ସଇଁତଳା,୯ା୧୧(ରାଖାଲ ପ୍ରସାଦ ଶତପଥି): ବଲାଙ୍ଗୀର ଜିଲା ସଇଁତଳା ଥାନା ଅଧୀନ ଡୁଙ୍ଗୁରିପାଲି ପଞ୍ଚାୟତ ସଦର ଗଁାରେ ଏକ ଅଘଟଣ ଘଟିଛି। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୱାର୍ଡ଼ସଭ୍ୟ ଲାଲୁ ମାଝିଙ୍କ ମୃତ୍ୟୁ ଘଟିଛି।
ଗୁରୁବାର ସେ ନିଜ ଘର ଛାତ ଉପରେ କାମ କରୁଥିବା ବେଳେ ଉପରେ ଯାଇଥିବା ୧୧/୩୨ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତାଙ୍କ ଘର ଉପରେ ଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାରକୁ ଅନ୍ୟତ୍ର ନେବାକୁ ସେ ବିଭାଗକୁ ଏକାଧିକବାର ଜଣାଇଥିଲେ ମଧ୍ୟ ତାଙ୍କ କଥାକୁ ବିଭାଗ ଗୁରୁତ୍ୱ ଦେଇ ନ ଥିଲା । ଏଣୁ ପରିବାର ଲୋକେ ଏବଂ ସ୍ଥାନୀୟ ସରପଞ୍ଚ ଗଜପତି ସାହୁ ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁ ଲାଲୁଙ୍କ ମୃତ୍ୟୁ ଘଟିଲା ବୋଲି ଅଭିଯୋଗ କରିଛନ୍ତି। ଲାଲୁଙ୍କ ପରିବାର ଲୋକଙ୍କୁ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେବାକୁ ସରପଞ୍ଚ ସାହୁ ଦାବି କରିଛନ୍ତି।