ମେ ୨ରେ ୫ ପଞ୍ଚାୟତରେ ୱାର୍ଡ ମେମ୍ବର ନିର୍ବାଚନ

ଗଞ୍ଜାମ, ୪।୪(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକରେ ୧୫ ପଞ୍ଚାୟତ ମଧ୍ୟରୁ ସୁବଳୟା, ମଲାଡ଼, ପାଲଙ୍ଗ, ସାନ ରାମଚନ୍ଦ୍ରପୁର ଏବଂ ହୁମା ଆଦି ୫ଟି ପଞ୍ଚାୟତରେ ୱାର୍ଡ ମେମ୍ବର ନିର୍ବାଚନ ହୋଇ ନ ଥିଲା। ପଞ୍ଚାୟତର ବିଭିନ୍ନ ୱାର୍ଡ ସଭ୍ୟ ପାଇଁ ଏସ୍‌ଟି ନିମନ୍ତେ ସଂରକ୍ଷଣ ଥିବା ଯୋଗୁ କେହି ହେଲେ ପ୍ରାର୍ଥିପତ୍ର ଦାଖଲ କରି ପାରି ନ ଥିଲେ। ଫଳରେ ଏହିସବୁ ପଞ୍ଚାୟତରେ ନିର୍ବାଚନ ହୋଇ ନ ପାରି ୱାର୍ଡ ସଭ୍ୟ ପଦବୀ ଖାଲି ରହିଥିଲା। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ୱାର୍ଡରେ ମହିଳାଙ୍କ ଲାଗି ସଂରକ୍ଷଣ ଥିବା
ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆସନ୍ତା ମେ ୨ ତାରିଖରେ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି l

ବଡିଓ ଜସ୍ମିନ ପ୍ରଧାନ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ରୀକାନ୍ତ କୁମାର ଗୌଡ଼ ଏବଂ ପୂର୍ବରୁ ନିର୍ବାଚନ ପରିଚାଳନା କରି ଆସୁଥିବା ଶିକ୍ଷକ ନିରଞ୍ଜନ ମହାପାତ୍ର ପ୍ରମୁଖଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଛି। ମଙ୍ଗଳବାର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ। ୫ ପଞ୍ଚାୟତରେ ୭ଟି ୱାର୍ଡ ପାଇଁ ନିର୍ବାଚନ ହେବ l ୪, ୫ ଓ ୬ ତାରିଖ ୩ଦିନ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜ ପ୍ରାର୍ଥିପତ୍ର ଦାଖଲ କରିପାରିବେ l ୭ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୯ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକ ମହାପାତ୍ର ସୂଚନା ଦେଇଛନ୍ତି। ଦୁଇ ପଞ୍ଚାୟତ ତଥା ସାନ ରାମଚନ୍ଦ୍ରପୁର ଏବଂ ହୁମା ପଞ୍ଚାୟତରେ ୱାର୍ଡ ସଭ୍ୟ ପଦ ନିର୍ବାଚନ କଡ଼ା ଟକ୍କର ହେବ ବୋଲି ରାଜନୈତିକ ସମୀକ୍ଷକ ପୂର୍ବାନୁମାନ କରିଛନ୍ତି ।