କରୋନା ଟିକା ଯୋଗୁ ଓ୍ବାର୍ଡ ବୟଙ୍କ ହୋଇନି ମୃତ୍ୟୁ: ପୋଷ୍ଟମୋର୍ଟମ ରିପୋର୍ଟ

ମୋରାଦାବାଦ୍‌,୧୮।୧: କରୋନା ଟିକା ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଉତ୍ତରପ୍ରଦେଶ ମୋରାଦାବାଦ୍‌ରେ ଜିଲା ହସ୍ପିଟାଲରେ କାମ କରୁଥିବା ୪୬ ବର୍ଷ ବୟସ୍କ ଓ୍ବାର୍ଡ ବୟ ମହିପାଳ ସିଂଙ୍କୁ ଜାନୁୟାରୀ ୧୬ରେ କରୋନା ଟିକା ଦିଆଯାଇଥିଲା। ଟିକା ନେବାର କିଛି ଘଣ୍ଟା ପରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ଘଟିଥିଲା। ମହିପାଳଙ୍କ ପରିବାରବର୍ଗ କରୋନା ଟିକା ଯୋଗୁ ଏଭଳି ହୋଇଥିବା ଅଭିଯୋଗ କରିଥିଲେ। ତେବେ ପୋଷ୍ଟମୋର୍ଟମ୍‌ ରିପୋର୍ଟରୁ ଜଣାପଡ଼ିଛି ଯେ, ମହିପାଳଙ୍କ ମୃତ୍ୟୁ କରୋନା ଟିକା ଯୋଗୁ ନୁହେଁ ବରଂ ହାର୍ଟ ଆଟାକ୍‌ ଯୋଗୁ ଘଟିଛି। ଟିକାଦାନ କରାଯିବା ପୂର୍ବରୁ ମହିପାଳଙ୍କ ସ୍ବାସ୍ଥ୍ୟ ଯାଞ୍ଚ୍‌ କାହିଁକି କରାଗଲା ନାହିଁ ବୋଲି ପରିବାର ସଦସ୍ୟ ପ୍ରଶ୍ନ କରିଛନ୍ତି। ମହିପାଳଙ୍କ ଛାତିରେ ଯନ୍ତ୍ରଣା ହେବା ସହିତ ନିଶ୍ୱାସ ନେବାରେ କଷ୍ଟ ହୋଇଥିଲା। ଏହା ହାର୍ଟ ସମସ୍ୟା ଯୋଗୁ ହୋଇଥିବା ଜିଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଏସ୍‌.ସି.ଗର୍ଗ ସୂଚନା ଦେଇଛନ୍ତି।

Share