କେନ୍ଦୁଝର,୨୫।୫: ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନ ବନବିହାରିପୁର ନୂଆଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା ୱାର୍ଡ ମେମ୍ବରଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଦୁତୀୟା ନାୟକଙ୍କ ସ୍ତ୍ରୀ ଦ୍ରୌପଦୀ ନାୟକ ବୋଲି ଜଣାପଡ଼ିଛି। ସେ ଆକୁଳ ପଞ୍ଚାୟତ ୧୦ ନଂ ୱାର୍ଡର ୱାର୍ଡ ମେମ୍ବର ଥିଲେ। ପ୍ରକାଶ ଯେ, ଗୁରୁବାର ଦ୍ରୌପଦୀ ଘର ପାଖରେ ପ୍ରାୟ ୨୦୯ ମିଟର ଦୂରରେ ଥିବା ଆମ୍ବ ତୋଟାକୁ ଆମ୍ବ ଗୋଟେଇବାକୁ ଯାଇ ହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀଟି ଦ୍ରୌପଦୀଙ୍କୁ ଆକ୍ରମଣ କରି ଶୁଣ୍ଢରେ ଧରି ଫୋପାଡି ଦେଇଥିଲା। କିଛି ସମୟ ପରେ ଘରଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରି ତେଲକୋଇ ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉକ୍ତ ଅଞ୍ଚଳର ବନ୍ଧନ ଝରି ସଂରକ୍ଷିତ ଜଙ୍ଗଲରେ ଏକ ୧୫ ଟିକିଆ ହାତୀ ରହିଥିବାରୁ ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଲୋକେ ଭୟଭୀତ ହୋଇ ପଡିଛନ୍ତି। ଶିବାଜୀ ମୋହ ରାଓ ରେଞ୍ଜ ଅଧିକାରୀ କହିଛନ୍ତି, ବନଭିଭାଗ ପକ୍ଷରୁ ମୃତଙ୍କ ପରିବାରକୁ ପ୍ରଥମ ପର୍ଯ୍ୟାୟ ରେ ୬୦ ହଜାର ଟଙ୍କା ପ୍ରାଥମିକ କ୍ଷତିପୂରଣ ପ୍ରଦାନ କରାଯାଇଛି। ଅବଶିଷ୍ଟ ୫.୪ ଲକ୍ଷ ପ୍ରଦାନ କରାଯିବ।