Categories: ଖେଳ

ଶେଷ ୨ ଟେଷ୍ଟରୁ ଓ୍ବାର୍ନର ବାଦ୍‌

ନୂଆଦିଲ୍ଲୀ, ୨୨।୨: ଆହତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ଓପନର ଡେଭିଡ ଓ୍ବାର୍ନର ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ୨ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି। କହୁଣି ହାଡ଼ ଫାଟିଥିବାରୁ ସେ ସ୍ବଦେଶ ଯାଇ ସିଡ୍‌ନୀରେ ଚିକିତ୍ସିତ ହେବେ। ତେବେ ଟେଷ୍ଟ ସିରିଜ ପରେ ଦିନିକିଆ ସିରିଜ ବେଳକୁ ସେ ମାର୍ଚ୍ଚ ଶେଷ ଭାଗରେ ଭାରତ ଆସି ଦଳ ସହ ଯୋଗଦେବା ସମ୍ଭାବନା ରହିଛି। ଦିଲ୍ଲୀରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ ଅବସରରେ ସେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ବୋଲିଂରେ ବାମ କହୁଣିରେ ଆଘାତ ପାଇଥିଲେ। ଖେଳ ଜାରି ରଖିଥିଲେ ହେଁ ଏହାର ୨ ଓଭର ପରେ ବଲ୍‌ ତାଙ୍କ ହେଲମେଟରେ ବାଜିଥିଲା। କନ୍‌କସନ ଲକ୍ଷଣ ପ୍ରକାଶ ପାଇବାରୁ ସେ ଟେଷ୍ଟ ମ୍ୟାଚରୁ ଓହରି ଯାଇଥିଲେ। ମୁଣ୍ଡରେ ଆଘାତ ଗୁରୁତର ନ ଥିଲେ ହେଁ କହୁଣିରେ ଆହତ ସମସ୍ୟା ବଢ଼ିବାରେ ଲାଗିଥିଲା। ତେବେ ସେ ଶେଷ ୨ ଟେଷ୍ଟ ଖେଳିପାରିବେ ବୋଲି ଆଶା କରାଯାଉଥିଲା। ମାତ୍ର ଯନ୍ତ୍ରଣା ସ୍ଥାନରେ ଅଧିକ ପରୀକ୍ଷା ନିରୀକ୍ଷା ପରେ ପୂରା ସିରିଜରୁ ଓହରି ଯାଇଥିବା ସମ୍ପର୍କରେ ଆନୁଷ୍ଠାନିକଭାବେ ଘୋଷଣା କରାଯାଇଥିଲା। ସେ ଏବେ ସ୍ବଦେଶ ଫେରି ପରିବାର ସହିତ ରହିବେ। ତାଙ୍କ ସ୍ଥାନ ପୂରଣ ପାଇଁ ଅଷ୍ଟ୍ରେଲିଆ କୌଣସି ବ୍ୟାକ୍‌ଅପ୍‌ ବ୍ୟାଟରଙ୍କୁ ଡାକିବା ସମ୍ଭାବନା କମ୍‌। କାରଣ ଦିଲ୍ଲୀ ଟେଷ୍ଟର ଦ୍ୱିତୀୟ ଇନିଂସରେ ଓ୍ବାର୍ନରଙ୍କ ସ୍ଥାନରେ ଟ୍ରାଭିସ ହେଡ୍‌ ଇନିଂସ ଓପନ କରି ୪୩ ରନର ପ୍ରଭାବୀ ଇନିଂସ ଖେଳିଥିଲେ। ତେଣୁ ଶେଷ ୨ ଟେଷ୍ଟରେ ସେ ସେହି ଦାୟିତ୍ୱ ତୁଲାଇ ପାରନ୍ତି। ହେଡ୍‌ଙ୍କର ଇନିଂସ ଓପନ କରିବାରେ ବିଶେଷ ଅଭିଜ୍ଞତା ନାହିଁ। ସେ ୨୦୧୮ରେ କାଉଣ୍ଟି କ୍ରିକେଟ ଖେଳିବା ଅବସରରେ ମାତ୍ର ୨ ଥର ଓ୍ବର୍ସେଷ୍ଟରଶାୟାର ପକ୍ଷରୁ ଓପନର ଦାୟିତ୍ୱ ତୁଲାଇଥିଲେ।
ଅଷ୍ଟ୍ରେଲିଆ କୋଚ୍‌ ଆଣ୍ଡ୍ର୍ୟୁ ମ୍ୟାକଡୋନାଲ୍ଡଙ୍କ କହିବା ଅନୁସାରେ ହେଡ୍‌ ଇନିଂସ ଓପନ କରିବା ଦୀର୍ଘକାଳୀନ ଭିତ୍ତିରେ ସମସ୍ୟାର ସମଧାନ ନୁହେଁ, ତେବେ ଉପମହାଦେଶ ପରିବେଶରେ ସେ ଏହି ଦାୟିତ୍ୱ ତୁଲାଇ ପାରିବେ। ଇନ୍ଦୋରରେ ଖେଳିବା ପାଇଁ କାମେରନ ଗ୍ରୀନ୍‌ ଫିଟ୍‌ ଘୋଷିତ ହୋଇଛନ୍ତି। ଆହତ ସମସ୍ୟା ଯୋଗୁ ଜୋଶ୍‌ ହାଜେଲଉଡ୍‌ ସ୍ବଦେଶ ଫେରି ଯାଇଥିଲେ ହେଁ ମିଚେଲ ଷ୍ଟାର୍କ ପରବର୍ତ୍ତୀ ଟେଷ୍ଟ ପାଇଁ ଫିଟ୍‌ ହୋଇଛନ୍ତି। ସେହିପରି ନିଜର ପ୍ରଥମ ସନ୍ତାନ ଜନ୍ମ ସମୟରେ ପରିବାର ସହ ରହିବା ପାଇଁ ସ୍ବଦେଶ ଫେରିଥିବା ମିଚେଲ ସ୍ବେପସନ ପରବର୍ତ୍ତୀ ୨ ଟେଷ୍ଟ ପାଇଁ ଉପଲବ୍ଧ ହେବେ।

Share