ଭୁବନେଶ୍ୱର, ୬।୯(ଅସମାପିକା ସାହୁ): ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ୭୫ଜଣ ଶିକ୍ଷକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩’ ମିଳିଛି। ଗୁରୁଦିବସ ଅବସରରେ ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିକ୍ଷକମାନଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏମାନଙ୍କ ମଧ୍ୟରେ ୫୦ଜଣ ସ୍କୁଲ ଶିକ୍ଷକ, ଉଚ୍ଚଶିକ୍ଷା ବିଭାଗର ୧୩ଜଣ ଶିକ୍ଷକ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ୧୨ଜଣ ଶିକ୍ଷକ ରହିଛନ୍ତି। ଓଡ଼ିଶାର ୪ଜଣ ଶିକ୍ଷକ ଏହି ଜାତୀୟ ଶିକ୍ଷକ ପୁରସ୍କାର ପାଇଥିବାବେଳେ ଦୁଇଜଣ ଶିକ୍ଷକ ଓ ଅନ୍ୟ ଦୁଇଜଣ ହେଉଛନ୍ତି ପ୍ରଶିକ୍ଷଣ ଅଧିକାରୀ। ଦୁଇ ଶିକ୍ଷକ ହେଲେ ଭଦ୍ରକ ଜିଲାର କେନ୍ଦୁଆପଡ଼ା ନୋଡାଲ ହାଇସ୍କୁଲର ଶିକ୍ଷକ ଶଶି ଶେଖର କର ଶର୍ମା ଓ ଜଗତ୍ସିଂହପୁର ଜିଲାର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ ଏବଂ ଦୁଇ ପ୍ରଶିକ୍ଷକ ହେଲେ ଖୋର୍ଦ୍ଧା ଜିଲା ଜଟଣୀ ନିକଟସ୍ଥ ଖୁଦପୁରସ୍ଥିତ ଦିବ୍ୟାଙ୍ଗଙ୍କ ପାଇଁ ରହିଥିବା ସ୍ବତନ୍ତ୍ର ଆଇଟିଆଇ ଅନୁଷ୍ଠାନର ପ୍ରଶିକ୍ଷଣ ଅଧିକାରୀ ରବିନାରାୟଣ ସାହୁ ଓ ଭୁବନେଶ୍ୱରର ରାଜଭବନ ନିକଟ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ସହକାରୀ ପ୍ରଶିକ୍ଷଣ ଅଧିକାରୀ(ଏଟିଓ) ସୁନୀତା ସିଂହ।
ସୂଚନାଯୋଗ୍ୟ, ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ପ୍ରତିବର୍ଷ ଗୁରୁ ଦିବସରେ ଏଭଳି ଏକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଦେଶର ଶ୍ରେଷ୍ଠ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥାଏ। ଚଳିତବର୍ଷରୁ ଜାତୀୟ ଶିକ୍ଷକ ପୁରସ୍କାର ପରିସରକୁ ବ୍ୟାପକ କରାଯାଇ ଉଚ୍ଚଶିକ୍ଷା ବିଭାଗ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ଶିକ୍ଷକମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।