସ ପ୍ରେସିଡେନ୍ସି ଅଧୀନ ଥିଲା। ୧୮୬୭ରେ ବ୍ରହ୍ମପୁର ପୌରପାଳିକା ଗଠନ ହୋଇଥିଲା। ସେତେବେଳେ ରେଶମ ସହର ଜନସଂଖ୍ୟା ୩୦ ହଜାରରୁ ଅଧିକ ଥିଲା। ପରିସୀମାକୁ ନେଇ ମାତ୍ର ୨୭ଟି ୱାର୍ଡ ଗଠନ କରାଯାଇଥିଲା। ଏବେ ଏହି ସ୍ବାୟତ୍ତ ଶାସନ ସଂସ୍ଥାକୁ ୧୫୬ ବର୍ଷ ପୂରିଛି। ୧୯୯୭ ପୌର ନିର୍ବାଚନ ପର୍ଯ୍ୟନ୍ତ ମ୍ୟୁନିସିପାଲିଟି ଶାସନ କଂଗ୍ରେସ ଦଖଲରେ ଥିଲା। ୨୦୦୩ ପୌର ନିର୍ବାଚନରେ ସଂଖ୍ୟା ଗରିଷ୍ଠ କାଉନଲସିର ନଥାଇ ମଧ୍ୟ ଘୋଡ଼ା ବେପାରରେ ୩ ସ୍ବାଧୀନ କାଉନସିଲରଙ୍କ ସମର୍ଥନରେ ବିଜେଡି ଆସନ ଅକ୍ତିଆର କରିଥିଲା। ନଗରପାଳ ପଦବୀ ମହିଳାଙ୍କ ନିମନ୍ତେ ସଂରକ୍ଷିତ ଥିବାରୁ ସୁଲୋଚନା ସ୍ବାଇଁ ପ୍ରଥମ ମହିଳା ଚେୟାରମ୍ୟାନ ନିର୍ବାଚିତ ହୋଇଥିଲେ।
୨୦୦୮ ପୌର ନିର୍ବାଚନରେ ୱାର୍ଡ ସଂଖ୍ୟା ୩୭କୁ ବୃଦ୍ଧି ପାଇଥିଲା। ବିଜେଡି କାଉନସିଲର ସଂଖ୍ୟାଗରିଷ୍ଠ ଥିବାରୁ ଶିବ ଶଙ୍କର ଦାସ ପରୋକ୍ଷ ଭୋଟ୍ରେ ନଗରପାଳ ନିର୍ବାଚିତ ହୋଇଥିଲେ। କିଛି ମାସ ପରେ ପୌରପାଳିକାକୁ ରାଜ୍ୟ ସରକାର ମହାନଗର ନିଗମର ମାନ୍ୟତା ଘୋଷଣା କଲେ। ଫଳରେ ନଗରପାଳ ଆପେ ଆପେ ମେୟର ଏବଂ କାଉନସିଲରମାନେ କର୍ପୋରେଟର ବନିଗଲେ। ନିର୍ବାହୀ ଅଧିକାରୀ ମଧ୍ୟ କମିଶନର ଆଖ୍ୟା ପାଇଲେ। ୨୦୧୩ ପୌର ନିର୍ବାଚନ ବେଳେ ୱାର୍ଡ ପୁନର୍ଗଠନ ଏବଂ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାରେ ୱାର୍ଡ ସଂଖ୍ୟା ୪୦କୁ ବଢ଼ିଲା। ଦ୍ୱିତୀୟ ଥର ପାଇଁ ବିଜେଡି କର୍ପୋରେଟର ସଂଖ୍ୟାଗରିଷ୍ଠ ହୋଇଥିଲା। ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ କେ. ମାଧବୀ ପ୍ରଥମ ମହିଳା ମେୟର ନିର୍ବାଚିତ ହୋଇଥିଲେ।
୨୦୨୨ ପୌର ନିର୍ବାଚନରେ ମହାନଗର ୱାର୍ଡ ସଂଖ୍ୟା ୪୨କୁ ବଢ଼ାଯାଇଥିଲା। ମେୟର ପଦ ମହିଳାଙ୍କ ନିମନ୍ତେ ସଂରକ୍ଷିତ ଥିଲା। ପ୍ରତ୍ୟକ୍ଷ ନିର୍ବାଚନରେ ସଂଘମିତ୍ରା ଦଳେଇ ବିପୁଳ ଭୋଟରେ ନିର୍ବାଚିତ ହେଲେ। ଅନ୍ୟପକ୍ଷରେ ପୌରନିଗମ ମଧ୍ୟ ଚତୁର୍ଥ ଥର ବିଜେଡି ହାତକୁ ଯାଇଛି। ୧୫୬ ବର୍ଷର ପୌରସଂସ୍ଥା ଓ ପୌର ନିଗମରେ ନିର୍ବାଚିତ ମୁଖ୍ୟ ଭାବେ ତୃତୀୟ ଥର ମହିଳାଙ୍କୁ ସୁଯୋଗ ମିଳିଛି। ୪୨ କର୍ପୋରେଟରଙ୍କ ମଧ୍ୟରୁ ଅର୍ଦ୍ଧେକ ତଥା ୨୧ ମହିଳା ବିଜେଡି, ଭାଜପା ଓ କଂଗ୍ରେସରୁ ନିର୍ବାଚିତ ହୋଇଛନ୍ତି। ନିଗମକୁ ପ୍ରତିବର୍ଷ କୋଟି କୋଟି ଟଙ୍କା ସରକାରୀ ଅନୁଦାନ ଆସୁଛି। ନିଜସ୍ବ ରାଜସ୍ବ ମଧ୍ୟ ବହୁଳ ପରିମାଣରରେ ଆଦାୟ ହେଉଛି। ବିକାଶ ପାଇଁ ମଞ୍ଜୁର ଅନୁଦାନ ଠିକଣା ଭାବେ ବିନିଯୋଗ ହୋଇପାରୁନଥିବାରୁ ଅନେକ ଯୋଜନା ଅଧାରେ ରହିଛି। ନିଅଣ୍ଟିଆ କର୍ମଚାରୀ ଯୋଗୁ ପ୍ରଶାସନିକ କାର୍ଯ୍ୟ ସୂଚାରୁ ଭାବେ ହେଉନଥିବା ଅଭିଯୋଗ ହେଉଛି।
– ନରସିଂହ ସାହୁ, ବ୍ରହ୍ମପୁର