
ଦାରିଙ୍ଗବାଡି, ୧୮।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକଙ୍କ ଅନାସ୍ଥା ସମ୍ପର୍କରେ ଆଲୋଚନା ଓ ଗୁପ୍ତ ଭୋଟ ପାଇଁ ସୋମବାର ବାଲିଗୁଡା ଉପଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଦାରିଙ୍ଗବାଡି ତହସିଲଦାର ଶରତ ଶବର ପ୍ରିଜାଇଡିଂ ଅଫିସର ଭାବେ ନିଯୁକ୍ତ ପାଇଛନ୍ତି। ହେଲେ ସେ ସ୍ବାସ୍ଥ୍ୟ ଖରାପ ଥିବା ଦର୍ଶାଇ ଅନୁପସ୍ଥିତ ଯୋଗୁ ଅନାସ୍ଥା ଗୁପ୍ତ ଭୋଟରେ ସାମିଲ ହେବାକୁ ଯାଇଥିବା ୧୬ ଜଣ ୱାର୍ଡ ସଭ୍ୟାସଭ୍ୟ ନିରାଶ ହୋଇ ଫେରିଥିଲେ। ସେମାନେ ମଙ୍ଗଳବାର ଏହାର ପ୍ରତିବାଦରେ ପଞ୍ଚାୟତ କାର୍ଯ୍ୟାଳୟ ସମେତ ତହସିଲ କାର୍ଯ୍ୟାଳୟକୁ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫଳରେ ଉଭୟ କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି ।
ନାଏବ ସରପଞ୍ଚ ଦୀପକ କୁମାର ପ୍ରଧାନ କହିଛନ୍ତି , ସେମାନଙ୍କୁ ଅନାସ୍ଥା ଭୋଟ ପାଇଁ ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚିବାକୁ ସକାଳ ୧୧ଟା ସମୟ ଦିଆଯାଇଥିଲା। ସେହିକ୍ରମରେ ୧୬ ଜଣ ୱାର୍ଡ ସଭ୍ୟାସଭ୍ୟ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚିଥିଲେ ସୁଦ୍ଧା ପ୍ରିଜାଇଡିଂ ଅଫିସର ଭାବେ ନିଯୁକ୍ତ ହୋଇଥିବା ଦାରିଙ୍ଗବାଡି ତହସିଲଦାର ଅନୁପସ୍ଥିତ ଥିଲେ। ସେ ସ୍ବାସ୍ଥ୍ୟ ଖରାପ ଯୋଗୁ ଛୁଟିରେ ରହିଥିବା ବେଳେ ୱାର୍ଡ ସଭ୍ୟାସଭ୍ୟମାନେ ଭୋଟ ଦାନ କରିବାକୁ ପ୍ରିଜାଇଡିଂ ଅଫିସରଙ୍କୁ ଅପେକ୍ଷା କରି କରି ଅପରାହ୍ନ ୪ଟା ହୋଇଥିଲେ ସୁଦ୍ଧା ସେ ଆସିନଥିଲେ। ଏପରିକି ୱାର୍ଡ ସଭ୍ୟାସଭ୍ୟଙ୍କୁ ଏହି ବାବଦରେ କୌଣସି ନୋଟିସ ଦେଇନଥିବା ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା। ସେମାନଙ୍କୁ ଅଣଦେଖା ଓ ଅପମାନିତ କରାଯାଉଥିବା ଅଭିଯୋଗରେ ସେମାନେ ମଙ୍ଗଳବାର ଅର୍ନିଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ତାଲା ପକାଇ ବିକ୍ଷୋଭ ଓ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି । ସେମାନଙ୍କୁ ପୁନଃ ଅନାସ୍ଥା ଭୋଟ କରିବା ପାଇଁ ଦିନ ଧାର୍ଯ୍ୟ ନ କରିବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି ବିକ୍ଷୋଭକାରୀ ୱାର୍ଡ ସଭ୍ୟାସଭ୍ୟମାନେ କହିଛନ୍ତି। ଖବର ଲେଖିବା ସୁଦ୍ଧା କୌଣସି ଅଧିକାରୀ ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚି ନଥିବା ବେଳେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।