ସରକାରୀ ଅର୍ଥ ହଡ଼ପ ଅଭିଯୋଗ ଆଣିଲେ ଓ୍ବାର୍ଡ ମେମ୍ବର

ପୁରୁଷୋତ୍ତମପୁର,୨୧।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅଧୀନ ଗାଙ୍ଗଦହଣୀ ପଞ୍ଚାୟତରେ ବ୍ୟାପକ ଅନିୟନିତତା ସାଙ୍ଗକୁ ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ୱାର୍ଡସଭ୍ୟଙ୍କ ସହ ଜନସାଧାରଣ ସୋମବାର ବ୍ଲକ ପ୍ରଶାସନ ନିକଟରେ ଫେରାଦ ହୋଇଛନ୍ତି। ଏପରିକି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ତୁରନ୍ତ ଘଟଣାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଏବିଡିଓ ନିରାକାର ଜେନାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଅଭିଯୋଗ ମୁତାବକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଠିକ୍‌ ଭାବେ କାର୍ଯ୍ୟାଳୟକୁ ଆସୁ ନ ଥିବା ବେଳେ ମାସିକ ବୈଠକ କରୁନାହାନ୍ତି । ଏପରିକି ବିକାଶ ମୂଳକ କାର୍ଯ୍ୟଲାଗି ଆସୁଥିବା ସରକାରୀ ଅନୁଦାନର ହିସାବ ୱାର୍ଡସଭ୍ୟଙ୍କୁ ପ୍ରଦାନ କରୁ ନ ଥିବା ବେଳେ ସରପଞ୍ଚ ଓ ନିର୍ବାହୀ ଅଧିକାରୀ ଇଚ୍ଛା ମୁତାବକ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି।

ଏପରିକି ମିଥ୍ୟା ବିଲ୍‌ କରି ସରକାରୀ ଅର୍ଥ ଆତ୍ମସାତ କରାଯାଉଥିବା ଓ୍ବାର୍ଡସଭ୍ୟମାନେ ପ୍ରକାଶ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏବିଡିଓ ନିରାକାର ଜେନା ପ୍ରକାଶ କରିଛନ୍ତି।

ଏଥିନେଇ ସରପଞ୍ଚ ଦିନବନ୍ଧୁ ଦାସଙ୍କୁ ପଚାରିବାରୁ ପଞ୍ଚାୟତର ଆସବାବପତ୍ର ଏବଂ ସରଞ୍ଜାମ କିଣିବା ସକାଶେ ଟଙ୍କା ଉଠାଯାଇ ଦୋକାନୀଙ୍କୁ ଦିଆଯାଇଛି। ହେଲେ ଦୋକାନୀ ଜିନିଷ ପଠାଇ ନ ଥିବା କହିଛନ୍ତି। ଏପରିକି ଓ୍ବାର୍ଡସଭ୍ୟଙ୍କ ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି। ଅନ୍ୟପକ୍ଷେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମୋବାଇଲ ଫୋନ୍‌କୁ ଯୋଗାଯୋଗ କରାଯାଇଥିବା ବେଳେ ତାହା ସମ୍ଭବ ହୋଇପାରି ନାହିଁ।

Share